ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା
ଝାରସୁଗୁଡ଼ା,୨୬/୯ : ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିନା ଲାଇସେନ୍ସରେ ନକଲି ପାଣି ବୋତଲ ଓ ପାନୀୟଜଳ ବିକ୍ରି ହେଉଥିବା ଅଭିଯୋଗ ଉଠିଛି l ବିଶେଷକରି ବିଭିନ୍ନ ଦୋକାନ, ହୋଟେଲ, ଜଳଖିଆ ଦୋକାନ, ରାସ୍ତାକଡ଼ ଠେଲାଗାଡ଼ି ଓ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନରେ ବିକ୍ରି ହେଉଥିବା ବୋତଲବନ୍ଦ ପାଣିର ମାନ ନେଇ ପ୍ରଶ୍ନ ଉଠିଛି l ନିୟମିତ ଭାବେ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଉନଥିବାରୁ ଏହି କାରବାର ବଢ଼ିବା ସହ ଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ବଢ଼ୁଥିବା ଅଭିଯୋଗ ହୋଇଛି l ସହରରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ପାଣି ବୋତଲ ସହ ଅନେକ ଅଜଣା କମ୍ପାନୀର ପାଣି ମଧ୍ୟ ବିକ୍ରି ହେଉଛି l ବୋତଲରେ ଉତ୍ପାଦନ ତାରିଖ, ବ୍ୟବହାର ଅବଧି, ଲାଇସେନ୍ସ ନମ୍ବର ଓ ଅନ୍ୟାନ୍ୟ ଆବଶ୍ୟକ ତଥ୍ୟ ଠିକ୍ ଭାବେ ଉଲ୍ଲେଖ ହୋଇଛି କି ନାହିଁ, ତାହା ଯାଞ୍ଚ ହେଉନଥିବା ଅଭିଯୋଗ ହେଉଛି l
“ଲାଇସେନ୍ସ ଓ ଗୁଣବତ୍ତା ଯାଞ୍ଚ ଜରୁରୀ”
ବୋତଲବନ୍ଦ ପାଣିକୁ ନେଇ ଖାଦ୍ୟ ସୁରକ୍ଷା ଓ ମାନଦଣ୍ଡ ସମ୍ପର୍କିତ ନିୟମ ରହିଛି l ପାଣିର ଗୁଣବତ୍ତା, ପ୍ୟାକେଜିଂ, ସଂରକ୍ଷଣ ଓ ବିକ୍ରି ବ୍ୟବସ୍ଥା ନିୟମ ଅନୁଯାୟୀ ହେବା ଆବଶ୍ୟକ l ଏଥିପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ସମୟ ସମୟରେ ନମୁନା ସଂଗ୍ରହ କରି ଗୁଣବତ୍ତା ପରୀକ୍ଷା କରାଯିବା ଆବଶ୍ୟକ l ମାତ୍ର ବଜାରରେ ଉପଲବ୍ଧ ବୋତଲକୁ ଯାଞ୍ଚ ନକରି ବିକ୍ରି ହେବାକୁ ଦିଆଯାଇଲେ ଗ୍ରାହକମାନେ ନିରାପଦ ପାଣି ପାଉଛନ୍ତି କି ନାହିଁ, ତାହା ନେଇ ସନ୍ଦେହ ରହିବା ସ୍ୱାଭାବିକ l ଯାତ୍ରୀ, ଛାତ୍ରଛାତ୍ରୀ, ଶ୍ରମିକ ଓ ବାହାରୁ ଆସୁଥିବା ଲୋକମାନେ ରାସ୍ତାକଡ଼ ଦୋକାନ କିମ୍ବା ହୋଟେଲରୁ ପାଣି କିଣି ପିଇଥାନ୍ତି l ଏପରି ସ୍ଥଳରେ ବିକ୍ରି ହେଉଥିବା ପାଣିର ଉତ୍ସ ଓ ଗୁଣବତ୍ତା ଯାଞ୍ଚ ନହେଲେ ଦୂଷିତ ପାଣି ଯୋଗୁଁ ଜଳବାହିତ ରୋଗର ଆଶଙ୍କା ରହିଥାଏ l

