ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା :
ଝାରସୁଗୁଡ଼ା, ୨୦/୯ : ଜିଲ୍ଲା ପ୍ରେସ କ୍ଲବ ପକ୍ଷରୁ ଆଜି ଝାରସୁଗୁଡ଼ା ଇଂଜିନିୟରିଂ ସ୍କୁଲ ଅଡିଟୋରିୟମଠାରେ ବାର୍ଷିକ ଉତ୍ସବ ଓ ନୂଆଁଖାଇ ଭେଟଘାଟ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି l ଦିନତମାମ ଚାଲିଥିବା ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ଲୋକକଳା, ଲୋକନୃତ୍ୟ ଓ ସମ୍ବଲପୁରୀ ସଂସ୍କୃତିର ରଙ୍ଗ ଦେଖିବାକୁ ମିଳିଥିଲା l ବିଭିନ୍ନ ଅଞ୍ଚଳର କଳାକାରଙ୍କ ମନୋରମ ପରିବେଷଣରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା l ଜିଲ୍ଲା ପ୍ରେସ କ୍ଲବ ସଭାପତି ପ୍ରଶାନ୍ତ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣ କହିଥିଲେ ଯେ, ସାମ୍ବାଦିକ ଓ ପ୍ରଶାସନ ମଧ୍ୟରେ ସୁସମ୍ପର୍କ ରହିଲେ ଏହାର ସୁଫଳ ସିଧାସଳଖ ଭାବେ ଲୋକଙ୍କ ପାଖରେ ପହଞ୍ଚିଥାଏ l

ଗଣମାଧ୍ୟମ ସମାଜର ସମସ୍ୟା ଓ ଲୋକଙ୍କ ଆବଶ୍ୟକତାକୁ ପ୍ରଶାସନର ଦୃଷ୍ଟିକୁ ଆଣିବାରେ ଗୁରୁତ୍ୱପୂର୍ଣ୍ଣ ସେତୁ ଭାବେ କାର୍ଯ୍ୟ କରୁଛି ବୋଲି ସେ ମତବ୍ୟକ୍ତ କରିଥିଲେ l ଜିଲ୍ଲାପାଳ କହିଥିଲେ ଯେ, ପ୍ରଶାସନର କାର୍ଯ୍ୟକୁ ନେଇ ସାମ୍ବାଦିକମାନେ କରୁଥିବା ସକାରାତ୍ମକ ସମାଲୋଚନା ପ୍ରଶାସନକୁ ଅଧିକ ସଚେତନ ଓ ଦାୟିତ୍ୱବାନ କରିବା ସହ କାର୍ଯ୍ୟ କରିବାକୁ ଶକ୍ତି ଯୋଗାଇଥାଏ l ଝାରସୁଗୁଡ଼ାରେ ଜିଲ୍ଲାପାଳ ଭାବେ ତାଙ୍କର ଏହା ପ୍ରଥମ ଦାୟିତ୍ୱ ହୋଇଥିବାରୁ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ଅନେକ ଯୋଜନା ଓ ପରିକଳ୍ପନା ରହିଥିବା ସେ ସୂଚନା ଦେଇଥିଲେ l ସାମ୍ବାଦିକମାନଙ୍କ ଆବଶ୍ୟକତା ଓ ସମସ୍ୟା ପୂରଣ ଦିଗରେ ଜିଲ୍ଲା ପ୍ରଶାସନ ଯଥାସମ୍ଭବ ସହଯୋଗ କରିବ ବୋଲି ସେ ପ୍ରତିଶ୍ରୁତି ଦେଇ ଉପସ୍ଥିତ ସମସ୍ତଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଥିଲେ l ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଏସ୍ପି ଜେମସ ସାମଦ ଯୋଗଦେଇ ସମାଜରେ ସାମ୍ବାଦିକଙ୍କ ଭୂମିକା ଓ ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ l ସେହିପରି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ରିତାକାନ୍ତି ବଳିଆରସିଂ ନୂଆଁଖାଇ ଭେଟଘାଟ ପରମ୍ପରାର ସାମାଜିକ ଓ ସାଂସ୍କୃତିକ ମହତ୍ତ୍ୱ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ l

