ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ଅମ୍ବାଭୋନା, ୧୭। ୧୦ ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଭୁକ୍ତାସ୍ଥିତ ମହାତ୍ମା ଗାନ୍ଧୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦଶହରା ଛୁଟି ପୂର୍ବରୁ ଜାତୀୟ ସେବା ଯୋଜନା (ଏନ୍ଏସ୍ଏସ୍) ୟୁନିଟ୍ ପକ୍ଷରୁ ଏକ କ୍ୟାମ୍ପସ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ସ୍ୱଚ୍ଛ ପରିବେଶ ଓ ସୁସ୍ଥ ଜୀବନର ବାର୍ତ୍ତା ପ୍ରଚାର କରିବା ସହ ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ୱଚ୍ଛତା ପ୍ରତି ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ବିଦ୍ୟାଳୟର ଅଧ୍ୟକ୍ଷ ଜଗଦୀଶ ନାୟକ ଓ ଏନ୍ଏସ୍ଏସ୍ କାର୍ଯ୍ୟକ୍ରମ ଅଧିକାରୀ (ପିଓ) ଭରତ ବିଶିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଫେଇ ଅଭିଯାନରେ ଏନ୍ଏସ୍ଏସ୍ର ସମସ୍ତ ସ୍ୱେଚ୍ଛାସେବୀଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦେଇଥିଲେ। ସେମାନେ ବିଦ୍ୟାଳୟ ପରିସରକୁ ସଫାସୁତୁରା କରିବା ସହ ସ୍ୱଚ୍ଛତାର ଗୁରୁତ୍ୱ ସମ୍ପର୍କରେ ଏକ ସଚେତନତାମୂଳକ ବାର୍ତ୍ତା ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀଙ୍କ ଏଭଳି ଉତ୍ସାହ ଓ ସ୍ୱଚ୍ଛ ପରିବେଶ ଗଠନ ପ୍ରତି ଆଗ୍ରହ ଦେଖି ଅଧ୍ୟକ୍ଷ ଶ୍ରୀ ନାୟକ ସେମାନଙ୍କୁ ପ୍ରଶଂସା କରିଥିଲେ। ଏଥିସହ ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ରଖିବା ସହ ନିଜ ଚାରିପାଖର ପରିବେଶକୁ ସଫାସୁତୁରା ରଖିବା ପାଇଁ ସମସ୍ତେ ନିଜ ନିଜ ସ୍ତରରେ ଉଦ୍ୟମ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟାପକ ସୁରଜ କୁମାର ପଟେଲ, କିଶନ ଅଗ୍ରୱାଲ, ଚିନ୍ମୟ ପ୍ରଧାନ, ଜୟନ୍ତ ବାରିକ, ପ୍ରଶାନ୍ତ ସାହୁ, କୈଳାଶ ସେଠ୍, ନରସିଂହ ରାଉତ, ସୌରଭ ସହାରା ଓ ନରେନ୍ଦ୍ର ସେନ୍ଦ୍ରିଆ ପ୍ରମୁଖ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସ୍ୱଚ୍ଛତା ହିଁ ସେବା—ଏହି ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି ଅଭିଯାନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଦାୟିତ୍ୱବୋଧ ଓ ସ୍ୱଚ୍ଛତା ପ୍ରତି ସଚେତନତା ବୃଦ୍ଧି କରିବାରେ ସହାୟକ ହୋଇଛି।






