ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପଦମପୁର: ପ୍ରଶାସନ ଆଢ଼ୁଆଳରେ ମଲକେନ ଡ୍ୟାମ, ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା

ପଦମପୁର: ପ୍ରଶାସନ ଆଢ଼ୁଆଳରେ ମଲକେନ ଡ୍ୟାମ, ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର/ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ସମୀକ୍ଷା ନ୍ୟୁଜ:

ପଦମପୁର: ବରଗଡ଼ ଜିଲ୍ଲା ସଦର ମହକୁମା ଠାରୁ ପ୍ରାୟ ୮୦ କି.ମି,ପଦମପୁର ଉପଖଣ୍ଡ ଠାରୁ ପ୍ରାୟ ୨୦ କି. ମି ଓ ଗାଇସିଲେଟ ବ୍ଲକ ହେଡକ୍ୱାଟର୍ସ ଠାରୁ ମାତ୍ର ୧୫ କି. ମି. ଦୂରରେ କଟାବାହାଲ ଠାରେ ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ମଲକେନ ଡ୍ୟାମ ।ଏହି ଡ୍ୟାମର ମନୋରମ ଦୃଶ୍ୟ ଦେଖିବାକୁ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼ । ଗୁଡ଼ିଡୁଙ୍ଗୁରି ଓ ବତଲାବାହାଲି ଦୁଇଟି ପାହାଡ଼ର ସବୁଜ ବଳୟ ଭିତରେ ନିର୍ମାଣ ହୋଇଛି ବନ୍ଧ । କାଚକେନ୍ଦୁ ପରି ଜଳ ସାଙ୍ଗକୁ ଡ୍ୟାମ ଚର୍ତୁପାର୍ଶ୍ବର ପ୍ରାକୃତିକ ପରିବେଶ ପ୍ରକୃତି ପ୍ରେମୀଙ୍କୁ କରୁଛି ବିଭୋର,ହେଲେ ପର୍ଯ୍ୟଟନ ଏଠି ଅବହେଳିତ । ଡ୍ୟାମ ନିକଟରେ ଆନୁଷଙ୍ଗିକ ସୁବିଧା ନଥିବାରୁ ନାନା ସମସ୍ୟା ଭୋଗୁଛନ୍ତି ପର୍ଯ୍ୟଟକ । ତେବେ ସ୍ଥାନୀୟ ଅଞ୍ଚଳରେ କୃଷିର ବିକାଶ ପାଇଁ ୧୯୯୯ ମସିହାରୁ ଆରମ୍ଭ ହୋଇ୨୦୦୫ ମସିହାରେ ଏହି ଡ୍ୟାମର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ।

ପଦମପୁର: ପ୍ରଶାସନ ଆଢ଼ୁଆଳରେ ମଲକେନ ଡ୍ୟାମ, ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା – ସମୀକ୍ଷା

