ଅକ୍ଷୟ କୁମାର ସାହୁ / ସମୀକ୍ଷା ପ୍ରତିନିଧି / ଚିକିଟୀ
ଚିକିଟୀ — ଚିକିଟୀ ଫାଣ୍ଡି ଅନ୍ତର୍ଗତ ଇମୋଜୀ ହୋଟେଲ ନିକଟରେ ଗୁରୁବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ବୁଲେଟ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍କୁଟିରେ ଚିକିଟୀ ପେଣ୍ଠ ଅଞ୍ଚଳର ସୁମନ ସେଠୀ (୨୦) ଓ ରାଜେଶ ପଟ୍ଟନାୟକ (୨୦) ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବୁଲେଟ୍ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ବୁଲେଟ୍ରେ ବୀର ସିଂହ ଲକ୍ଷ୍ମୀ ନାରାୟଣ ପୁର (ସାରୁ ସନ୍ଧିଗାଁ) ଅଞ୍ଚଳର ଶୁଭମ୍ ପ୍ରଧାନ (୨୦) ଓ ଢେପଗାଁ ଅଞ୍ଚଳର ସଂଗ୍ରାମ ନାୟକ (୨୨)ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାର ଶବ୍ଦ ଶୁଣି ନିକଟସ୍ଥ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ପରେ ସମସ୍ତଙ୍କୁ ଚିକିଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ମାନେ ପ୍ରାଥମିକ ଚିକିତ୍ସା କରିଥିଲେ। ତେବେ ଆହତ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ଆବଶ୍ୟକ ହୋଇଥିଲା। ଏହାପରେ ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
ଖବର ପାଇ ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ଦୁଇଟି ଗାଡ଼ିକୁ ନେଇ ଦୁର୍ଘଟଣାର କାରଣ ଓ ପରିସ୍ଥିତି ସମ୍ପର୍କରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।






