ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ନିର୍ବାଚନ ବାତିଲ, ୧୬୩ ଧାରା ଜାରି

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ନିର୍ବାଚନ ବାତିଲ, ୧୬୩ ଧାରା ଜାରି – ସମୀକ୍ଷା ଖବର

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି/ସମୀକ୍ଷା ନିୟୁଜ/ଖୋରଧା:

ଖୋରଧା ୧୬/୧୦/୨୬ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ଘୋଷଣା କରାଯାଇଛି। ଏଥିସହ ମହାବିଦ୍ୟାଳୟ ପରିସର ଓ ଏହାର ୨୦୦ ମିଟର ପରିସର ରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏସ୍ଏସ୍ଏସ୍)ର ଧାରା ୧୬୩ ଅନୁଯାୟୀ ନିଷେଧାଜ୍ଞା ଜାରି ହୋଇଛି। ଏହି କଟକଣା ଆସନ୍ତା ୨୧ତାରିଖ ରାତି ୯ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଉପଜିଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ସଙ୍କଳ୍ପ ସ୍ବସ୍ତିକ ସାହୁଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଛି I ନିରାକାରପୁର ଥାନା ଅଧିକାରୀ ଓ ଟାଙ୍ଗୀ ତହସିଲଦାରଙ୍କ ରିପୋର୍ଟ ଆଧାରରେ ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ଏବଂ ସମ୍ଭାବ୍ୟ ଗଣ୍ଡଗୋଳକୁ ରୋକିବା ପାଇଁ ପ୍ରଶାସନ ତରଫରୁ ଏହି ପଦକ୍ଷେପ ନିଆଯାଇଛି। ବଡ଼ପୋଖରୀଆ ଓ ନିରାକାରପୁର ଅଞ୍ଚଳରେ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଓ ଗଣ୍ଡଗୋଳ ଆଶଙ୍କା ଥିବାରୁ ଏହି କଟକଣା ଲଗାଯାଇଛି।

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ନିର୍ବାଚନ ବାତିଲ, ୧୬୩ ଧାରା ଜାରି – ସମୀକ୍ଷା


ପ୍ରଶାସନର ନିର୍ଦ୍ଦେଶ ଅନୁଯାୟୀ ନିଷେଧାଜ୍ଞା ବଳବତ୍ତର ଥିବା ସମୟରେ ଉକ୍ତ ଅଞ୍ଚଳରେ ପାଞ୍ଚ କିମ୍ବା ତା’ଠାରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ। ଏଥିସହ ରାଲି ଓ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଇଛି। ଅନ୍ୟପକ୍ଷରେ, ମହାବିଦ୍ୟାଳୟ ଅଧ୍ଯକ୍ଷଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ନମ୍ବର ୨୩୫/୨୬ ଅନୁଯାୟୀ, ୧୫ତାରିଖଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ କଲେଜ ବନ୍ଦ ରହିବ। ଉପଜିଲାପାଳଙ୍କ କାର୍ଯ୍ୟାଳୟର ୧୪ ତାରିଖର ଆଦେଶ ନମ୍ବର ୬୧୨୦ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। ତେବେ କଲେଜ ବନ୍ଦ ନିଷ୍ପତିର କାରଣ ସମ୍ପର୍କରେ ଅଧ୍ୟକ୍ଷଙ୍କ ବିଜ୍ଞପ୍ତିରେ ସ୍ପଷ୍ଟ ଉଲ୍ଲେଖ ନାହିଁ I
ନିରାକାରପୁରସ୍ଥିତ କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲକୁ ନେଇ ଗୁରୁବାର ଉତ୍ତେଜନା ଦେଖା ଦେଇଛି। ଛାତ୍ରୀଛାତ୍ରଙ୍କ ପକ୍ଷରୁ ଦୁଇ ଦଫା ଦାବି ନେଇ ପୃଥକ୍ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ୮ଘଣ୍ଟା ପର୍ଯ୍ୟନ୍ତ ଯାତାୟାତ ଓ ଜନଜୀବନ ପ୍ରଭାବିତ ହୋଇଥିଲା।ସୂଚନା ଅନୁଯାୟୀ, ଗୁରୁବାର ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମତଦାନ ହେବାର ଥିଲା। ଏଥିପାଇଁ କଲେଜ
ପରିସରରେ ଶାନ୍ତିଶୃଙ୍ଖଳା ରହିଥ‌ିବା ବେଳେ ଛାତ୍ରୀଛାତ୍ରମାନେ ମତଦାନକୁ ଅପେକ୍ଷା କରିଥିଲେ।

