ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ, ତା ୧୧/୧୦/୨୬ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ବଡ଼ସାଇମରା ପଞ୍ଚାୟତ ଅନ୍ତର୍ଗତ ଟେଙ୍ଗରା ଗ୍ରାମର ଜଣେ ଗର୍ଭବତୀଙ୍କୁ ଆଣିବାକୁ ଯାଇଥିବା ୧୦୮ ଆମ୍ବୁଲାନ୍ସରେ ସୁରକ୍ଷିତ ପ୍ରସବ ହୋଇଛି। ଜରୁରୀକାଳୀନ ପରିସ୍ଥିତିରେ ଫାର୍ମାସିଷ୍ଟ ମାନବିକତାର ପରିଚୟ ଦେଇଛନ୍ତି। ସୂଚନା ଅନୁଯାୟୀ, ଟେଙ୍ଗରା ଗ୍ରାମର ଧୀରେନ୍ଦ୍ର ବାଗଙ୍କ ସ୍ତ୍ରୀ ଗୀତା ବାଗଙ୍କୁ ପ୍ରସବ ବେଦନା ହେବାରୁ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା। ଫାର୍ମାସିଷ୍ଟ ପ୍ରଦୀପ କୁମାର ପୁଟେଲ ଗର୍ଭବତୀଙ୍କୁ ଆଣିବାକୁ ଯାଉଥିବା ବେଳେ ରାସ୍ତାରେ ତାଙ୍କର ପ୍ରସବ ବେଦନା ବଢ଼ି ଯାଇଥିଲା। ଏହି ସମୟରେ ଫାର୍ମାସିଷ୍ଟ ପ୍ରଦୀପ ପୁଟେଲ ନିଜ ଅଭିଜ୍ଞତା ଓ ସାହସର ପରିଚୟ ଦେଇ ଆମ୍ବୁଲାନ୍ସ ଭିତରେ ହିଁ ସୁରକ୍ଷିତ ଭାବେ ଏକ ଶିଶୁକନ୍ୟାର ପ୍ରସବ କରାଇଥିଲେ। ପରେ ମା’ ଓ ଶିଶୁଙ୍କୁ ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ୧୦୮ ଆମ୍ବୁଲାନ୍ସ ଟିମ୍ ବେଶ୍ ତତ୍ପରତା ଦେଖାଇଥିଲେ। ଏହି ମହତ କାର୍ଯ୍ୟରେ ସହଯୋଗୀ ନବୀନ ସେଠ ଓ ଚାଳକ ବାବୁଲାଲ ସାହୁ ସହଯୋଗ କରିଥିଲେ।

ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ସୂଚନା ଅନୁଯାୟୀ, ଡାକ୍ତର ଛନ୍ଦା ଚରଣ ନନ୍ଦ ମା’ ଓ ଶିଶୁଙ୍କ ଚିକିତ୍ସା କରୁଛନ୍ତି। ଏହା ଗୀତା ବାଗଙ୍କ ଚତୁର୍ଥ ଗର୍ଭ ଥିଲା। ବର୍ତମାନ ଉଭୟ ମା’ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି। ଏଭଳି ମହାନ କାର୍ଯ୍ୟ କରିଥିବାରୁ ଫାର୍ମାସିଷ୍ଟ ପ୍ରଦୀପ ପୁଟେଲ ଓ ୧୦୮ ଆମ୍ବୁଲାନ୍ସ ଟିମ୍କୁ ସବୁ ମହଲରେ ଭୂରି ଭୂରି ପ୍ରଶଂସା କରାଯାଉଛି।





