ବିଜୟ କୁମାର ମହାପାତ୍ର /ପିପିଲି /ସମୀକ୍ଷା ନ୍ୟୁଜ:
ପିପିଲି,ତା୧୭।୧୦ ପିପିଲି ବ୍ଲକ ସାତସଙ୍ଖ ବଜାର ନିକଟସ୍ଥ ଉତ୍ତରାୟଣୀ ସାହିରେ ଥିବା ପ୍ରସିଦ୍ଧ ଶକ୍ତିପୀଠ ମା ଉତ୍ତରାୟଣୀଙ୍କ ମନ୍ଦିରରେ ପ୍ରତିବର୍ଷ ପରି ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଯଥା ବିଧିମୁତାବକ ମହାସମାରୋହରେ ଷୋଡଶ ଦିନାତ୍ମକ ପୂଜା ବା ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଛି । ମା ଉତ୍ତରାୟଣୀ ମାଟି ହାଣ୍ଡି ଭିତରେ କେଉଁ ଆବାହନ କାଳରୁ ପୂଜା ପାଇ ଆସୁଥିବା ବେଳେ ତାଙ୍କ ପାଖରେ ବନଦୃର୍ଗା, କନକଦୃର୍ଗା ଏବଂ ସମ୍ମୁଖରେ ମା କ୍ଷେତ୍ରପାଳି ମନ୍ଦିର ଭିତରେ ପୂଜା ପାଉଛନ୍ତି। ଷୋଡଶ ପୂଜା ଉପଲକ୍ଷେ ମା ଙ୍କୁ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। ୧୬ ଦିନ ଧରି ମା’ଙ୍କର ଏହି ଗୁପ୍ତ ଓ ସ୍ୱତନ୍ତ୍ର ନୀତିକାନ୍ତି ପୂଜକ ମାନଙ୍କ ଦ୍ୱାରା ଚାଲିଥାଏ । ସପ୍ତମୀ ତିଥିରେ ମା ଙ୍କ ବନଦୃର୍ଗା ବେଶ, ମହାଷ୍ଟମୀରେ ସିଂହବାହିନୀ ବେଶ, ମହାନବମୀ ରେ ମହାକାଳ ରାତ୍ରୀ ପୂଜା ଯଥା ଵିଧି ମୁତାବକ ପୂଜାର୍ଚନା ହୋଇଥାଏ। ଷୋଡଶ ପୂଜାର ୧୬ ଦିନ ମଧ୍ୟରେ ପ୍ରତିଦିନ ମା ଉତ୍ତରାୟଣୀ ଭିନ୍ନ ଭିନ୍ନ ରୂପ ଓ ସ୍ୱତନ୍ତ୍ର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସ୍ୱତନ୍ତ୍ର ନୀତି କନ୍ତିରେ ଭୋଗ ସକାଳ ଧୂପ, ଦ୍ବିପ୍ରହର ସଂକୁଡି ଭୋଗ (ଆମିଷ), ମଧ୍ୟାହ୍ନରେ ବାଳଭୋଗ, ରାତ୍ର ସମୟରେ ଅଲଣା ବିରି ଯାଉ ଭୋଗ ମା ଙ୍କ ପାଖରେ ଭୋଗ ଲାଗି ହୁଏ। ଏହାକୁ ମୁଖ୍ୟ ପୂଜକ ନୀଳାଚଳ ପାଢ଼ୀ ଓ ତାଙ୍କ ସହଯୋଗୀ ଦିବ୍ୟ ରଞ୍ଜନ ପାଢ଼ୀ ଙ୍କ ଦ୍ୱାରା ବିଧିମୁତାବକ ପୂଜାର୍ଚନା ହୋଇଥାଏ । ଏହା ସହିତ ମା’ଙ୍କୁ ପ୍ରତିଦିନ ସ୍ୱତନ୍ତ୍ର ଭୋଗ ଅର୍ପଣ କରାଯାଏ।ଏହି ପବିତ୍ର ସମୟରେ ମା’ଙ୍କର ଦିବ୍ୟ ଆଲୌକିକ ରୂପ ଦର୍ଶନ କରିବା ପାଇଁ ସାତସଙ୍ଖ ଏବଂ ଏହାର ଆଖପାଖ ଅଞ୍ଚଳରୁ ଶତାଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥାଏ। ମା’ଙ୍କର ଏହି ଷୋଡଶ ପୂଜା ସମଗ୍ର ଓଡ଼ିଶାର ଶକ୍ତି ସଂସ୍କୃତିର ଏକ ଅନନ୍ୟ ପରମ୍ପରା ବୋଲି ପୂଜକ ଶ୍ରୀପାଢ଼ୀ ସୂଚନା ଦେଇଛନ୍ତି।






