ସୁନୀଲ କୁମାର ବିଶି /ସମୀକ୍ଷା ନ୍ୟୁଜ/ଜିଲ୍ଲା ପ୍ରତିନିଧି/କଳାହାଣ୍ଡି:
ଭବାନୀପାଟଣା, ୨୩/୯: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓ ଗଭୀର ଅବପାତ ଯୋଗୁଁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ଏନେଇ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଦକ୍ଷିଣ ଓଡ଼ିଶାର ଜିଲ୍ଲାପାଳମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଏହା ପୂର୍ବରୁ ଗତ ୨୨ ତାରିଖରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର ଓ ବିଡିଓମାନଙ୍କ ସହ ଜିଲ୍ଲାର ପ୍ରସ୍ତୁତି ନେଇ ସମୀକ୍ଷା କରିଥିଲେ। ଆଜିର ବୈଠକରେ ଜିଲ୍ଲାପାଳଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବୈତୁରା ଦୀପଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ।

ସମ୍ଭାବ୍ୟ ବର୍ଷା ଓ ବିପର୍ଯ୍ୟୟ ପରିସ୍ଥିତିକୁ ଦେଖି ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ତହସିଲଦାର ଓ ବିଡିଓମାନଙ୍କ ଛୁଟି ବାତିଲ କରାଯାଇଛି। ସେମାନଙ୍କୁ ନିଜ ନିଜ ମୁଖ୍ୟାଳୟରେ ସଜାଗ ରହିବା ସହ ଅନୁମତି ବିନା ମୁଖ୍ୟାଳୟ ଛାଡ଼ି ନଯିବାକୁ ନିର୍ଦ୍ଦେଶ ରହିଛି।
ପଞ୍ଚାୟତ ଓ ବ୍ଲକସ୍ତରରେ ଚୂଡ଼ା, ଚାଉଳ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ପଦକ୍ଷେପ ନିଆଯାଇଛି। ସହରାଞ୍ଚଳର ଡ୍ରେନ୍ଗୁଡ଼ିକର ଡି-ସିଲ୍ଟିଂ କରି ବର୍ଷାଜଳର ସୁଗମ ନିଷ୍କାସନ ବ୍ୟବସ୍ଥା କରାଯାଉଛି। ଗଛ ପଡ଼ି ରାସ୍ତା ଅବରୋଧ କିମ୍ବା ବିଦ୍ୟୁତ୍ ସରବରାହ ବାଧାପ୍ରାପ୍ତ ହେଲେ ତୁରନ୍ତ ପୁନଃସ୍ଥାପନ ପାଇଁ ଅଗ୍ନିଶମ ବିଭାଗ ଓ ଟାଟା ପାୱାରକୁ ସଜାଗ ରଖାଯାଇଛି। ଥୁଆମୂଳ ରାମପୁର, ଏମ୍.ରାମପୁର, କୋକସରା ଓ ଲାଞ୍ଜିଗଡ଼ ବ୍ଲକର ସମ୍ଭାବ୍ୟ ଭୂସ୍ଖଳନ ଅଞ୍ଚଳ ଚିହ୍ନଟ କରି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଗର୍ଭବତୀ ମହିଳାଙ୍କୁ ଆବଶ୍ୟକତା ଅନୁସାରେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରିବା ସହ ୧୩ଟି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍କୁ ଔଷଧ ସହ ପ୍ରସ୍ତୁତ ରଖାଯାଇଛି। ବିଭିନ୍ନ ସ୍ଥାନରେ ୨୮ଟି ସାମୟିକ ଆଶ୍ରୟସ୍ଥଳୀ ମଧ୍ୟ ପ୍ରସ୍ତୁତ ରହିଛି। ସମସ୍ତ ତହସିଲରେ ପ୍ରାୟ ୮,୦୦୦ ପଲିଥିନ ମହଜୁଦ ରଖାଯାଇଛି।

ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସେପ୍ଟେମ୍ବର ୨୩ ଓ ୨୪ ତାରିଖରେ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି ହୋଇଛି।
ମତ୍ସ୍ୟଜୀବୀ ଓ ସାଧାରଣ ଲୋକଙ୍କୁ ଖରାପ ପାଣିପାଗ ଏବଂ ବଜ୍ରପାତ ସମୟରେ ନଦୀକୁ ନଯିବା ପାଇଁ ମାଇକିଂ ମାଧ୍ୟମରେ ସଚେତନ କରାଯାଉଛି। କୌଣସି ଜରୁରୀ ପରିସ୍ଥିତିରେ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷର ୦୬୬୭୦-୨୩୦୪୫୭ ଓ ୦୬୬୭୦-୨୩୦୪୫୫ ନମ୍ବରରେ ଯୋଗାଯୋଗ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଜିଲ୍ଲା ଓ ବ୍ଲକସ୍ତରୀୟ କଣ୍ଟ୍ରୋଲ ରୁମ୍ଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ। ଏହି ସମୟରେ ଜନସାଧାରଣ ସଜାଗ ରହି ପ୍ରଶାସନ ପକ୍ଷରୁ ଜାରି ସରକାରୀ ସୂଚନା ଓ ପରାମର୍ଶ ପାଳନ କରିବା ସହ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।





