Headlines

ଖଜୁରୀପଡ଼ାରେ ଦେବଶିଳ୍ପୀ ବିଶ୍ଵକର୍ମା ପୂଜା ଅନୁଷ୍ଠିତ

ଅଚ୍ୟୁତ ଜାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ :

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକର ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଯନ୍ତ୍ରପାତି, କାରିଗରୀ ଓ ନିର୍ମାଣ କାର୍ଯ୍ୟ ସହ ଜଡ଼ିତ ବ୍ୟକ୍ତିବିଶେଷ ଏହି ଅବସରରେ ବିଶ୍ୱକର୍ମାଙ୍କୁ ଆରାଧନା କରି ସୁଖ, ସମୃଦ୍ଧି ଓ କର୍ମକ୍ଷେତ୍ରରେ ସଫଳତା କାମନା କରିଥିଲେ।
ଖଜୁରୀପଡ଼ା ସଦରମହକୁମା ଠାରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ବିଚିତ୍ରା ବିଷୋୟୀଙ୍କ ନେତୃତ୍ୱରେ ବିଶ୍ୱକର୍ମା ପୂଜା ଆୟୋଜିତ ହୋଇଥିଲା। ବିଭାଗର ସମସ୍ତ କର୍ମଚାରୀ ପୂଜାରେ ଉପସ୍ଥିତ ରହି ଦେବଶିଳ୍ପୀଙ୍କ ଆଶୀର୍ବାଦ କାମନା କରିଥିଲେ।

ପୂଜା ପରେ ପ୍ରସାଦ ବଣ୍ଟନ ଓ ଭକ୍ତମାନଙ୍କ ମଧ୍ୟରେ ଶୁଭେଚ୍ଛା ବିନିମୟ ହୋଇଥିଲା। ସେହିପରି ଖଜୁରୀପଡ଼ା ବଜାର ହାଟପଦାଠାରେ ବିଶ୍ୱକର୍ମା ରାଜମିସ୍ତ୍ରୀ ସଂଘ ପକ୍ଷରୁ ଆଡ଼ମ୍ବରପୂର୍ଣ୍ଣ ଭାବେ ପୂଜା ଆୟୋଜନ କରାଯାଇଥିଲା। ସଂଘର ସଭାପତି ଭୀମସେନ ବେହେରା ଓ ସମ୍ପାଦକ ମନୋହର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ଏହି ପୂଜାରେ ସଂଘର ସମସ୍ତ ସଦସ୍ୟ ଯୋଗଦେଇ ପୂଜା ପରିଚାଳନାରେ ସହଯୋଗ କରିଥିଲେ। ଅନ୍ୟପକ୍ଷରେ ଆଡ଼ାସିପଡ଼ା ପଞ୍ଚାୟତ ଅଞ୍ଚଳର ସ୍ଥାନୀୟ ରାଜମିସ୍ତ୍ରୀମାନଙ୍କ ପକ୍ଷରୁ ଆଡ଼ାସିପଡ଼ା ଛକ ନିକଟରେ ବିଶ୍ୱକର୍ମାଙ୍କ ପୂଜା କରାଯାଇଥିଲା। ଘୋଡ଼ାପଥରଠାରେ ‘ଓଁ ଶ୍ରୀ ଶ୍ରୀ ବିଶ୍ୱକର୍ମା ପୂଜା କମିଟି’ ପକ୍ଷରୁ ମଧ୍ୟ ଧୁମ୍‌ଧାମରେ ପୂଜା ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ଅଜିତ କହଁର ଓ କଳାକାହ୍ନୁ ବେହେରାଙ୍କ ନେତୃତ୍ୱରେ ପୂଜା ପରିଚାଳିତ ହୋଇଥିଲା।


ପୂଜାମଣ୍ଡପଗୁଡ଼ିକୁ ରଙ୍ଗବେରଙ୍ଗ ଆଲୋକମାଳା ଓ ଫୁଲରେ ସଜାଯାଇଥିବା ବେଳେ ସକାଳୁ ମନ୍ତ୍ରୋଚ୍ଚାରଣ ଓ ପୂଜାବିଧିରେ ପରିବେଶ ଭକ୍ତିମୟ ହୋଇଉଠିଥିଲା। ବିଭିନ୍ନ ସ୍ଥାନରେ ପୂଜା ପରେ ପ୍ରସାଦ ବଣ୍ଟନ କରାଯିବା ସହ ଶ୍ରମିକ, କାରିଗର ଓ ସ୍ଥାନୀୟ ଲୋକମାନେ ପରସ୍ପରକୁ ବିଶ୍ୱକର୍ମା ପୂଜାର ଶୁଭେଚ୍ଛା ଜଣାଇଥିଲେ।
ବିଶ୍ୱକର୍ମା ପୂଜା ଅବସରରେ ନିଜ କର୍ମ ଓ କୌଶଳ ପ୍ରତି ସମ୍ମାନ ଜଣାଇବା ସହ ସୁରକ୍ଷିତ ଓ ସଫଳ କର୍ମଜୀବନ ପାଇଁ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ। ଫଳରେ ଖଜୁରୀପଡ଼ା ଅଞ୍ଚଳର ବିଭିନ୍ନ ପୂଜାମଣ୍ଡପରେ ଦିନତମାମ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିଲା।

Leave a Reply

Your email address will not be published. Required fields are marked *