ସମୀକ୍ଷା ବ୍ୟୁରୋ ନ୍ୟୁଜ /କଳାହାଣ୍ଡି
ଭବାନୀପାଟଣା, ୧୨ା୧୦: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗର ତ୍ୱରିତ ତଥା ଗୁଣାତ୍ମକ ସମାଧାନ ଉଦ୍ଦେଶ୍ୟରେ ଏହି ଶିବିର ଆୟୋଜନ କରାଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ ଓ ଆରକ୍ଷୀ ଅଧୀକ୍ଷକ ନାଗରାଜ ଦେଭରକୋଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପ୍ରଧାନ, ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଭର୍ଷିତା ଆଦିକ୍ୟୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ।

ଶିବିରରେ ମୋଟ ୩୦ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୪ଟି ବ୍ୟକ୍ତିଗତ ଓ ୪ଟି ସାମୂହିକ ଅଭିଯୋଗ ରହିଥିଲା। ଗ୍ରହଣ କରାଯାଇଥିବା ଅଭିଯୋଗ ମଧ୍ୟରୁ ୪ଟିର ଘଟଣାସ୍ଥଳରେ ତତ୍କାଳ ସମାଧାନ କରାଯାଇଥିଲା। ଏହାସହ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ୨ ଜଣ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।




