Headlines

ପାଟଣା:ଅଧ୍ୟାପକ ପଦବୀ ପୂରଣ ଦାବିରେ କଲେଜ ଗେଟ୍‌ରେ ତାଲା, ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ଛାତ୍ରଛାତ୍ରୀ

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନିୟୁଜ୍ /କେନ୍ଦୁଝର:

ପାଟଣା, ୯/୯: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀର ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୂରଣ ଦାବିରେ ବୁଧବାର ଛାତ୍ରଛାତ୍ରୀମାନେ କଲେଜ ମୁଖ୍ୟ ଗେଟ୍‌ରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏଥିସହ ସେମାନେ ସକାଳ ୬ଟାରୁ ଧାରଣାରେ ବସିଥିଲେ।ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଓ ଇତିହାସ ବିଭାଗରେ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ଇଂରାଜୀ ବିଭାଗରେ ମାତ୍ର ଜଣେ ଅଧ୍ୟାପକ ରହିଛନ୍ତି। ଆବଶ୍ୟକ ସଂଖ୍ୟକ ଅଧ୍ୟାପକ ନଥିବାରୁ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏନେଇ ପୂର୍ବରୁ ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ସେମାନେ କହିଛନ୍ତି। ଅନ୍ୟପକ୍ଷରେ ଅତିଥି ଅଧ୍ୟାପକ ନିଯୁକ୍ତି ପାଇଁ କଲେଜରେ ପର୍ଯ୍ୟାପ୍ତ ପାଣ୍ଠି ନଥିବାରୁ ସମସ୍ତ ଖାଲି ପଦବୀ ପୂରଣ କରିବା କଷ୍ଟସାଧ୍ୟ ବୋଲି ମହାବିଦ୍ୟାଳୟ ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ କହିଛନ୍ତି। ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ଖବର ପାଇ କେନ୍ଦୁଝର ସହକାରୀ ଜିଲ୍ଲାପାଳ ପ୍ରକାଶ କୁମାର ସେଠୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ। ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ବିଜ୍ଞାପନ ପ୍ରକାଶ ପାଇସାରିଥିବା ସେ ସୂଚନା ଦେଇଥିଲେ। ଆସନ୍ତା ୨୫ ତାରିଖ ସୁଦ୍ଧା ଅତିଥି ଅଧ୍ୟାପକ ନିଯୁକ୍ତି କରାଯିବ ବୋଲି ସହକାରୀ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବା ପରେ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ।

Leave a Reply

Your email address will not be published. Required fields are marked *