ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା:
ଝାରସୁଗୁଡ଼ା, ୨୩/୯ : ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ଅବସରରେ ସାରା ଦେଶରେ ସ୍ୱଚ୍ଛତା, ପରିମଳ ଓ ବର୍ଜ୍ୟ ପରିଚାଳନାକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି l ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନର ଅଂଶସ୍ୱରୂପ ଝାରସୁଗୁଡ଼ା ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ ୱାର୍ଡ ଓ ଶିକ୍ଷାନୁଷ୍ଠାନରେ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି l ସହରକୁ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ରଖିବା ପାଇଁ କେବଳ ପୌରସଂସ୍ଥାର ଉଦ୍ୟମ ଯଥେଷ୍ଟ ନୁହେଁ, ଘରୋଇ ସ୍ତରରୁ ବର୍ଜ୍ୟ ପରିଚାଳନାରେ ନାଗରିକଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସଚେତନତା କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଛି l ବିଶେଷକରି ଘରୁ ବର୍ଜ୍ୟକୁ ପୃଥକ କରିବା ଏବଂ ପୃଥକ ଭାବେ ପୌର କର୍ମଚାରୀଙ୍କୁ ହସ୍ତାନ୍ତର କରିବା ପାଇଁ ଲୋକଙ୍କୁ ଆହ୍ୱାନ କରାଯାଇଛି l ଅଭିଯାନରେ ପ୍ରତ୍ୟେକ ପରିବାରକୁ ଚାରି ପ୍ରକାରର ବର୍ଜ୍ୟ ପୃଥକୀକରଣ କରିବା ସମ୍ପର୍କରେ ସଚେତନ କରାଯାଉଛି l ରୋଷେଇ ଘରରୁ ବାହାରୁଥିବା ଅବଶିଷ୍ଟ ଖାଦ୍ୟ, ପନିପରିବା ଓ ଫଳର ଚୋପା ଆଦିକୁ ଭିଜା ବର୍ଜ୍ୟ ଭାବେ ଅଲଗା ରଖିବାକୁ କୁହାଯାଇଛି l ଏହି ବର୍ଜ୍ୟକୁ କମ୍ପୋଷ୍ଟ ପ୍ରସ୍ତୁତି କିମ୍ବା ଅନ୍ୟାନ୍ୟ ଜୈବ ପ୍ରକ୍ରିୟାକରଣରେ ବ୍ୟବହାର କରାଯାଇପାରିବ l

ସେହିପରି କାଗଜ, କାର୍ଡବୋର୍ଡ, ପ୍ଲାଷ୍ଟିକ୍, ଧାତୁ ଓ କାଚ ଭଳି ଶୁଖିଲା ବର୍ଜ୍ୟକୁ ଭିଜା ବର୍ଜ୍ୟ ସହ ମିଶାଇ ନ ଦେଇ ପୃଥକ ଭାବେ ରଖିବାକୁ ପରାମର୍ଶ ଦିଆଯାଇଛି l ଏପରି ବର୍ଜ୍ୟକୁ ପୁନଃଚକ୍ରଣ ଓ ପୁନରୁଦ୍ଧାର ପ୍ରକ୍ରିୟାରେ ବ୍ୟବହାର କରାଯାଇ ପରିବେଶ ଉପରେ ଚାପ କମାଇବା ସହ ସମ୍ପଦର ପୁନଃବ୍ୟବହାର ସମ୍ଭବ ବୋଲି କୁହାଯାଇଛି l ଘରୋଇ ବିପଜ୍ଜନକ ବର୍ଜ୍ୟ ପ୍ରତି