ଭଗବାନ ମହାନ୍ତି/ମୁରିବାହାଲ/ ସମୀକ୍ଷା ନ୍ୟୁଜ
ମୁରିବାହାଲ, ତା ୨୬/୦୯/୨୬ :ବଲାଙ୍ଗୀର ଜିଲ୍ଲା ମୁରିବାହାଲ ରେଞ୍ଜ ମାଲିଶିରା ପଞ୍ଚାୟତ ଅନ୍ତର୍ଗତ ଭୁତିଶଢା ଗାଁରେ ୧୮ ଟିକିଆ ହାତୀପଲ ବଣୁଆ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ରହେନ ଚୁଆଁ ବାମନି ଡଙ୍ଗର ପଟରୁ ହାତୀପଲ ଆସି ପ୍ରଥମେ ଚାଷୀ ବେଣୁଧର ଭୋଇଙ୍କ ପୁଟଲ ଚାଷ ନଷ୍ଟ କରିବା ସହ ବୋରୱେଲକୁ ଉପାଡ଼ି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥିଲେ। ପରେ ତାଙ୍କ ଭାଇ ଉଜ୍ଜ୍ୱଳ ଭୋଇଙ୍କ ଆଜବେଷ୍ଟର ଘର ଏବଂ ସୁରଜ ଭୋଇ ଓ ଭୁବନ ଭୋଇଙ୍କ ଘର ଭାଙ୍ଗିବା ସହ ଅନେକ ଚାଷୀଙ୍କ କ୍ଷୟ କ୍ଷତି କରିଥିବା ଅଭିଯୋଗ ହୋଇଛି । କିଛିଦିନ ପୂର୍ବରୁ ଗୁଡିଘାଟ ପଞ୍ଚାୟତ ବିଭିନ୍ନ ଗ୍ରାମରେ ହାତୀପଲ ୫ଟି ଗାଈ, ବଳଦ ଓ ମଇଁଷିଙ୍କୁ ମାରି ଦେଇଥିଲେ। ଏହା ପୂର୍ବରୁ ଦୁଇ ଜଣଙ୍କର ଜୀବନ ମଧ୍ୟ ଯାଇଛି। ଫଳରେ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଲୋକେ ଆତଙ୍କିତ ଅବସ୍ଥାରେ ଥିବା ବେଳେ ରାତିରେ ଘରୁ ବାହାରିବାକୁ ଭୟ କରୁଛନ୍ତି।ଗତ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଛି। ହାତୀପଲ ଗାଁ ମୁହାଁ ହୋଇ ଘରଦ୍ୱାର ଭାଙ୍ଗିବା, ଫସଲ ନଷ୍ଟ କରିବା ସହ ଗୃହପାଳିତ ପଶୁଙ୍କୁ ଆକ୍ରମଣ କରି ମାରି ଦେଉଥିବାରୁ ଚାଷୀମାନେ ବାରମ୍ବାର କ୍ଷତିଗ୍ରସ୍ତ ହେଉଛନ୍ତି।

ସୂଚନା ପାଇ ଫରେଷ୍ଟର ମନୋଜ ଦଣ୍ଡସେନା ଓ ଫରେଷ୍ଟଗାର୍ଡ ସୁରେନ୍ଦ୍ର ମହାରଣା ଗାଁରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିବା ସହ କ୍ଷତିପୂରଣ ପାଇଁ ଅନଲାଇନ ଆବେଦନ କରିବାକୁ କହିଥିଲେ। ହାତୀ ଉପଦ୍ରବ ରୋକିବା ସହ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାୟୀ ପଦକ୍ଷେପ ନିଆଯାଉ, ହାତୀଙ୍କ ଉପସ୍ଥିତି ସମ୍ପର୍କରେ ବନ ବିଭାଗ କର୍ମଚାରୀ ଠିକ୍ ଭାବେ ସୂଚନା ଦିଅନ୍ତୁ ଏବଂ କ୍ଷତିଗ୍ରସ୍ତ ଚାଷୀଙ୍କୁ ଶୀଘ୍ର କ୍ଷତିପୂରଣ ଦିଆଯାଉ ବୋଲି ଚାଷୀମାନେ ଦାବି କରିଛନ୍ତି।





