ସମୀକ୍ଷା ବ୍ୟୁରୋ ନ୍ୟୁଜ /ସମ୍ବଲପୁର:
କୁଚିଣ୍ଡା, ୧୨ା୧୦: ସୋସିଆଲ ମିଡିଆର କୁପ୍ରଭାବ ଉପରେ ସଚେତନତାର ବାର୍ତ୍ତା, ଜୀବନ୍ତ ଅଭିନୟରେ ଦର୍ଶକଙ୍କ ମନ ଜିଣିଲେ କଳାକାର: ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ନବନିର୍ମିତ ତଥା ନିକଟରେ ଲୋକାର୍ପିତ ହୋଇଥିବା ଭବ୍ୟ ପ୍ରେକ୍ଷାଳୟରେ ‘ନାଟ୍-ନାଟୁଆ ପରିବାର’ ପକ୍ଷରୁ ସାମାଜିକ ନାଟକ ‘ଶଙ୍ଖନାଦ’ ସଫଳତାର ସହ ମଞ୍ଚସ୍ଥ ହୋଇଯାଇଛି। ନାଟ୍ୟ ନିର୍ଦ୍ଦେଶକ ସତ୍ୟନାରାୟଣ ପଟେଲଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ନାଟକରେ ସମସାମୟିକ ସାମାଜିକ ସମସ୍ୟା ଓ ଯୁବପିଢ଼ିଙ୍କ ଜୀବନଶୈଳୀ ଉପରେ ଆଲୋକପାତ କରାଯାଇଥିଲା। ବିଶେଷକରି ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଯୋଗୁଁ ଯୁବପିଢ଼ି କିଭଳି ନିଜର ମୂଲ୍ୟବାନ ସମୟ ନଷ୍ଟ କରିବା ସହ ଭବିଷ୍ୟତ ଗଠନର ଲକ୍ଷ୍ୟପଥରୁ ବିଚ୍ୟୁତ ହେଉଛନ୍ତି, ତାହାକୁ ନାଟକ ମାଧ୍ୟମରେ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଥିଲା। ନାଟକର ସାମାଜିକ ବାର୍ତ୍ତା, ଦୃଶ୍ୟ ସଂଯୋଜନା ଓ କଳାକାରଙ୍କ ଅଭିନୟ ଉପସ୍ଥିତ ଶତାଧିକ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା।

ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ତଥା ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାଟ୍ୟ ମଞ୍ଚକୁ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସୁରଥ ଚନ୍ଦ୍ର ନାୟକ, ପର୍ଶୁରାମ ମିଶ୍ର, ହୃଦାନନ୍ଦ ଶର୍ମା, ବିଭୂତି କଲ୍ୟାଣ ପଟେଲ, ମଳୟ ବେହେରା ଓ କୁମରେଶ ଦଶଭାୟା ଯୋଗଦେଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ। ସମାଜରେ ସଚେତନତା ସୃଷ୍ଟି ଓ ସଂସ୍କାର ଆଣିବା ଦିଗରେ ନାଟକ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ନାଟକରେ ଓଲିଉଡ୍ ଅଭିନେତା ସଞ୍ଜୟ ପାତ୍ରଙ୍କ ସମେତ ଓମ୍ ପ୍ରକାଶ ପଟେଲ, ବିଜୁ ସାହୁ, କୁମାର ବିକ୍ରମ, ବାବୁନି ମହାନ୍ତି, ସୁଜିତ ବୁଡ଼ା, ଅରୁଣ ନାୟକ ଓ ମମତା ପ୍ରମୁଖ ବିଭିନ୍ନ ଚରିତ୍ରରେ ଅଭିନୟ କରିଥିଲେ। କଳାକାରମାନଙ୍କ ନିଖୁଣ ଅଭିନୟ, ଭାବପୂର୍ଣ୍ଣ ସଂଳାପ ଓ ଆକର୍ଷଣୀୟ ମଞ୍ଚ ଉପସ୍ଥାପନା ଦର୍ଶକଙ୍କୁ ଶେଷ ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ନାଟକର ହୃଦୟସ୍ପର୍ଶୀ ଦୃଶ୍ୟଗୁଡ଼ିକ ଦର୍ଶକଙ୍କୁ ଭାବବିହ୍ୱଳ କରିବା ସହ ସାମାଜିକ ସଚେତନତାର ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରିଥିଲା।






