ଅଚ୍ୟୁତ ଯାନୀ /ସ୍ୱତନ୍ତ୍ର ପ୍ରତିନିଧି /ଫୁଲବାଣୀ /ସମୀକ୍ଷା ନ୍ୟୁଜ:
ନିଶାଠାରୁ ଯୁବପିଢ଼ିକୁ ଦୂରେଇ ରଖି ଏକ ସୁସ୍ଥ, ସଚେତନ ଓ ଦାୟିତ୍ୱବାନ ଯୁବ ସମାଜ ଗଠନ ଲକ୍ଷ୍ୟରେ ଫୁଲବାଣୀସ୍ଥିତ କନ୍ଧମାଳ ନର୍ସିଂ କଲେଜ ପରିସରରେ ‘ନିଶାମୁକ୍ତ ଯୁବ–ବିକଶିତ ଭାରତ’ ଯୁବ ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମାଇ ଭାରତ କନ୍ଧମାଳ ପକ୍ଷରୁ ଆୟୋଜିତ ଏହି ସଚେତନତାମୂଳକ କାର୍ଯ୍ୟକ୍ରମରେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ରମେନ୍ଦ୍ର ପ୍ରସାଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିର ଭୂମିକା ଓ ନିଶାମୁକ୍ତ ସମାଜ ଗଠନର ଆବଶ୍ୟକତା ଉପରେ ନିଜର ମତ ରଖିଥିଲେ।

ସିଆରପିଏଫ୍ କମାଣ୍ଡାଣ୍ଟ ରାଜୀବ ଯାଦବ, ଫୁଲବାଣୀ ନର୍ସିଂ କଲେଜର ଅଧିକାରୀ ମିତାଞ୍ଜଳୀ ରଥ, ନିବେଦିତା ପଟ୍ଟନାୟକ, ପ୍ରଜ୍ଞା ପରୀମିତା ଦାସ, କଳ୍ପନା ବିଶ୍ୱାଳ ଏବଂ ମାଇ ଭାରତ କନ୍ଧମାଳର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ନିଶା ସେବନର କୁପରିଣାମ, ଯୁବପିଢ଼ି ଉପରେ ଏହାର ପ୍ରଭାବ ଏବଂ ନିଶାଠାରୁ ଦୂରେଇ ରହି ଦେଶ ଓ ସମାଜ ପାଇଁ ଗଠନମୂଳକ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଥିଲା। ଉପସ୍ଥିତ ଅତିଥିମାନେ ନିଜ ନିଜ ଅଭିଭାଷଣରେ ଯୁବଶକ୍ତି ଦେଶର ଅମୂଲ୍ୟ ସମ୍ପଦ ବୋଲି ଉଲ୍ଲେଖ କରିବା ସହ ନିଶାମୁକ୍ତ ଜୀବନ ଆପଣାଇ ସମାଜର ଉନ୍ନତିରେ ଯୁବପିଢ଼ିକୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ।

ନିଶାର କବଳରୁ ଯୁବସମାଜକୁ ମୁକ୍ତ କରି ଶିକ୍ଷା, କ୍ରୀଡ଼ା, ସେବା ଓ ସୃଜନଶୀଳ କାର୍ଯ୍ୟରେ ଯୁବକ-ଯୁବତୀଙ୍କୁ ସାମିଲ କରାଇବା ଦ୍ୱାରା ଏକ ସୁସ୍ଥ ଓ ସଶକ୍ତ ଭାରତ ଗଠନ ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା। ମୁଖ୍ୟ ଅତିଥି ଶ୍ରୀ ପ୍ରସାଦ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଯୁବକ-ଯୁବତୀମାନଙ୍କୁ ଅବଗତ କରିଥିଲେ। ଶେଷରେ ମାଇ ଭାରତ କନ୍ଧମାଳର ଜିଲ୍ଲା ଯୁବ ଅଧିକାରୀ ପ୍ରଶାନ୍ତ କୁମାର ଅତିଥିବୃନ୍ଦ ଓ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ।



Total Users : 6835