“ଖୋଲା ବଜାରରେ ବିକ୍ରି, ନଜରଦାରି ନେଇ ପ୍ରଶ୍ନ”
ଅନ୍ୟପକ୍ଷରେ ସହରର ବିଭିନ୍ନ ଦୋକାନରେ ଥଣ୍ଡା ପାନୀୟ, ଜୁସ୍ ଓ ଅନ୍ୟାନ୍ୟ ପ୍ୟାକେଜ୍ଡ୍ ପାନୀୟ ମଧ୍ୟ ବିକ୍ରି ହେଉଛି l ଏଗୁଡ଼ିକର ମାନ, ଲେବଲ, ଉତ୍ପାଦନ ଓ ମିଆଦ ତାରିଖ ଯାଞ୍ଚ କରାଯିବା ଆବଶ୍ୟକ l ସହରରେ ଖାଦ୍ୟ ଓ ପାନୀୟ ସାମଗ୍ରୀର ନମୁନା ସଂଗ୍ରହ କରି ନିୟମିତ ପରୀକ୍ଷା କରାଯାଉଛି କି ନାହିଁ, ତାହା ନେଇ ଉପଭୋକ୍ତା ମହଲରେ ପ୍ରଶ୍ନ ଉଠିଛି l କେବଳ ପର୍ବପର୍ବାଣୀ କିମ୍ବା ଅଭିଯୋଗ ଆସିଲେ ଚଢ଼ଉ କରିବା ବଦଳରେ ନିୟମିତ ଯାଞ୍ଚ ଓ ନମୁନା ପରୀକ୍ଷା ବ୍ୟବସ୍ଥାକୁ ଜୋରଦାର କରିବାକୁ ଦାବି ହେଉଛି l
“ଜନସ୍ୱାସ୍ଥ୍ୟ ପାଇଁ ନିୟମିତ ଯାଞ୍ଚ ଦାବି”
ପାଣି ମଣିଷର ମୌଳିକ ଆବଶ୍ୟକତା l ତେଣୁ ପାଣିର ଗୁଣବତ୍ତା ସହ କୌଣସି ପ୍ରକାର ସାଲିସ ଜନସ୍ୱାସ୍ଥ୍ୟ ପାଇଁ ଚିନ୍ତାଜନକ ହୋଇପାରେ l ନକଲି କିମ୍ବା ନିମ୍ନମାନର ପାଣି ବିକ୍ରି ହେଉଥିଲେ ସମ୍ପୃକ୍ତ ବିକ୍ରେତା ଓ ଉତ୍ପାଦକଙ୍କ ବିରୋଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ l ସେହିପରି ବିଭାଗୀୟ ଅଧିକାରୀମାନେ ଦୋକାନ, ହୋଟେଲ, ଜଳଖିଆ କେନ୍ଦ୍ର, ଠେଲାଗାଡ଼ି ଓ ଅନ୍ୟାନ୍ୟ ବିକ୍ରୟସ୍ଥଳରେ ଅଚାନକ ଯାଞ୍ଚ କରିବା ସହ ବୋତଲବନ୍ଦ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରିବାକୁ ଦାବି ହେଉଛି l ଯାଞ୍ଚ ସମୟରେ ଲାଇସେନ୍ସ, ଲେବଲ, ମାନଦଣ୍ଡ, ସଂରକ୍ଷଣ ପ୍ରଣାଳୀ ଓ ପାଣିର ଉତ୍ସ ଯାଞ୍ଚ କରାଯିବା ଆବଶ୍ୟକ l ଲୋକଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ ଏହି ପ୍ରସଙ୍ଗରେ ଖାଦ୍ୟ ସୁରକ୍ଷା ବିଭାଗ ଓ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ନିୟମିତ ଯାଞ୍ଚ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହୋଇଛି l ଗୁଣବତ୍ତାହୀନ ପାଣି ଓ ପାନୀୟର କାରବାର ରୋକିବା ସହ ଉପଭୋକ୍ତାଙ୍କୁ ନିରାପଦ ପାନୀୟ ଯୋଗାଇବା ପ୍ରଶାସନର ପ୍ରାଥମିକ ଦାୟିତ୍ୱ ବୋଲି ମତ ପ୍ରକାଶ ପାଇଛି l