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ନିର୍ବାଚନ ବାତିଲ, ୧୬୩ ଧାରା ଜାରି – ସମୀକ୍ଷା

ତେବେ ସକାଳ ପ୍ରାୟ ୭ଟାରେ କଲେଜ ମୁଖ୍ୟ ଫାଟକରେ ଭାରତୀୟ ନାଗରିକ ସୁରକ୍ଷା ସଂହିତାର ୧୬୩ ଧାରା ଲାଗୁ ସମ୍ପର୍କିତ ନୋଟିସ ଲଗାଯାଇଥିଲା। ଏହା ସହ ପୋଲିସ ପକ୍ଷରୁ କାହାରିକୁ ମହାବିଦ୍ୟାଳୟ ପରିସରକୁ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା । ନିର୍ବାଚନ ବାତିଲ ହେବା ଖବର ପ୍ରଚାରିତ ହେବା ପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହାକୁ ବିରୋଧ କରି ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀ ଓ ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିବା ସହ ସ୍ଥାନୀୟ ଥାନା ନିକଟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଅନ୍ୟପକ୍ଷରେ ସିପିଆଇ(ଏମ୍) ପକ୍ଷରୁ କଲେଜ ମୁଖ୍ୟ ଫାଟକ ନିକଟରେ ଧାରଣା ଦିଆଯାଇଥିଲା। ପରେ ବିସିଜେଡିର ଆନ୍ଦୋଳନରତ ଛାତ୍ରୀଛାତ୍ରମାନେ ସେଠାରୁ ଉଠି ଏକ ରାଲିରେ ଯାଇ ନିରାକାରପୁର ଗେଟ ବଜାରସ୍ଥିତ ୨୧୯ ନମ୍ବର ରେଳବାଇ ଫାଟକ ନିକଟରେ ରାସ୍ତା ଅବରୋଧ କରିଥିଲେ। ଏହାଦ୍ବାରା ଯାତାୟାତରେ ସମସ୍ୟା ହୋଇଥିଲା। ଏପରିକି ନିରାକାରପୁର ବଜାର ବନ୍ଦ କରିଥିଲେ। ନିର୍ବାଚନ କରାଯାଉ, କ୍ୟାମେନିଂ ପାଇଁ ଯାଇଥିବା ସଭାପତି ପ୍ରାର୍ଥୀଙ୍କୁ ହୋଇଥିବା ଆକ୍ରମଣ ଘଟଣାର ଦୋଷୀଙ୍କୁ ଶୀଘ୍ର ଗିରଫ କରାଯାଉ ବୋଲି ଦାବି କରିଥିଲେ। ଖବରପାଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀନିବାସ ମହାନ୍ତି, ବାଲୁଗାଁ ଏସ୍‌ଡିପିଓ ସଞ୍ଜୟ ପଟ୍ଟନାୟକ,ଟାଙ୍ଗୀ ଅତିରିକ୍ତ ତହସିଲଦାର ସନାତନ ମଲ୍ଲିକ ଏବଂ ନିରାକାରପୁର ଥାନା ଅଧିକାରିଣୀ ରିନା ରାଣୀ ସାହୁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନରତ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରିଥିଲେ। ଅପରାହ୍ନ ପ୍ରାୟ ୪ଟାରେ ଛାତ୍ରୀଛାତ୍ରମାନେ ଧାରଣାରୁ ହଟିଥିଲେ।

କ୍ଷେତ୍ରବାସୀ ଡିଏଭି ମହାବିଦ୍ୟାଳୟ ନିର୍ବାଚନ ବାତିଲ, ୧୬୩ ଧାରା ଜାରି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଖୋର୍ଦ୍ଧାରେ ୪୨ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