Headlines

ଶିମିଳିପାଳରେ ଦୁଃଖଦ ଘଟଣା: ମିଳିଲା ୫ ବର୍ଷୀୟା କଳା ବାଘୁଣୀର ମୃତଦେହ, OUATକୁ ଗଲା ନମୁନା

ଯଶୋବନ୍ତ ପରିଡା/ମୟୁରଭଞ୍ଜ/ କପ୍ତିପଦା ଉପଖଣ୍ଡ/ ୮୨୬ (ସମୀକ୍ଷା ନ୍ୟୁଜ):
ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ମର୍ମନ୍ତୁଦ ଖବର ସାମ୍ନାକୁ ଆସିଛି। ଅଭୟାରଣ୍ୟର ଦକ୍ଷିଣ ଡିଭିଜନ ଅଧୀନ ଉପର ବାରାହାକାମୁଡା (UBK) ରେଞ୍ଜରୁ ଏକ ପ୍ରାୟ ୫ ବର୍ଷ ବୟସର କଳା ବାଘୁଣୀ (ସ୍ୟୁଡୋ ମେଲାନିଷ୍ଟିକ) ର ମୃତଦେହ ଉଦ୍ଧାର କରାଯାଇଛି।
​ବନ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଗତ ୬ ତାରିଖ (ଗୁରୁବାର) ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ଜଟିଆଣି କ୍ୟାମ୍ପର ଦେଓ ନଦୀ ନିକଟରେ ଏହି କଳା ବାଘୁଣୀର ମୃତଦେହକୁ ଚିହ୍ନଟ କରିଥିଲେ। ପ୍ରାଥମିକ ନିରୀକ୍ଷଣରୁ ବାଘୁଣୀର ଶରୀର ତାଜା ଥିବା ଏବଂ ଶରୀରରେ କୌଣସି ସ୍ପଷ୍ଟ ଆଘାତ କିମ୍ବା ବାହ୍ୟ ଆକ୍ରମଣର ପ୍ରମାଣ ନଥିବା ଜଣାପଡ଼ିଛି।
​ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (NTCA) ର SOP ଅନୁସାରେ ଗତ ୭ ତାରିଖରେ ବାଘୁଣୀର ପୋଷ୍ଟମର୍ଟମ କରାଯାଇଛି। ବ୍ୟବଚ୍ଛେଦଠାରୁ ଆରମ୍ଭ କରି ମୃତଦେହ ଭସ୍ମ କରିବା ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟାକୁ ନିର୍ଦ୍ଧାରିତ ପ୍ରୋଟୋକଲ ଅନୁଯାୟୀ ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର କ୍ଷେତ୍ର ନିର୍ଦ୍ଦେଶକ ତଥା RCCF ଡାକ୍ତର ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ସମେତ ବନ ବିଭାଗର ପ୍ରାଣୀ ଚିକିତ୍ସକ, ମୋବାଇଲ୍ ଭେଟେରିନାରୀ ୟୁନିଟ୍, ୱାଇଲ୍ଡ ଲାଇଫ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ (WTI) ଏବଂ NTCA ର ପ୍ରତିନିଧିମାନେ ଏହି ପ୍ରକ୍ରିୟାରେ ସାମିଲ ଥିଲେ।
​ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବିଷାକ୍ତତା, ସଂକ୍ରମଣ ଏବଂ ଅନ୍ୟାନ୍ୟ ରୋଗଗତ କାରଣର ଯାଞ୍ଚ ପାଇଁ ଆବଶ୍ୟକ ଜୈବିକ ନମୁନାଗୁଡ଼ିକୁ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (OUAT) ର ବନ୍ୟପ୍ରାଣୀ ସ୍ୱାସ୍ଥ୍ୟ କେନ୍ଦ୍ର (CWH) କୁ ପଠାଯାଇଛି। ଲାବୋରେଟୋରି ରିପୋର୍ଟ ହାତକୁ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
​ବଢ଼ୁଛି ବାଘଙ୍କ ସଂଖ୍ୟା:
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଅଧୀନ ବନ୍ୟପ୍ରାଣୀ ବିଭାଗର ସଦ୍ୟତମ କ୍ୟାମେରା ଟ୍ରାପ୍ ସର୍ବେକ୍ଷଣ ଅନୁସାରେ, ଶିମିଳିପାଳରେ ବାଘଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏଠାରେ ମୋଟ ୩୫ଟି ବାଘ (୧୭ଟି ପୁରୁଷ ଓ ୧୮ଟି ମାଈ ବାଘ) ରହିଛନ୍ତି। ସେଥିମଧ୍ୟରୁ ୧୯ଟି କଳା ବାଘ (ସ୍ୟୁଡୋ-ମେଲାନିଷ୍ଟିକ୍) ଥିବାବେଳେ ୧୬ଟି ଶାବକ ରହିଛନ୍ତି। ଏଭଳି ପରିସ୍ଥିତିରେ ଏକ ଯୁବ କଳା ବାଘୁଣୀର ଅକାଳ ମୃତ୍ୟୁ ବନ୍ୟପ୍ରାଣୀ ପ୍ରେମୀଙ୍କ ମଧ୍ୟରେ ଗଭୀର ଚିନ୍ତା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *