ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି,
୧୮/୧୦/୨୬
ଜଗତଜନନୀ ମା’ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର ହୋଇଉଠିଛି ମାଲକାନଗିରି ଜିଲ୍ଲା ସଦରମହକୁମା। ସହରର ପ୍ରାୟ ୮ଟି ସ୍ଥାନରେ ମା’ଙ୍କ ପୂଜାର୍ଚ୍ଚନା ଆୟୋଜିତ ହେଉଛି। ବିଭିନ୍ନ ପୂଜାମଣ୍ଡପରେ ଷଷ୍ଠୀଠାରୁ ପୂଜା ଆରମ୍ଭ ହୋଇ ୨୧ ତାରିଖ ପର୍ଯ୍ୟନ୍ତ ଉତ୍ସବ ଚାଲିବ। ଏହାକୁ ନେଇ ସହରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି।
ପୂଜା ଅବସରରେ ବିଭିନ୍ନ ଦୋକାନରେ ଆକର୍ଷଣୀୟ ରିହାତି ଓ ବିଶେଷ ଅଫର୍ରେ ସାମଗ୍ରୀ ବିକ୍ରି କରାଯାଉଛି। ଏଥିସହ ସହରର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଉଠାଦୋକାନ ଖୋଲିଛି। ଏଠାରେ ଘରକରଣା ସାମଗ୍ରୀଠାରୁ ଆରମ୍ଭ କରି ଖେଳନା, ଖାଦ୍ୟପଦାର୍ଥ ଓ ବିଭିନ୍ନ ଆକର୍ଷଣୀୟ ଜିନିଷ ଉପଲବ୍ଧ ହେଉଛି। ଫଳରେ ବଜାର ଓ ପୂଜାମଣ୍ଡପ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି।ଅନ୍ୟପକ୍ଷରେ ପୂଜା ସମୟରେ ଭିଡ଼ର ସୁଯୋଗ ନେଇ ପକେଟମାର, ଗାଡ଼ି ଚୋରି ଓ ସୁନାଚେନ୍ ଛିନତାଇ ଭଳି ଘଟଣା ଘଟିବାର ଆଶଙ୍କା ରହିଥିବାରୁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଛି। ସହରର ମୁଖ୍ୟ ରାସ୍ତାରେ ପୁଲିସ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି। ଏଥିସହ ବିଭିନ୍ନ ପୂଜାମଣ୍ଡପ, ମନ୍ଦିର ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଶାନ୍ତିଶୃଙ୍ଖଳା ରକ୍ଷା ଏବଂ ଅପ୍ରୀତିକର ଘଟଣା ରୋକିବା ପାଇଁ ପୁଲିସ ମୁତୟନ କରାଯାଇଛି।
ପୂଜାକୁ ଶାନ୍ତିପୂର୍ଣ୍ଣ ଓ ସୁରୁଖୁରୁରେ ସମ୍ପନ୍ନ କରିବା ସହ ଭକ୍ତମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଦିଗରେ ପୁଲିସ ପ୍ରଶାସନ ସଜାଗ ରହିଥିବା ମାଲକାନଗିରି ଆଦର୍ଶ ଥାନା ଅଧିକାରି ଦେବଦତ୍ତ ମଲ୍ଲିକ ପ୍ରକାଶ କରିଛନ୍ତି ।