ଏହାର ଡାହାଣ ପାର୍ଶ୍ଵ କେନାଲ କାମ ସଂପୂଣ୍ଣ ହେଲା ପରେ ୨୦୦୬ ମସିହାରେ ପ୍ରଥମ ଥର କେନାଲ ରେ ଡ୍ୟାମ ପାଣି ଛଡ଼ା ଯାଇଥିଲା । ଚିରପ୍ରପିଡ଼ିତ ମରୁଡି ଅଞ୍ଚଳରେ ପ୍ରଥମଥର ପାଇଁ ଲୋକେ ନିଜ ଚାଷ ଜମିରେ ପାଣି ପାଇ ବେଶ୍ ଖୁସି ଅନୁଭବ କରିଥିଲେ । ତେବେ ଏହି ଡ୍ୟାମର ପାଣିରେ କଟାବାହାଲ,ଗିଧମାଲ,ବରାହାମୁଣ୍ଡା,ବ୍ରାହ୍ମଣମାଲ, ତାଲପାଲି ଓ ଜନକେଡ଼ା ଗ୍ରାମର ଖରିପ ଋତୁ ରେ ପ୍ରାୟ ୬୦୭ ହେକ୍ଟର ଏବଂ ରବି ଋତୁ ରେ ପ୍ରାୟ ୨୦୨ ହେକ୍ଟର ଚାଷ ଜମି ଜଳସେଚିତ ହେଉଥିବାରୁ ଅନେକ ଚାଷୀ ଉପକୃତ ହେଉଛନ୍ତି କିନ୍ତୁ ଏହା ମଧ୍ୟରେ ଡ୍ୟାମର ବାମ ପାର୍ଶ୍ଵ କେନାଲ କରିବା ପାଇଁ ଅନେକ ସମୟରେ ଦାବି ହୋଇଛି । ଏହା ହେବା ଦ୍ଵାରା କୁଲିଆରୀ, ସେମେଲମୁଣ୍ଡା,ଖୁଣ୍ଟପାଲି,ଆଇଁଲାଭଟା,ମୁଣ୍ଡାପାଲି ଗ୍ରାମର ହଜାର ହଜାର ଏକର ଚାଷ ଜମି ଜଳସେଚିତ ହୋଇ ପାରିବ । କିନ୍ତୁ ବର୍ତମାନ ସୁଦ୍ଧା ଏହା ହୋଇନ ପାରିବାରୁ ଉକ୍ତ ଗ୍ରାମ ଗୁଡ଼ିକ ପ୍ରତି ବର୍ଷ ମରୁଡି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ।ତେବେ ଏହି ଡ୍ୟାମ କରାଯିବାପାଇଁ ସର୍ବପ୍ରଥମେ କଟାବାହାଲ ଗ୍ରାମର ପୂର୍ବତନ ସରପଞ୍ଚ ତଥା ଚାଷୀ ନେତା ସ୍ବର୍ଗତ ଉପେନ୍ଦ୍ର ମିଶ୍ର ପୂର୍ବତନ ବିଧାୟକ ସ୍ବର୍ଗତ ବିରେନ୍ଦ୍ର କୁମାର ସାହୁ ବିଧାୟକ ଥିବା ସମୟରେ ଏହି ପ୍ରକଳ୍ପକୁ ଆରମ୍ଭ କରିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ କରିଥିବା ବେଳେ ପରବର୍ତ୍ତୀ ସମୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ଡ଼.କୃପାସିନ୍ଧୁ ଭୋଇ,ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କ ପ୍ରୟାସରେ ଏହାର କାର୍ଯ୍ୟ ଆଗକୁ ବଢ଼ିଥିବା ବେଳେ ଉକ୍ତ ପ୍ରକଳ୍ପକୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ଵାଳ ଶିଳାନ୍ୟାସ କରିଥିଲେ । ପ୍ରକଳ୍ପ କାର୍ଯ୍ୟ ସଂପୂଣ୍ଣ ହେଲା ପରେ କଟାବାହାଲ ଗ୍ରାମର କାର୍ତ୍ତିକ ବରିହା ନିଜସ୍ଵ ଉଦ୍ୟମରେ ୨୦୦୭/୦୮ ମସିହାରେ ମା ବିନ୍ଧ୍ୟବାସିନୀଙ୍କ ଏକ ସୁନ୍ଦର ମନ୍ଦିର ନିର୍ମାଣ କରିଥିବା ବେଳେ ଭିମବୁଢ଼ା, ବାବାଡୁଙ୍ଗୁରିର ରକ୍ଷଣା ବେକ୍ଷଣ କରିବାର ଦାୟିତ୍ଵ ନେଇ ଏକ ସୁନ୍ଦର ପରିବେଶ ସୃଷ୍ଟି କରିଛନ୍ତି । ଗ୍ରାମର ପରିବେଶ ସୁରକ୍ଷା କମିଟି ତରଫରୁ ପରିବେଶ ପ୍ରେମୀ ତଥା ନେତାଜୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିପିନ ବିହାରୀ ନନ୍ଦ ଓ କାର୍ତ୍ତିକ ବାରିହାଙ୍କ ନେତୃତ୍ୱରେ ଏଠାରେ ପ୍ରତି ବର୍ଷ ହଜାର ହଜାର ବୃକ୍ଷରୋପଣ କରାଯାଇଥାଏ ଯାହାଫଳରେ ଏଠାରେ ଏକ ସୁନ୍ଦର ଜଙ୍ଗଲ ସୃଷ୍ଟି ହୋଇ ପାରିଛି । ପରେ ପ୍ରକୃତିର ବରଦାନ ପାଇଁ ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳରେ ପରିଣତ ହୋଇଛି ।

