ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ବଡ଼ସାହି/ସମୀକ୍ଷା ନ୍ୟୁଜ:
୨୨/୦୯/୨୬ – ସେନାବାହିନୀର ଅବସରପ୍ରାପ୍ତ ଓ କାର୍ଯ୍ୟରତ ସେନାକର୍ମୀ, ପୂର୍ବତନ ସେନାକର୍ମୀ ଏବଂ ସେମାନଙ୍କ ପରିବାରବର୍ଗଙ୍କ ସୁବିଧା ନିମନ୍ତେ ରାଇରଙ୍ଗପୁରର ବିକାଶନଗର ଠାରେ ଚଳିତ ୨୪ ସେପ୍ଟେମ୍ବର, ଗୁରୁବାର ଏକ ୟୁନିଟ ରନ କ୍ୟାଣ୍ଟିନ୍(ୟୂ ଆର ସି )ର ଶୁଭ ଉଦ୍ଘାଟନ ହେବା ନେଇ ସୂଚନା ମିଳିଛି । ଏହି ଅବସରରେ ମଙ୍ଗଳବାର ଏକ ଆୟୋଜିତ ସମ୍ମିଳନୀରେ ପୂର୍ବତନ ସେନାବାହିନୀ ଅଧିକାରୀ ମେଜର ଦେବେନ୍ଦ୍ର ନାଥ ଦାସ ସୂଚନା ଦେଇ କହିଲେ ଯେ, ଉକ୍ତ ଉଦ୍ଘାଟନୀ ଉତ୍ସବରେ ସେନାବାହିନୀର ଅଧିକାରୀ, ପୂର୍ବତନ ସେନାକର୍ମୀ, ସ୍ଥାନୀୟ ପ୍ରଶାସନର ଅଧିକାରୀ, ବିଭିନ୍ନ ବିଭାଗର ପ୍ରତିନିଧି ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ସାମିଲ ହେବେ । ରାଇରଙ୍ଗପୁର ଅଞ୍ଚଳରେ ୟୁନିଟ୍ ରନ୍ କ୍ୟାଣ୍ଟିନ୍ର ଶୁଭାରମ୍ଭ ସେନାକର୍ମୀ ଓ ପୂର୍ବତନ ସେନାକର୍ମୀଙ୍କ କଲ୍ୟାଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ସୁବିଧା ଭାବେ ପରିଗଣିତ ହେବ ଏବଂ ତାଙ୍କ ଦ୍ବାରା ପ୍ରତିଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ସଂଗ୍ରହ ପାଇଁ ଆଉ ଦୂରକୁ ଯିବାର ଆବଶ୍ୟକତା ପଡିବନାହିଁ ।

ଏହି କ୍ୟାଣ୍ଟିନ୍ ସ୍ଥାପନ ଦ୍ୱାରା ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ସହ ରାଇରଙ୍ଗପୁର ତଥା ଏହାର ଆଖପାଖ ଅଞ୍ଚଳରେ ରହୁଥିବା ସେନାକର୍ମୀ, ପୂର୍ବତନ ସେନାକର୍ମୀ ଏବଂ ସେମାନଙ୍କ ପରିବାରବର୍ଗ ଆବଶ୍ୟକୀୟ କ୍ୟାଣ୍ଟିନ୍ ସାମଗ୍ରୀ ପାଇବାରେ ଅଧିକ ସୁବିଧା ପାଇପାରିବେ । ଏହି କ୍ୟାଣ୍ଟିନ ରାଇରଙ୍ଗପୁର ସହରର ବିକାଶ ନଗର ସ୍ଥିତ ସ୍ୱଜଳ ଧାରା ଗୃହ ଠାରେ ଶୁଭ ଉନ୍ମୋଚନ ହେବ । ଗୁରୁବାର, ସକାଳ ୯ ଘଟିକା ସମୟରେ ଛତିଶଗଡ଼ ଓ ଓଡିଶା ସବ ଏରିଆର କମାଣ୍ଡର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବେ । ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ସମ୍ମିଳନୀରେ କ୍ୟାପଟେନ ଗୁରୁ ଚରଣ ହେମ୍ବ୍ରମ, ଫ୍ଲାୟିଙ୍ଗ ଅଫିସର ଜୟ ନାରାୟଣ ବେହେରା ଓ ସୁବେଦାର ମେଜର ପ୍ରଶାନ୍ତ କୁମାର ଗିରି, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ରହିଥିଲେ । ଉକ୍ତ ଖବରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି ।






