
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ: ବଡ଼ସାହି, ୧୮/୧୦/୨୬ – ଆଶ୍ୱିନ ମାସରେ ଜଗତ ଜନନୀ ଦୁର୍ଗତି ନାଶିନୀ ମା’ ଦୂର୍ଗାଙ୍କ ଆଗମନ ଧରାପୃଷ୍ଠକୁ ହୋଇଥାଏ । ଭକ୍ତି ଓ ମହାମିଳନର ଏହି ପର୍ବ ଦେଶବ୍ୟାପୀ ମହାଡମ୍ବରେ ପାଳନ ହୋଇଥାଏ । ହେଲେ ମୟୂରଭଞ୍ଜର ଦୂର୍ଗା ପୂଜା ସାଧାରଣ ଦୂର୍ଗା ପୂଜାଠୁ ଟିକିଏ ଅଲଗା, ଏଠି ରାଜା ପରମ୍ପରା ଆଉ ଆଦିବାସୀ ପରମ୍ପରା ମିଶ୍ରିତ ଦୂର୍ଗାପୂଜା ପାଳିତ ହୋଇଥାଏ ।
ଦାସାଇଁ ନୃତ୍ୟ ଏହି ସମୟରେ ମୁଖ୍ୟ ଆକର୍ଷଣ ହୋଇଥାଏ ମୟୂରଭଞ୍ଜିଆ ପରମ୍ପରାରେ ।
ସାନ୍ତାଳ ସମ୍ପ୍ରଦାୟର ପ୍ରସିଦ୍ଧ ଦାସାଇଁ ନାଚ ମୟୂରଭଞ୍ଜ ଦୂର୍ଗାପୂଜାର ମୁଖ୍ୟ ଆକର୍ଷଣ । ମୟୂରଭଞ୍ଜ ରାଜାମାନଙ୍କ ସମୟରୁ ଏହା ଚାଲି ଆସୁଛି। ପ୍ରାୟତଃ ୩ ରୁ ୭ ଦିନ ଧରି ପାଳିତ ଏ ନୃତ୍ୟ ଷଷ୍ଠୀରୁ ଦଶମୀ ଯାଏଁ ୫ ଦିନ ଧରି ନିହାତି ପାଳିତ ହୋଇଥାଏ । ସାନ୍ତାଳ, ହୋ, ମୁଣ୍ଡା ଆଦି ସମ୍ପ୍ରଦାୟର ଯୁବକ-ଯୁବତୀ ରଙ୍ଗୀନ ପୋଷାକ ପିନ୍ଧି, ପାଦରେ ଘୁଙ୍ଗୁର ବାନ୍ଧି ଭୁଆଙ୍ଗ (ଲାଉ ତୁମ୍ବାରେ ତିଆରି), ମାଦଳ, ବାଂଶୀ ବଜାଇ ଦୋକାନ ଦୋକାନ, ଘର ଘର ବୁଲି ମା’ ଦୁର୍ଗାଙ୍କ ଶକ୍ତି ଗୀତ ଗାଇ ନାଚିଥାନ୍ତି । କେତେକ ଏହାକୁ ତନ୍ତ୍ରମନ୍ତ୍ର ଅଭିହିତ କରୁଥିବା ସମୟରେ ଏବେ ସେସବୁ ଝଲକ ଦେଖିବାକୁ ମିଳୁନାହିଁ । ପୂର୍ବରୁ ଏହି ଦିନମାନଙ୍କରେ ସେମାନେ ଗାଁ ଗାଁ ବୁଲି ଔଷଧ ବାଣ୍ଟିବା ସହ ତାନ୍ତ୍ରିକ ଉପଚାର କରି ଦାନଦକ୍ଷିଣା ନେଉଥିଲେ । ଦାସାଇଁର ଅର୍ଥ ବର୍ଷାର ଶେଷ ବୋଲି ବୁଝାଯାଏ । ତେବେ ପୂର୍ବରୁ ରାଜବାଟୀର ସିଂହଦ୍ୱାର ଆଗରେ ଏ ନାଚ ମୁଖ୍ୟ ଆକର୍ଷଣ ଥିଲା ଏବଂ ରାଜା ସେମାନଙ୍କୁ ନୂଆ କପଡା ଓ ଖୁଆଇପିଆଇ ସମ୍ମାନିତ କରୁଥିଲେ । ଅନ୍ୟ ଅର୍ଥରେ କେହି ଏହାକୁ ଦାସାଇଁ ଦାସାୟନ୍ , ଦୁଃଖର ପୂଜା ବୋଲି ମଧ୍ୟ କହିଥାନ୍ତି । ସାନ୍ତାଳ କିମ୍ବଦନ୍ତୀ ଅନୁସାରେ ହୁଡୁର-ଦୁର୍ଗା ମାନେ ମହିଷାସୁର ହେଉଛନ୍ତି ସେମାନଙ୍କର ପୂର୍ବପୁରୁଷ ।

ତେଣୁ ଦୂର୍ଗାପୂଜା ସମୟରେ ଅନ୍ୟମାନେ ଆନନ୍ଦ କରୁଥିବା ବେଳେ ଖେରୱାଲ ସାନ୍ତାଳମାନେ କେନ୍ଦୁଝର, ମୟୂରଭଞ୍ଜରେ ଶୋକ ପାଳନ କରନ୍ତି । ସେମାନେ ନୂଆ କପଡା କିଣନ୍ତି ନାହିଁ କିମ୍ବା ବିଶେଷ ପ୍ରକାର ଖାଦ୍ୟ ମଧ୍ୟ ପ୍ରସ୍ତୁତ କରନ୍ତି ନାହିଁ । ସାନ୍ତାଳମାନେ ଜାହେର ଥାନରେ ବା ଜାହିରା ପୀଠରେ ମା’ ଜାହେରଙ୍କୁ ପୂଜା କରି ଶକ୍ତି ମାଗନ୍ତି, ଆଉ ଘର ଘର ବୁଲି ହଜି ଯାଇଥିବା ଦୂର୍ଗା ଓ ଅନ୍ୟ ଦେବୀଙ୍କୁ ଖୋଜନ୍ତି, ଏହାକୁ ଦାସାଇଁକୋଡାକୁ ନାଚ କୁହାଯାଏ । ‘ସେ ବେରେ ସେ ବେରେ ସେ,
ଭୁଁ…. ସେ ସେ ଭୁଁ….
