ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି/ଝାରସୁଗୁଡ଼ା/ସମୀକ୍ଷା ନ୍ୟୁଜ:
ଝାରସୁଗୁଡ଼ା, ୧୪/୧୦ : ଛାତ୍ର ସଂସଦ ନିର୍ବାଚନକୁ ନେଇ ଅଶାନ୍ତି ଓ ଆଇନଶୃଙ୍ଖଳା ପରିସ୍ଥିତି l ଶେଷରେ କଲେଜ ବନ୍ଦ କରିବାକୁ ବାଧ୍ୟ ହେଲେ କର୍ତ୍ତୃପକ୍ଷ l ଝାରସୁଗୁଡ଼ା ଲକ୍ଷ୍ମୀନାରାୟଣ (ଏଲ୍ଏନ୍) କଲେଜରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପରିସ୍ଥିତି ଏପରି ମୋଡ଼ ନେଇଛି ଯେ, ଅନିର୍ଦ୍ଦିଷ୍ଟ କାଳ ପାଇଁ ଶିକ୍ଷାନୁଷ୍ଠାନରେ ତାଲା ଝୁଲାଇବାକୁ ନିଷ୍ପତ୍ତି ହୋଇଛି l ନିର୍ବାଚନ ପ୍ରକ୍ରିୟାକୁ ବାତିଲ କରାଯିବା ସହ ହଷ୍ଟେଲ ଖାଲି କରିବାକୁ ଅନ୍ତେବାସୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l କଲେଜ ଅଧ୍ୟକ୍ଷଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୪ ତାରିଖ ଅପରାହ୍ନଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ l କଲେଜରେ ଆଇନଶୃଙ୍ଖଳା ପରିସ୍ଥିତି ଏବଂ ଲିଙ୍ଗଦୋ କମିଟିର ସୁପାରିସ ଉଲ୍ଲଂଘନ ସମ୍ପର୍କିତ ପ୍ରସଙ୍ଗକୁ ଏହି କଠୋର ନିଷ୍ପତ୍ତିର କାରଣ ଭାବେ ଦର୍ଶାଯାଇଛି l କେବଳ କଲେଜ ବନ୍ଦ ନୁହେଁ, ଛାତ୍ରଛାତ୍ରୀଙ୍କ ହଷ୍ଟେଲ ରହଣି ଉପରେ ମଧ୍ୟ କଟକଣା ଲଗାଯାଇଛି l ଉଭୟ ବାଳକ ଓ ବାଳିକା ହଷ୍ଟେଲର ଅନ୍ତେବାସୀଙ୍କୁ ଅକ୍ଟୋବର ୧୫ ତାରିଖ ସକାଳ ୮ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ କୁହାଯାଇଛି l ଏହାସହ ଅଧ୍ୟକ୍ଷଙ୍କ ଲିଖିତ ଅନୁମତି ବିନା କଲେଜ ପରିସରକୁ ପ୍ରବେଶ ନିଷିଦ୍ଧ କରାଯାଇଛି l ନିର୍ଦ୍ଦେଶ ଅମାନ୍ୟ କଲେ ଜିଲ୍ଲା ପ୍ରଶାସନ ଓ ପୁଲିସର ସହଯୋଗରେ କଡ଼ା ପଦକ୍ଷେପ ନିଆଯିବ ବୋଲି କଲେଜ କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି l ଛାତ୍ର ସଂସଦ ନିର୍ବାଚନକୁ ନେଇ ଉପୁଜିଥିବା ପରିସ୍ଥିତି ଏବେ କଲେଜ ବନ୍ଦ ଓ ହଷ୍ଟେଲ ଖାଲି ନିର୍ଦ୍ଦେଶ ପର୍ଯ୍ୟନ୍ତ ପହଞ୍ଚିଥିବାରୁ ପରବର୍ତ୍ତୀ ପ୍ରଶାସନିକ ପଦକ୍ଷେପ ଉପରେ ସମସ୍ତଙ୍କ ନଜର ରହିଛି l