ପଦମପୁର: ପ୍ରଶାସନ ଆଢ଼ୁଆଳରେ ମଲକେନ ଡ୍ୟାମ, ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା – ସମୀକ୍ଷା

ସେପଟେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଏଠାରେ କୌଣସି ବ୍ୟବସ୍ଥା ନାହିଁ ।ବାସ୍ତବରେ ମଲକେନ ଡ୍ୟାମ ବଣ ପାହାଡ଼ ଘେରା ପ୍ରାକୃତିକ ଦୃଶ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହି ସ୍ଥାନଟିର ପରିବେଶ ଅତ୍ୟନ୍ତ ଶାନ୍ତ ଏବଂ ମନୋରମପୂର୍ଣ୍ଣ। ଶୀତଦିନରେ ବଣ ଭୋଜି ଲାଗି ବହୁ ପର୍ଯ୍ୟଟକଙ୍କ ସମାଗମ ହୋଇଥାଏ। ହଜାର ହଜାର ପଯ୍ୟଟକ ଜିଲ୍ଲା ତଥା ଜିଲ୍ଲା ବାହାରୁ ଏଠାକୁ ବୁଲିଆସିଥାନ୍ତି।ହେଲେ ଦୁଃଖ ଓ ପରିତାପର ବିଷୟ ଏଠାରେ ପ୍ରଶାସନ ତରଫରୁ ସେମାନଙ୍କ ପାଇଁ ସେଭଳି କିଛି ସୁବ୍ୟବସ୍ଥା ନାହିଁ। ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ ଏବଂ ସ୍ଥାନୀୟ ସରପଞ୍ଚ ଅର୍ପିତା ପଣ୍ଡା ଏହାକୁ ପର୍ଯ୍ୟଟନ ସ୍ଥଳୀ ର ମାନ୍ୟତା ଦେବା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ପୂର୍ବତନ ବିଡ଼ିଓ ପ୍ରବୀଣ କୁମାର ବାଣୁଆ ଙ୍କ ପ୍ରୟାସ ଓ ପୂର୍ବତନ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଇଚ୍ଛାଶକ୍ତି ପାଇଁ ଏହା ଏକ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି ।ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଗତ ଜୁଲାଇ ୧୪ ତାରିଖ ଏହାକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେଇ ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିଥିଲେ । ପରେ ଏହାର ଉନ୍ନତି କରଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର ହୋଇଥିଲା । ଏଥିରେ କେବଳ ଏକ ଭ୍ୟୁ ପଏଣ୍ଟ ଓ ଏକ ଗାଧୁଆ ତୁଠ ନିର୍ମାଣ ହୋଇଛି ଯାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ। ଗତ ୩୧ ଜୁଲାଇ ୨୦୨୩ ରେ ବରଗଡ଼ର ପୂର୍ବତନ ଜିଲ୍ଲାପାଳ ମନିଷା ବାନାର୍ଜୀ ଉକ୍ତ ଡ୍ୟାମକୁ ପରିଦର୍ଶନ କରିବା ପାଇଁ ଆସିଥିବା ସମୟରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଅର୍ପିତା ପଣ୍ଡା ଜିଲ୍ଲାପାଳଙ୍କ ସହିତ ଅନେକ ସମୟ ଆଲୋଚନା କରି ଡ୍ୟାମର ଉନ୍ନତି ହେଲେ ଅଞ୍ଚଳର ଉନ୍ନତି ହୋଇ ପାରିବ ବୋଲି ଜିଲ୍ଲାପାଳ ମହୋଦୟାଙ୍କୁ ଅନୁରୋଧ କରିଥିଲେ । ଜିଲ୍ଲାପାଳ ମଧ୍ୟ ଏହାର ସମସ୍ତ ପ୍ରକାର ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତେବେ ସରକାର ପର୍ଯ୍ୟଟନ ସ୍ଥାନ ଗୁଡ଼ିକର ଉନ୍ନତି ଲାଗି ବିଭିନ୍ନ ଯୋଜନା କରୁଥିବାବେଳେ ଏହି ପର୍ଯ୍ୟଟନସ୍ଥଳୀ ଅବହେଳିତ ହୋଇପଡ଼ିଛି।