ନୂଆଁଖାଇ କେବଳ ଏକ ପର୍ବ ନୁହେଁ, ବରଂ ଭାଇଚାରା, ସମ୍ପର୍କ ଓ ସାମାଜିକ ଏକତାକୁ ମଜବୁତ କରୁଥିବା ଏକ ମହାନ ପରମ୍ପରା ବୋଲି ଅତିଥିମାନେ ମତ ଦେଇଥିଲେ l ଏହି ଅବସରରେ ପ୍ରେସ କ୍ଲବ ସାଧାରଣ ସମ୍ପାଦକ ଭରତ ପାତ୍ର ବାର୍ଷିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l କ୍ଲବର ବିଭିନ୍ନ କାର୍ଯ୍ୟକଳାପ, ସାମ୍ବାଦିକମାନଙ୍କ ସ୍ୱାର୍ଥ ସୁରକ୍ଷା ସହ ସାମାଜିକ ଦାୟିତ୍ୱ ପାଳନ ଦିଗରେ ଅନୁଷ୍ଠାନର ଭୂମିକା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ l ଦିନତମାମ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା ଅନୁଷ୍ଠାନର ମୁଖ୍ୟ ଆକର୍ଷଣ l ରାୟଗଡ଼ାର ଗାୟତ୍ରୀ କଳା ସଂଗଠନ ପକ୍ଷରୁ ପରିବେଷିତ ଢେମସା ନୃତ୍ୟ ଦର୍ଶକଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା l ସେହିପରି ଲୋଇସିଂହାର ଶଙ୍କର ବେହେରା ଓ ସାଥୀଙ୍କ ପକ୍ଷରୁ ପରିବେଷିତ ସମ୍ବଲପୁରୀ ନୃତ୍ୟ ଓ ଗୀତରେ ଦର୍ଶକ ମତୁଆଲା ହୋଇଥିଲେ l ଢୋଲ, ନିଶାନ ଓ ତାସାର ତାଳେ ତାଳେ ମଞ୍ଚରେ କଳାକାରଙ୍କ ଚିତ୍ତାକର୍ଷକ ପରିବେଷଣ ଦର୍ଶକଙ୍କ ମନ ମୋହିଥିଲା l କଳାହାଣ୍ଡି ସାଂସ୍କୃତିକ ପରିଷଦ ଏବଂ ବୌଦ୍ଧ ଜିଲ୍ଲାର ବାଉଁଶୁଣୀ ସାଂସ୍କୃତିକ ପରିଷଦର କଳାକାରମାନେ ବିଭିନ୍ନ ଲୋକନୃତ୍ୟ ଓ ସାଂସ୍କୃତିକ ପରିବେଷଣ ମାଧ୍ୟମରେ ମଞ୍ଚକୁ ଦୁଲୁକାଇଥିଲେ l ଲୋକକଳାର ତାଳେ ତାଳେ ଦର୍ଶକଙ୍କ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା l ଏହି ଅବସରରେ ସାମ୍ବାଦିକତା ଓ ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଜିଲ୍ଲାର ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ସମାଜସେବା କ୍ଷେତ୍ରରେ ଅବଦାନ ପାଇଁ ରମେଶ ଗାନ୍ଧୀ, ରାଜେଶ ପାଢ଼ୀ, ଅର୍ଜୁନ ମୋର, ଅରବିନ୍ଦ ବାରିକଙ୍କୁ ସମ୍ମାନିତ କରାଯାଇଥିଲା l ଏଥିସହ ବରିଷ୍ଠ ପେପର ବିକ୍ରେତା ବିଜୟ ଜେନାଙ୍କୁ ତାଙ୍କର ଦୀର୍ଘଦିନର ସେବା ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମାଧ୍ୟମରେ ସାମ୍ବାଦିକତା ସହ ସମାଜର ବିଭିନ୍ନ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଅବଦାନକୁ ସ୍ୱୀକୃତି ଦିଆଯାଇଥିଲା l ପ୍ରେସ କ୍ଲବର କାର୍ଯ୍ୟକାରୀ ସଭାପତି ପ୍ୟାରେଲାଲ ଶ୍ରୀବାସ୍ତବ ଧନ୍ୟବାଦ ଅର୍ପଣ କରିଥିଲେ l





