ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ:
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ CRPF ୬୪ତମ ବାଟାଲିୟନ ପରିସରରେ ଗୁରୁବାର ବାଟାଲିୟନର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ନକ୍ସଲ ବିରୋଧୀ ଅଭିଯାନରେ ନିୟୋଜିତ ଏହି ବାଟାଲିୟନର ଅଧିକାରୀ, ଅଧିନସ୍ଥ ଅଧିକାରୀ ଓ ଯବାନମାନେ ଦିବସଟିକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରିଥିଲେ।

ପ୍ରତିଷ୍ଠା ଦିବସ ଅବସରରେ ‘ଗୋଟିଏ ଦିନ, ଗୋଟିଏ ଘଣ୍ଟା, ଏକାଠି’ ବିଷୟବସ୍ତୁକୁ ନେଇ ସ୍ୱଚ୍ଛତା ଅଭିଯାନ ଆୟୋଜିତ ହୋଇଥିଲା। ବାଟାଲିୟନର ଅଧିକାରୀ ଓ ଯବାନମାନେ ମିଳିତ ଭାବେ ପରିସର ଓ ଆଖପାଖ ଅଞ୍ଚଳରେ ସଫେଇ କରିବା ସହ ସ୍ୱଚ୍ଛ ପରିବେଶ ବଜାୟ ରଖିବାର ବାର୍ତ୍ତା ଦେଇଥିଲେ।
ସେହିପରି ସନ୍ଧ୍ୟାରେ ଯବାନମାନଙ୍କ ପାଇଁ ଭଲିବଲ୍ ଓ ରଶି ଟଣା ଭଳି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ଯବାନମାନେ ଉତ୍ସାହର ସହ ଭାଗ ନେଇଥିଲେ।
ପରେ ରାତିରେ ଅଧିକାରୀ, କର୍ମଚାରୀ ଓ ନିମନ୍ତ୍ରିତ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ‘ବାରାଖାନା’ ଆୟୋଜନ କରାଯାଇଥିଲା। ଏହା ସହିତ ୬୪ତମ ବାଟାଲିୟନର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସାହ ଓ ଭାଇଚାରାର ପରିବେଶ ମଧ୍ୟରେ ସମାପ୍ତ ହୋଇଥିଲା।




