ଭରତ ବିଶି / କଳାହାଣ୍ଡି / ସମୀକ୍ଷା ନ୍ୟୁଜ
ଲଘୁଚାପ ଜନିତ ସମ୍ଭାବ୍ୟ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଛୁଟି ଘୋଷଣା କରାଯାଇଛି। ଆଜି ଅର୍ଥାତ ୨୪ ତାରିଖ ଦିନ ଜିଲ୍ଲାର ସମସ୍ତ ସ୍କୁଲ, କଲେଜ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି କଳାହାଣ୍ଡି ଜିଲ୍ଲାପାଳ। ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବେଳେ ଶିକ୍ଷକ ଓ କର୍ମଚାରୀମାନେ ନିୟମିତ କାର୍ଯ୍ୟ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୪ ତାରିଖ ଦିନ କଳାହାଣ୍ଡି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ତଥା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ କଳାହାଣ୍ଡି ଜିଲ୍ଲାପାଳ ଏକ ସରକାରୀ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନିର୍ଦ୍ଦେଶନାମା ଅନୁଯାୟୀ ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଜି ବନ୍ଦ ରହିବ।

ଏଥିସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAVs), କେନ୍ଦ୍ରୀୟ ବିଦ୍ୟାଳୟ (KVs), ଏକଲବ୍ୟ ସ୍କୁଲ (EMRS) ଏବଂ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ଛୁଟି ଘୋଷଣା କରାଯାଇଛି। ତେବେ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିଲେ ମଧ୍ୟ ସମସ୍ତ ଶିକ୍ଷକ ଏବଂ କର୍ମଚାରୀ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ ଏବଂ ବାକିଥିବା ବିଦ୍ୟାଳୟ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ବୋଲି ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।





