ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼, ୧୬। ୧୦
ନିଶା ସେବନର କୁପରିଣାମ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ସହ ଏକ ସୁସ୍ଥ, ସୁରକ୍ଷିତ ଓ ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ଶୁକ୍ରବାର ବରଗଡ଼ରେ ଓଡ଼ିଶା ପୁଲିସ ପକ୍ଷରୁ ‘ନିଶାମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଏକ ବାଇକ୍ ରାଲି ଆୟୋଜିତ ହୋଇଥିଲା। ଅକ୍ଟୋବର ୩୧ ରେ ସର୍ଦ୍ଦାର ବଲ୍ଲଭଭାଇ
ପଟେଲଙ୍କ ଜନ୍ମବାର୍ଷିକୀ ଏବଂ ଜାତୀୟ ଏକତା ଦିବସ ପାଳନ କରିବା ପାଇଁ ଜାତୀୟ ମୋଟରସାଇକେଲ ରାଲି ୨୦୨୬ ଆୟୋଜନ କରାଯାଉଛି। ଏହି ପ୍ରୟାସରେ ଦେଶର ବିଭିନ୍ନ ରାଜ୍ୟରୁ ରାଜ୍ୟ ପୋଲିସ ବାହିନୀ, କେନ୍ଦ୍ର ଶାସିତ ଅଞ୍ଚଳ ପୋଲିସ, କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ର କର୍ମଚାରୀମାନେ ଗୁଜୁରାଟର କେଭାଡିଆର ଏକତା ନଗରରେ ଥୂବା ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ମହାନ ୟୁନିଟି ପରେଡରେ ଅଂଶଗ୍ରହଣ କରିବେ। ଏହି ଅବସରରେ ନିଶା ବିରୋଧୀ ଅଭିଯାନକୁ ଏକ ଜନଆନ୍ଦୋଳନରେ ପରିଣତ କରିବା ସହ ଯୁବପିଢ଼ିଙ୍କୁ ନିଶାର କବଳରୁ ଦୂରେଇ ରଖିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜର ଡିଆଇଜି ଚରଣ ସିଂ ମୀନା, ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ, ବରଗଡ଼ ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ରନାଥ ଶତପଥୀ, ବରଗଡ ଏସ ଡି ପି ଓ ଏ ବି ଶିଳ୍ପା, ଏସ ଡି ପି ଓ ପଦାର ବିନ୍ଦ ତ୍ରୀପାଠୀ, ଚିପିଲିମାସ୍ଥିତ ସିଆରପିଏଫ୍ ବାଟାଲିୟନର କମାଣ୍ଡାଣ୍ଟ ଆର୍.ପି. ମୀନା ଏବଂ ବରଗଡ଼ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶିବପ୍ରସାଦ ବିଶ୍ୱାଳଙ୍କ ସମେତ ପୁଲିସ ବିଭାଗ, ସିଆରପିଏଫ୍, ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ ବହୁ ସଂଖ୍ୟାରେ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ।

ଏହି ଅବସରରେ ଉଦ୍ବୋଧନ ଦେଇ ଡିଆଇଜି ଚରଣ ସିଂ ମୀନା ନିଶା ବିରୋଧୀ ଅଭିଯାନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ନିଶା ସେବନର ଭୟାବହ ପରିଣାମ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ଏହାର ନିରାକରଣ ପାଇଁ ପୁଲିସ ପ୍ରଶାସନ ସହ ସମାଜର ପ୍ରତ୍ୟେକ ବର୍ଗର ଲୋକେ ଆଗେଇ ଆସିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଏହି ସାମାଜିକ ଅଭିଯାନ ପ୍ରତି ସମର୍ଥନ ଜଣାଇବା ସହ ନିଶାମୁକ୍ତ ବରଗଡ଼ ଗଠନ ଦିଗରେ ଏଭଳି ସଚେତନତାମୂଳକ ପଦକ୍ଷେପର ଆବଶ୍ୟକତା ରହିଥିବା ଉଲ୍ଲେଖ କରିଥିଲେ। ସେହିପରି ଆରକ୍ଷୀ ଅଧୀକ୍ଷକ ରବୀନ୍ଦ୍ରନାଥ ଶତପଥୀଙ୍କ ମାର୍ଗଦର୍ଶନ ଓ ସହଯୋଗରେ ଏହି ଅଭିଯାନ ଆୟୋଜିତ ହୋଇଥିବାରୁ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରାଯାଇଥିଲା। ସିଆରପିଏଫ୍ କମାଣ୍ଡାଣ୍ଟ ଆର୍.ପି. ମୀନା ମଧ୍ୟ ନିଶାମୁକ୍ତ ସମାଜ ଗଠନ ପାଇଁ ସକାରାତ୍ମକ ବାର୍ତ୍ତା ଦେବା ସହ ଏହି ଉଦ୍ୟମର ପ୍ରଶଂସା କରିଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶିବପ୍ରସାଦ ବିଶ୍ୱାଳ ଉପସ୍ଥିତ ଅତିଥି ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ କରିଥିଲେ।ରାଲିର ସଫଳ ଆୟୋଜନରେ ପୁଲିସ ବିଭାଗର ଅଧିକାରୀ ଓ କର୍ମଚାରୀ, ସିଆରପିଏଫ୍, ଅବକାରୀ ବିଭାଗ ଏବଂ ରାଲିରେ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କ ଅବଦାନକୁ ପ୍ରଶଂସା କରାଯାଇଥିଲା। ଏଥିସହ ଗଣମାଧ୍ୟମ ପ୍ରତିନିଧିମାନେ ଏହି ଅଭିଯାନର ବାର୍ତ୍ତାକୁ ବ୍ୟାପକ ଭାବରେ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସହଯୋଗ କରିଥିବାରୁ ସେମାନଙ୍କୁ ଏସ ଡି ପି ଓ ଏ ବି ଶିଳ୍ପା ଧନ୍ୟବାଦ ଅର୍ପଣ କରିଥିଲେ।






