ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:
ମୁରିବାହାଲ, ତା ୧୪/୧୦/୨୬ ପାଇପ୍ ମରାମତି ନାଁରେ ଗାତ ଖୋଳି ଅଧାପନ୍ତରିଆ ଭାବେ ଛାଡ଼ି ଚାଲିଗଲେ ବିଭାଗୀୟ କର୍ମଚାରୀ ଓ ଠିକାଦାର। ମରାମତି କରିବାକୁ ଆସି ଗ୍ରାମବାସୀଙ୍କ ସମସ୍ୟା ଦୂର କରିବା ବଦଳରେ ନୂଆ ବିପଦ ସୃଷ୍ଟି କରିଛି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ଏଭଳି କାର୍ଯ୍ୟ। ଏପରି ଅବହେଳାକୁ ନେଇ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ପଞ୍ଚାୟତର ବୁଢ଼ୀପଦର ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ସୂଚନା ଅନୁଯାୟୀ, ଗ୍ରାମରେ ପାଇପ୍ ଫାଟିଯିବାରୁ ୬୫ ବର୍ଷୀୟା ବୃଦ୍ଧା ନୁପୁର ଭୋଇଙ୍କ ଘର ଭିତରୁ ଦୀର୍ଘଦିନ ଧରି ପାଣି ବାହାରୁଥିଲା। ଏନେଇ ଚଳିତ ମାସ ୭ ତାରିଖରେ ଖବର ପ୍ରକାଶ ପାଇବା ପରେ ବିଭାଗ ଓ ଠିକାଦାର ମରାମତି ପାଇଁ ଗ୍ରାମରେ ପହଞ୍ଚି ଦୁଇଟି ଗାତ ଖୋଳିଥିଲେ। କିନ୍ତୁ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ନକରି ଖୋଳାଯାଇଥିବା ଗାତକୁ ଖୋଲା ଛାଡ଼ି ଚାଲିଯାଇଥିବା ଅଭିଯୋଗ ହୋଇଛି।

ଫଳରେ ପାଣି ସମସ୍ୟାର ସମାଧାନ ହେବା ପରିବର୍ତ୍ତେ ଗ୍ରାମବାସୀଙ୍କ ପାଇଁ ଦୁର୍ଘଟଣା ଆଶଙ୍କା ବଢ଼ିଛି। ବିଶେଷକରି ଖୋଲା ଗାତ ଯୋଗୁଁ ଯାତାୟାତରେ ସମସ୍ୟା ସୃଷ୍ଟି ହେବା ସହ କେହି ଦୁର୍ଘଟଣାର ଶିକାର ହେଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଖବର ପ୍ରକାଶ ପରେ ମଧ୍ୟ ମରାମତି କାର୍ଯ୍ୟ ଅଧାରେ ଛାଡ଼ିଦେବା ବିଭାଗୀୟ ଦାୟିତ୍ୱହୀନତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଆସି ଏଭଳି ଅବହେଳା କରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ଆଲୋଚନା ହେଉଛି। ତୁରନ୍ତ ପାଇପ୍ ମରାମତି କାର୍ଯ୍ୟ ଶେଷ କରିବା ସହ ଖୋଳାଯାଇଥିବା ଗାତକୁ ପୋତି ରାସ୍ତାକୁ ସୁରକ୍ଷିତ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଅନ୍ୟଥା ଗାତରେ ପଡ଼ି କେହି ଦୁର୍ଘଟଣାର ଶିକାର ହେଲେ ବିଭାଗୀୟ ଅଧିକାରୀଙ୍କୁ ଦାୟୀ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।





