ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
ମାଲକାନଗିରି ଜିଲ୍ଲାରେ ସକ୍ରିୟ ଥିବା ମୋଟର ସାଇକେଲ ଚୋରି ରାକେଟର ପର୍ଦାଫାସ କରିଛି କାଲିମେଳା ପୋଲିସ। ଏହି ଗ୍ୟାଙ୍ଗର ସର୍ଦ୍ଦାର ଜଣେ ମୋଟର ସାଇକେଲ ଚୋରି କରିବାରେ ମାହୀର ସେ ମାତ୍ର ୨ ମିନିଟରେ ଯେ କୌଣସି ବାଇକ୍ ର ଲକ୍ ଭାଙ୍ଗି ଚୋରି କରିପାରୁଥିଲା। ଏହି ଚୋରି ଗାଡିର ଚେର ଏବେ ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡୁଛି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି କାଲିମେଳା ବଜାର ନିକଟରୁ ଗୋଟିଏ ସନ୍ଦିଗ୍ଧ ବାଇକ୍ ଜବତ କରାଯାଇଥିଲା। ପଚରାଉଚରା ବେଳେ ଜଣାପଡିଲା ଯେ ଏହା କାଲିମେଳା ବ୍ଲକ ଅନ୍ତର୍ଗତ ବଡୁଗୁଡା ଗ୍ରାମରୁ ଜଣଙ୍କ ଘର ପରିସରରୁ ଚୋରି ହୋଇଥିଲା। ଏହି ଗାଡିକୁ ନେଇ ପୋଲିସ ଗଭୀର ତଦନ୍ତ କରିବା ପରେ ଏକ ବଡ଼ ଅନ୍ତରାଜ୍ୟ ରାକେଟର ଖୁଲାସା ହୋଇଛି।
ଏହି ରାକେଟର ସର୍ଦ୍ଦାର ମାଲକାନଗିରି ଜିଲ୍ଲାର ଏମଭି-୮ ଅଞ୍ଚଳର ବୋଲି ଜଣାପଡିଛି। ସେ ମୋଟର ସାଇକେଲ ଚୋରିରେ ସ୍ପେଶାଲିଷ୍ଟ। ତାର କାମ ହେଉଛି ମାଲକାନଗିରି ଜିଲ୍ଲାର ଭିଡ଼ ଜାଗା ଯେପରି ହାଟ, ବଜାର, ଡାକ୍ତରଖାନା ପରିସରରୁ ବାଇକ୍ ଚୋରି କରିବା। ପରେ ସେହି ବାଇକ୍ କୁ ଜଙ୍ଗଲ ରାସ୍ତା ଦେଇ ଛତିଶଗଡ଼, ଆନ୍ଧ୍ରର ଚିନ୍ତୁର ଏବଂ ତେଲେଙ୍ଗାନାର ଭଦ୍ରାଚଲମ ଅଞ୍ଚଳକୁ ଚାଲାଣ କରେ। ସେଠାରେ ଇଞ୍ଜିନ ଓ ଚେସିସ୍ ନମ୍ବର ବଦଳାଇ କମ୍ ଦାମରେ ବିକ୍ରି କରାଯାଏ। ଏପରିକି ମୋବାଇଲ ଫୋନ୍ ଗୁଡିକୁ ମଧ୍ୟ ସେହି ଭଳି ଚାଲାଣ କରାଯାଉଥିଲା।

ଆଗକୁ ପାର୍ବଣ ମାସ ଆସୁଥିବାରୁ କାଲିମେଳା ପୋଲିସ ଏବେ ସଜାଗ ହୋଇଛି। ଅପରାଧ ଛୋଟ ହେଉ ଅବା ବଡ଼, ଅପରାଧ ଅପରାଧୀକୁ ଆଉ କ୍ଷମା ନାହିଁ ବୋଲି କାଲିମେଳା ଥାନା ଅଧିକାରୀ କହିଛନ୍ତି। କେବଳ ଗଞ୍ଜେଇ ନୁହେଁ, ମୋଟର ସାଇକେଲ ଓ ମୋବାଇଲ ଚୋର ବି ଆଉ ବର୍ତ୍ତିବେ ନାହିଁ।
ଆଜି ଗୋଟିଏ ଗାଡି ଧରାପଡିଛି, ଆଗକୁ ପୁରା ରାକେଟ ଧରାପଡିବ ବୋଲି ପୋଲିସ କହିଛନ୍ତି।



Total Users : 6801