ଏଠାରେ ଅନେକ ଗୁଡ଼ାଏ ଅସୁବିଧା ରହିଛି ଯେମିତି ପିଇବା ପାଣି ତଥା ଶୌଚ ଯିବା ପାଇଁ ସୁବିଧା ନାହିଁ,ପ୍ରଶାସନ ତରଫରୁ ସେ ସ୍ଥାନଟିକୁ ପରିଷ୍କାର ପରିଚ୍ଛନ୍ନ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନାହିଁ। ବର୍ଷା ହେଲେ ପର୍ଯ୍ୟଟକଙ୍କ ଆଶ୍ରୟ ଲାଗି ସେମିତି କିଛି ବ୍ୟବସ୍ଥା ନାହିଁ। ଧୀରେଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା କମିବାରେ ଲାଗିଛି। ଏଣୁ ଏସବୁ ବିଷୟକୁ ଧ୍ୟାନ ଦେଇ ଏଠାରେ ପର୍ଯ୍ୟଟକଙ୍କ ଆକର୍ଷଣକୁ ବହୁଗୁଣିତ କରିବା ପାଇଁ ଶ୍ମଶାନ ବାସୀ ଶିବସମ୍ଭୁଙ୍କର ଏକ ମନ୍ଦିର ଡାହାଣ ପାର୍ଶ୍ଵ ବାବା ଡୁଙ୍ଗୁରୀ ଉପରେ ନିର୍ମାଣ କରିବା ପାଇଁ ସଂସ୍କୃତି ବିଭାଗ ପଦକ୍ଷେପ ନେଲେ ଉଚିତ ହେବା ସହ ଏଠାରେ ଜଳକ୍ରୀଡା,ଶିଶୁ ଉଦ୍ୟାନ,ଅତିଥିଭବନ,ପାନୀୟ ଜଳ,ସୋଲାର ମାଧ୍ୟମରେ ଆଲୋକିକରଣ , ଡ୍ୟାମ ଉପର ରାସ୍ତା ଉନ୍ନତିକରଣ, ଡ୍ୟାମ ଉପର ରାସ୍ତା କଡ଼ରେ ବୃକ୍ଷ ରୋପଣ, ସିଟିଂ ବେଞ୍ଚ, ମନ୍ଦିର ଉନ୍ନତି କରଣ, ପେଭର ବ୍ଲକ ରାସ୍ତା, ୱେଲକମ ଗେଟ,ମୁଖ୍ୟରାସ୍ତା ରୁ ଡ୍ୟାମ କୁ ସଂଯୋଗ କରୁଥିବା ରାସ୍ତା କୁ ପିଚୁ ରାସ୍ତା ଭଳି ବ୍ୟବସ୍ଥା କରାଗଲେ ଏହି ପର୍ଯ୍ୟଟନ ସ୍ଥଳୀ ପ୍ରତି ପର୍ଯ୍ୟଟକଙ୍କ ଆକର୍ଷଣ ବୃଦ୍ଧି ପାଇବା ସହ ବରଗଡ଼ ଜିଲ୍ଲାର ପର୍ଯ୍ୟଟନ ମାନ ଚିତ୍ରରେ ମଲକେନ ଡ୍ୟାମ ନିଶ୍ଚିତ ରୂପେ ନୂଆ ତଥା ବିଶେଷ ସ୍ଥାନ ଅଧିକାର କରିବାବୋଲି ସାଧାରଣରେ ଦାବି ହୁଏ ।

ପଦମପୁର: ପ୍ରଶାସନ ଆଢ଼ୁଆଳରେ ମଲକେନ ଡ୍ୟାମ, ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା – ସମୀକ୍ଷା
ପଦମପୁର: ପ୍ରଶାସନ ଆଢ଼ୁଆଳରେ ମଲକେନ ଡ୍ୟାମ, ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀର ମାନ୍ୟତା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି ୧୧୦ ବାହିନୀ ବିଏସଏଫ୍‌ ମୁଖ୍ୟାଳୟରେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ପାଳିତ: ନିଶାମୁକ୍ତ ସମାଜ ଗଠନ ପାଇଁ ଯବାନଙ୍କ ଶପଥ