ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ
ପାରାଦୀପ, ୨୩/୯: ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜାର ଭସାଣି ଯାତ୍ରା ବୁଧବାର ତୁହାକୁ ତୁହା ବର୍ଷା ସତ୍ତ୍ୱେ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଛି। ଲଘୁଚାପଜନିତ ବର୍ଷା ଯୋଗୁଁ ପାରାଦୀପର ପୂଜା ପରିବେଶ କିଛିଟା ପ୍ରଭାବିତ ହୋଇଥିଲେ ମଧ୍ୟ ପୂଜା କମିଟି ଓ ଶ୍ରଦ୍ଧାଳୁଙ୍କ ଉତ୍ସାହରେ କୌଣସି କମି ଦେଖାଯାଇନଥିଲା।
ଚଳିତ ବର୍ଷ ପାରାଦୀପରେ ବିଶ୍ୱକର୍ମା ପୂଜା ୭ ଦିନ ଧରି ଆୟୋଜିତ ହୋଇଥିଲା। ଲଘୁଚାପଜନିତ ବର୍ଷାକୁ ଦୃଷ୍ଟିରେ ରଖି ମଝିରେ କିଛି ଦିନ ପାଗ ଅନୁକୂଳ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ପରିସ୍ଥିତିକୁ ବିଚାର କରି ଭସାଣି ଯାତ୍ରା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ଆଜି ଦିନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିଭିନ୍ନ ପୂଜା କମିଟି ପକ୍ଷରୁ ମୋଟ ୧୧ଟି ମେଢ଼ର ଭସାଣି ଯାତ୍ରା କରାଯାଇଥିଲା। ବର୍ଷାକୁ ଖାତିର ନକରି ପୂଜା କମିଟିର ସଦସ୍ୟ, ଶ୍ରଦ୍ଧାଳୁ ଓ ଭାଇମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବାଜା, ଢୋଲ, ନାଚ ଓ ଗୀତର ତାଳେ ଶୋଭାଯାତ୍ରା ପାରାଦୀପ ସହରକୁ ଉତ୍ସବମୁଖର କରିଥିଲା।
ଭସାଣି ଯାତ୍ରାରେ ପାରାଦୀପ ଟ୍ରକ୍ ଓନର୍ସ ଆସୋସିଏସନ୍, ଜଗନ୍ନାଥ ଟ୍ରକ୍ ଓନର୍ସ ଆସୋସିଏସନ୍, ଓଡ଼ିଶା ମେରାଇନ୍ ଫିସ୍ ପ୍ରୋଡ୍ୟୁସର୍ସ ଆସୋସିଏସନ୍, ଭାରତୀୟ ବନ୍ଦର ମଜଦୁର ସଂଘ, ମେରାଇନ୍ ଆଣ୍ଡ ଗ୍ୟାସ୍ ଟ୍ୟାଙ୍କର୍ ଓନର୍ସ ଆସୋସିଏସନ୍, କଳିଙ୍ଗା ଟ୍ରେଲର୍ ଓନର୍ସ ଆସୋସିଏସନ୍ ଏବଂ ବାଲାଜୀ କଣ୍ଟେନର୍ କ୍ୟାରିଅର୍ ଓନର୍ସ ଆସୋସିଏସନ୍ ସମେତ ବିଭିନ୍ନ ପୂଜା କମିଟି ଅଂଶଗ୍ରହଣ କରିଥିଲେ।

ବର୍ଷା ମଧ୍ୟରେ ମଧ୍ୟ ଭସାଣି ଶୋଭାଯାତ୍ରାରେ ଶ୍ରଦ୍ଧାଳୁଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା। ଦେବଶିଳ୍ପୀ ଭଗବାନ ବିଶ୍ୱକର୍ମାଙ୍କ ମୂର୍ତ୍ତିକୁ ଶୋଭାଯାତ୍ରାରେ ନେଇ ଯାଇ ପୂଜା କମିଟିଗୁଡ଼ିକ ପାରମ୍ପରିକ ରୀତିନୀତିରେ ବିଦାୟ ଜଣାଇଥିଲେ। ବିଶ୍ୱକର୍ମାଙ୍କ ଆଗମନରେ ଯେପରି ପାରାଦୀପ ଉତ୍ସବମୁଖର ହୋଇଥିଲା, ସେହିପରି ଭସାଣି ଯାତ୍ରାରେ ମଧ୍ୟ ଉତ୍ସାହର ପରିବେଶ ଦେଖିବାକୁ ମିଳିଥିଲା।