ଦେହେଲେ…. ଦେହେଲେ….
ବୋଲୋଲେ…. ବୋଲୋଲେ….
ଦେବୀରେ ଦୁରୁଗା…. ଭୁଁ…. ଭୁଁ….’ ଗୀତ ଏହି ଦାସାଇଁ ନାଚର ସୂଚନା ଦିଏ ।
ମା’ କିଚକେଶ୍ୱରୀ ଭଞ୍ଜ ବଂଶର କୁଳଦେବୀଙ୍କ ପୀଠ ଖିଚିଂରେ ମଧ୍ୟ ବିଶେଷ ପୂଜା ହୋଇଥାଏ । ମୟୂରଭଞ୍ଜର ଶୁକ୍ରୁଳି ବ୍ଲକରେ ରହିଥିବା କଳା ମୁଗୁନି ପଥର ନିର୍ମିତ ଏହି ଅନନ୍ୟ ସର୍ବ ପୁରାତନ ପୀଠରେ ପୂଜା ବିନା ମା’ କିଚକେଶ୍ୱରୀ ଅସମ୍ପୂର୍ଣ୍ଣ । ଖିଚିଂରେ ଥିବା କଳା ମୁଗୁନି ପଥରର ଏହି ମନ୍ଦିର ଦୂର୍ଗାଙ୍କ ଚାମୁଣ୍ଡା ରୂପ ପ୍ରତିଷ୍ଠିତ ଓ ଏହା ଭଞ୍ଜ ରାଜାମାନଙ୍କ କୁଳଦେବୀ । ଦୂର୍ଗାପୂଜା ସମୟରେ ଏଠି ବିଶେଷ ପୂଜା ହେଉଥିବା ସମୟରେ ଚଳିତ ଅକ୍ଟୋବର ୧୭ ତାରିଖରେ ମହାସପ୍ତମୀ, ୧୮ ତାରିଖରେ ମହାଷ୍ଟମୀ ଓ ୧୯ ତାରିଖରେ ମହାନବମୀ ପୂଜା ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି । ନବମୀ ସନ୍ଧ୍ୟାରେ ଭଜନ ସମାରୋହର ଆୟୋଜନ ରହିଛି । ସେହିପରି ମନ୍ଦିର ପ୍ରଶାସନ ପକ୍ଷରୁ ଅକ୍ଟୋବର ୨୦ ତାରିଖ ବିଜୟାଦଶମୀ ଅବସରରେ ‘ରାବଣପୋଡ଼ି’ କାର୍ଯ୍ୟକ୍ରମ ରଖାଯାଇଛି। ତେବେ ଏଥରର ବିଶେଷ ଆକର୍ଷିତ ହୋଇଛି ଭଞ୍ଜସେନା ଦ୍ୱାରା ପ୍ରସ୍ତୁତ ଆଲୋକସଜ୍ଜା । ସେହିଭଳି ବାରିପଦା ପ୍ରସିଦ୍ଧ ମା’ଅମ୍ବିକାଙ୍କ ପୀଠରେ ମଧ୍ୟ ବିଧି ଅନୁଯାୟୀ ନବରାତ୍ର ପାଳନ ହୋଇଥାଏ ।
ଏବେ ଦୁର୍ଗା ପୂଜାରେ ମୟୂରଭଂଜରେ ଆଦିବାସୀ ନାଟକ ପ୍ରତିଯୋଗିତା ବି ବିଶେଷ ଆକର୍ଷିତ ହେଉଛି । ତିରିଂ, ରାଇରଙ୍ଗପୁର ଏବଂ ଅନ୍ୟାନ୍ୟ ବହୁ ଜାଗାରେ ରାତି ସାରା ଏହି ସାନ୍ତାଳୀ ନାଟକ ପ୍ରତିଯୋଗିତା ମଧ୍ୟ ହୋଇଥାଏ । ଏହି ସମୟରେ ପାଳିତ କୁମାରୀ ପୂଜା ଏକ ଅନନ୍ୟ ପରମ୍ପରା ।






