ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ:୧୨/୧୦
ଝାରସୁଗୁଡ଼ା ପୌରାଞ୍ଚଳର ଭିତ୍ତିଭୂମି ବିକାଶକୁ ଆଗେଇ ନେବା ଲକ୍ଷ୍ୟରେ ସହରର ବିଭିନ୍ନ ୱାର୍ଡରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି l ୩୦ ଲକ୍ଷ ଟଙ୍କାରେ ଦୁଇ ପ୍ରକଳ୍ପର ଶୁଭାରମ୍ଭ ,୨୦ ଲକ୍ଷରେ ନିର୍ମିତ ରାସ୍ତା ଉଦ୍ଘାଟିତ ଏହି କ୍ରମରେ ସୋମବାର ୱାର୍ଡ ନମ୍ବର ୧୫ର ବାବୁପଡ଼ା ଏବଂ ୱାର୍ଡ ନମ୍ବର ୧୬ର ଗାୟତ୍ରୀ ବିହାର ଅଞ୍ଚଳରେ ମୋଟ ୩୦ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ଓ ଡ୍ରେନ୍ ନିର୍ମାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି l ଏଥିସହ ପୂର୍ବରୁ ନିର୍ମାଣ ଶେଷ ହୋଇଥିବା ଭୁଲିଆପଡ଼ା ବାବୁପଡ଼ା ସଂଯୋଗୀକରଣ ରାସ୍ତାକୁ ପୌରାଧ୍ୟକ୍ଷା ରାନୀ ହାତୀ ଉଦ୍ଘାଟନ କରିଛନ୍ତି l ପୌର ପରିଷଦ ସୂତ୍ରରୁ ପ୍ରକାଶ ଯେ, ବାବୁପଡ଼ା ଅଞ୍ଚଳରେ ରାସ୍ତା ଓ ଡ୍ରେନ୍ ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ଏବଂ ଗାୟତ୍ରୀ ବିହାରରେ ସମାନ କାର୍ଯ୍ୟ ନିମନ୍ତେ ଆଉ ୧୫ ଲକ୍ଷ ଟଙ୍କା ବ୍ୟୟ ହେବ l

ଏହି ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ ହେଲେ ଅଞ୍ଚଳବାସୀଙ୍କ ଯାତାୟାତ ସୁଗମ ହେବା ସହ ଜଳ ନିଷ୍କାସନ ସମସ୍ୟାରେ ଉଲ୍ଲେଖନୀୟ ସୁଧାର ଆସିବ ବୋଲି ଆଶା କରାଯାଉଛି l ସୂଚନାଯୋଗ୍ୟ, ୨୦୨୫ ଅକ୍ଟୋବରରେ ପ୍ରବଳ ବର୍ଷା ଯୋଗୁଁ ପୁରୁଣାବସ୍ତି ପୋଖରୀ ଭୁଶୁଡ଼ି ପଡ଼ିବା ସହ ଭୁଲିଆପଡ଼ା ଓ ବାବୁପଡ଼ାକୁ ସଂଯୋଗ କରୁଥିବା ରାସ୍ତା ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା l ଫଳରେ ଉଭୟ ଅଞ୍ଚଳର ଲୋକଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା l ପରିସ୍ଥିତିର ସମୀକ୍ଷା ପରେ ପୌର ପରିଷଦ ପକ୍ଷରୁ ୨୦ ଲକ୍ଷ ଟଙ୍କା ବ୍ୟୟରେ ଉକ୍ତ ରାସ୍ତାର ପୁନଃନିର୍ମାଣ କରାଯାଇଥିଲା l ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ସୋମବାର ଏହି ରାସ୍ତାର ଲୋକାର୍ପଣ କରାଯାଇଛି l ଆଗାମୀ ଦିନରେ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ରାସ୍ତା, ଡ୍ରେନ୍, ବିଦ୍ୟାଳୟ ଗୃହ ଓ ପାର୍କ ନିର୍ମାଣ ସମେତ ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟକୁ ପର୍ଯ୍ୟାୟକ୍ରମେ ଆଗେଇ ନିଆଯିବ ବୋଲି ପୌରାଧ୍ୟକ୍ଷା ରାନୀ ହାତୀ କହିଛନ୍ତି l ଏହି ଅବସରରେ ୱାର୍ଡ ନମ୍ବର ୧୫ର କାଉନସିଲର ଝରଣା ଭୋଇ, ୱାର୍ଡ ନମ୍ବର ୧୬ର କାଉନସିଲର ନବନୀତ କୌରଙ୍କ ସମେତ ଧୀରେନ ସିଂଦେଓ, ଶ୍ୟାମଲାଲ ଘୋଷ, ସୁଶୀଲ ସାହୁ, ସଂଜୁଲତା ବାଗ, ପ୍ରୀତି ବାଗ, ଯମୁନା ବାଗ, ଗୋକୁଳ ମେହେର ଓ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ l



