ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ:
ଝାରସୁଗୁଡ଼ା, ୧୯/୧୦ : ଅପରାଧ ନିୟନ୍ତ୍ରଣ ଅଭିଯାନରେ ଝାରସୁଗୁଡ଼ା ପୁଲିସକୁ ସୋମବାର ସକାଳେ ମିଳିଛି ଏକ ବଡ଼ ସଫଳତା l ଓରିଏଣ୍ଟ ଥାନା ଅନ୍ତର୍ଗତ ଆମଦରହ ଜଙ୍ଗଲ ନିକଟରେ ପୁଲିସ ଓ ଜଣେ ଅଭିଯୁକ୍ତଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି l ପୁଲିସର ପାଲଟା ଗୁଳିରେ ହନୁମାନ ନଗର ଅଞ୍ଚଳର ବଣ୍ଟି ପ୍ରସାଦ ଆହତ ହୋଇଛି l ତା’ ନାଁରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଓ ବେଆଇନ ଅସ୍ତ୍ର କାରବାର ଭଳି ୧୭ଟି ମାମଲା ଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ଆହତ ବଣ୍ଟିକୁ ପୁଲିସ କାବୁ କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି l ପୁଲିସ ସୂଚନା ଅନୁଯାୟୀ, ଓରିଏଣ୍ଟ ଥାନା କେସ୍ ନଂ ୨୪୯/୨୦୨୬ ମାମଲାରେ ବଣ୍ଟିକୁ ଧରିବା ପାଇଁ ପୁଲିସ ତଲାସ ଜାରି ରଖିଥିଲା l ଗତକାଲି କୋଇଲା କରିଡରର ପାର୍କିଂ ସୁପରଭାଇଜର କାର୍ତ୍ତିକ ଲୁହାରଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିବା ଓ ଜୀବନରୁ ମାରିଦେବାକୁ ଧମକ ଦେବା ନେଇ ଓରିଏଣ୍ଟ ଥାନାରେ ଏକ ବେଆଇନ ଚାନ୍ଦା ଆଦାୟ ମାମଲା ରୁଜୁ ହୋଇଥିଲା l

ଏହାପରେ ପୁଲିସ ତରଫରୁ ଏକ ସ୍ପେଶାଲ୍ ଟିମ୍ ଗଠନ କରାଯାଇ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି ରେଡ୍ଡୀ l ଆଜି ସକାଳ ପ୍ରାୟ ୬ଟାରେ ସେ ଆମଦରହ ଜଙ୍ଗଲ ନିକଟରେ ଲୁଚିଥିବା ଖବର ପାଇ ଓରିଏଣ୍ଟ ଥାନାର ଏକ ସ୍ୱତନ୍ତ୍ର ଟିମ୍ କମ୍ବିଂ ଅପରେସନ ଆରମ୍ଭ କରିଥିଲା l ପୁଲିସ ଟିମ୍ ଘେରାବନ୍ଦୀ କରୁଥିବା ଦେଖି ବଣ୍ଟି ଗୁଳିଚାଳନା କରିଥିବା ବେଳେ ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା l ଏଥିରେ ବଣ୍ଟିର ବାମ ଗୋଡ଼ରେ ଗୁଳି ବାଜିବା ପରେ ପୁଲିସ ତାକୁ କାବୁ କରିଥିଲା l ଘଟଣାସ୍ଥଳରୁ ଏକ ବେଆଇନ ମାରଣାସ୍ତ୍ର ଜବତ ହୋଇଥିବା ଏସପି ରେଡ୍ଡୀ ସୂଚନା ଦେଇଛନ୍ତି l ଆହତ ଅଭିଯୁକ୍ତକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି l ପୁଲିସ ରେକର୍ଡ ଅନୁସାରେ, ବଣ୍ଟି ବିରୋଧରେ ଝାରସୁଗୁଡ଼ା, ବ୍ରଜରାଜନଗର ଓ ଓରିଏଣ୍ଟ ଥାନାରେ ୧୭ଟି ସଙ୍ଗୀନ ମାମଲା ରହିଛି l ଏହି ମାମଲାଗୁଡ଼ିକରେ ହତ୍ୟା ଉଦ୍ୟମ, ଡକାୟତି ଯୋଜନା, ସଙ୍ଗଠିତ ଅପରାଧ ଓ ବେଆଇନ ବନ୍ଧୁକ କାରବାର ଭଳି ଅଭିଯୋଗ ରହିଛି l ଏହି ଘଟଣା ଜିଲ୍ଲାରେ ଅପରାଧୀଙ୍କ ଗତିବିଧି ଓ ବେଆଇନ ଅସ୍ତ୍ର କାରବାର ଉପରେ ପୁଲିସର ନଜରକୁ ପୁଣି ଚର୍ଚ୍ଚାକୁ ଆଣିଛି l ଝାରସୁଗୁଡ଼ା ଏସ୍ପି ଗୁଣ୍ଡାଲା ରେଡ୍ଡି ରାଘବେନ୍ଦ୍ର କହିଛନ୍ତି, ଜିଲ୍ଲାରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ସଙ୍ଗଠିତ ଅପରାଧ ଓ ବେଆଇନ ମାରଣାସ୍ତ୍ର କାରବାର ଦମନ କରିବା ପୁଲିସର ପ୍ରାଥମିକତା l ଆତ୍ମରକ୍ଷା ଉଦ୍ଦେଶ୍ୟରେ ପୁଲିସ ପାଲଟା ଗୁଳିଚାଳନା କରିଥିବା ସେ କହିଛନ୍ତି l ଏଥିସହ ଘଟଣାରେ ସମ୍ପୃକ୍ତ ଅନ୍ୟ ସହଯୋଗୀ ଓ ଅସ୍ତ୍ର ଯୋଗାଣକାରୀଙ୍କୁ ଚିହ୍ନଟ କରିବା ସହ ସମଗ୍ର ନେଟୱାର୍କର ତଦନ୍ତ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି l