ମଧ୍ୟ ସତର୍କ ରହିବାକୁ ସଚେତନ କରାଯାଇଛି l ବ୍ୟାଟେରି, ବଲ୍ବ, ଅବଧି ସରିଯାଇଥିବା ଔଷଧ, ରାସାୟନିକ ପାତ୍ର ଆଦିକୁ ସାଧାରଣ ବର୍ଜ୍ୟ ସହ ମିଶାଇ ନ ଦେଇ ପୃଥକ ଭାବେ ସଂଗ୍ରହ କରି ସୁରକ୍ଷିତ ନିଷ୍କାସନ ପାଇଁ ଦେବାକୁ ଲୋକଙ୍କୁ କୁହାଯାଇଛି l ଏଭଳି ବର୍ଜ୍ୟ ଅବ୍ୟବସ୍ଥିତ ଭାବେ ଫିଙ୍ଗିଲେ ମାଟି, ପାଣି ଓ ପରିବେଶ ପ୍ରଦୂଷିତ ହେବା ସହ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି ହୋଇପାରେ ବୋଲି ସଚେତନ କରାଯାଇଛି l
ଅନ୍ୟପକ୍ଷରେ ବ୍ୟବହୃତ ଡାଏପର, ସାନିଟାରୀ ପ୍ୟାଡ୍, ବ୍ୟାଣ୍ଡେଜ୍ ଆଦି ସାନିଟାରୀ ବର୍ଜ୍ୟକୁ ମଧ୍ୟ ସାଧାରଣ ବର୍ଜ୍ୟ ସହ ମିଶାଇ ନ ଦେବାକୁ ଆହ୍ୱାନ ଦିଆଯାଇଛି l ଏହି ବର୍ଜ୍ୟକୁ ଭଲ ଭାବେ ଗୁଡ଼ାଇ ପୃଥକ ଭାବେ ରଖି ପୌରସଂସ୍ଥାର ସଂଗ୍ରହକାରୀ କର୍ମଚାରୀଙ୍କୁ ହସ୍ତାନ୍ତର କରିବା ପାଇଁ ସଚେତନ କରାଯାଉଛି l

ପୌର ପରିଷଦ ପକ୍ଷରୁ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ବର୍ଜ୍ୟକୁ ଉତ୍ସସ୍ଥଳରୁ ପୃଥକ କରିବା, ଘରୋଇ ସ୍ତରରେ ସ୍ୱଚ୍ଛତା ବଜାୟ ରଖିବା, ଅନାବଶ୍ୟକ ଭାବେ ଏଣେତେଣେ ବର୍ଜ୍ୟ ନ ଫିଙ୍ଗିବା ଏବଂ ପୌର କର୍ମଚାରୀଙ୍କୁ ପୃଥକ ବର୍ଜ୍ୟ ହସ୍ତାନ୍ତର କରିବା ଉପରେ ଜୋର ଦିଆଯାଇଛି l ବିଭିନ୍ନ ୱାର୍ଡରେ ଲୋକଙ୍କୁ ସ୍ୱଚ୍ଛତାର ଗୁରୁତ୍ୱ ବୁଝାଇବା ସହ ନିଜ ଘର, ରାସ୍ତା, ପଡ଼ୋଶ ଓ ସହରକୁ ପରିଷ୍କାର ରଖିବାରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ କରାଯାଇଛି l ପୌର ପରିଷଦର ସ୍ୟାନିଟେଶନ ବିଶେଷଜ୍ଞ ଆଲୋକ ଜଗତଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଅଭିଯାନରେ ବିଭିନ୍ନ ୱାର୍ଡର ସ୍ୱଚ୍ଛସାଥୀ, ସୁପରଭାଇଜରଙ୍କ ସମେତ ପୌରସଂସ୍ଥାର ଅନ୍ୟାନ୍ୟ କର୍ମଚାରୀ ସାମିଲ ହୋଇ ଲୋକଙ୍କୁ ସଚେତନ କରିଥିଲେ l ଘରୁ ବର୍ଜ୍ୟ ପୃଥକୀକରଣ ଅଭ୍ୟାସକୁ ଦୈନନ୍ଦିନ ଜୀବନର ଅଂଶ କରିବା ସହ ‘ସ୍ୱଚ୍ଛ ସହର, ସୁସ୍ଥ ଜୀବନ’ ଗଠନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ପୌର ପରିଷଦ ପକ୍ଷରୁ ବାର୍ତ୍ତା ଦିଆଯାଇଛି l





