ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ସୋହେଲା,୧୩/୧୦ ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ସାରଦୀୟ ନବରାତ୍ର ଦୁର୍ଗାପୂଜା ଅବସରରେ ସ୍ଥାନୀୟ ଚେତନା ମଣ୍ଡପରେ ଅନୁଷ୍ଠିତ ହେଉଥିବା ରାମଲୀଳା ମହୋତ୍ସବରେ ତୃତୀୟ ସନ୍ଧ୍ୟାରେ ମନ୍ଥରାର କୁମନ୍ତ୍ରଣା ଶ୍ରୀରାମ ଲକ୍ଷ୍ଣଣ ଓ ସୀତାଙ୍କ ବନବାସ ଗମନ ଶ୍ରୀରାମ ଗୁହକ ଶବର ଭେଟ ଓ ଭରତ ମିଳନ ପ୍ରଭୃତି ଉପାଖ୍ୟାନ ଗୁଡିକ ମଞ୍ଚସ୍ଥ ହୋଇଥିଲା। ସେଇପରି ମୁକ୍ତାକାଶ ମଞ୍ଚରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ରୁଷି ବିଶ୍ଵାମିତ୍ରଙ୍କ ଗଙ୍ଗା ନଦୀରେ ନୌକା ଯାତ୍ରା ଦୃଶ୍ୟ ସ୍ଥାନୀୟ ପୁର୍ଣିବନ୍ଧରେ ଅନୁଷ୍ଠିତ ହୋଇଥିଲା। ସେଇପରି ଭରତ ମିଳନ ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା। ଚେତନା ମଣ୍ଡପରେ ଅଯୋଧ୍ୟା ନରେଶ ଦଶରଥ ଜ୍ୟେଷ୍ଠପୁତ୍ର ଶ୍ରୀରାମଙ୍କ ରାଜ୍ୟଭିଷେକର ଆୟୋଜନ କରୁଥିବା ବାର୍ତା ଶୁଣି ଦାସୀ ମନ୍ଥରା ମହାରାଣୀ କୈକେୟୀଙ୍କୁ କୁମନ୍ତ୍ରଣା ଦେଇଛି। ସ୍ୱମ୍ବରାଶୁର ଯୁଦ୍ଧ ସମୟରେ ରାଜା ଦଶରଥ କୈକେୟୀଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ ତାଙ୍କ ବିରତା ଓ ସାହାସିକତା ପାଇଁ ତାଙ୍କୁ ଦୁଇଟି ବର ମାଗିବାକୁ ପ୍ରତିଶୃତି ଦେଇଥିବା କଥା ସ୍ମରଣ କରାଇ ମନ୍ଥରା କୈକେୟୀଙ୍କ ମନ ପରିବର୍ତନ କରିବାରେ ସକ୍ଷମ ହୋଇଛି। ତଦ ଅନୁସାରେ ଦଶରଥଙ୍କୁ ଶପଥ କରାଇ ପ୍ରଥମ ବର ରୂପେ ଭରତ ହେବେ ଅଯୋଧ୍ୟାର ରାଜା ଓ ଦ୍ଵିତୀୟ ବର ରୂପେ ଶ୍ରୀରାମ ଚଉଦ ବର୍ଷ ପାଇଁ ବନବାସ ଯିବେ ବୋଲି କୈକେୟୀ ବର ଦୁଇଟି ମାଗିଛନ୍ତି। ସୂର୍ଯ୍ୟ ବଂଶୀ, ସତ୍ୟସନ୍ଧ ରାଜା ଦଶରଥ ସତ୍ୟ ରକ୍ଷା କରି bବର ଦୁଇଟି ଦେବାକୁ ବାଧ୍ୟ ହୋଇଛନ୍ତି। ପିତୃ ସତ୍ୟ ପାଳନ କରି ଶ୍ରୀରାମ ବନକୁ ଯିବା ଜାଣି ପତ୍ନୀ ସୀତା ଓ ରାମାନୁଗତ ଅନୁଜ ଲକ୍ଷଣ ତାଙ୍କ ସହ ବନ ଗମନ କରିବା ପାଇଁ ଇଛା ପ୍ରକାଶ କରିବାରୁ ତିନି ଜଣ ମିଶି ଶୋକାକୁଳ ପରିବେଶ ମଧ୍ୟରେ ସମସ୍ତଙ୍କ ଠାରୁ ବିଦାୟ ଘେନି ବନଗାମୀ ହୋଇଛନ୍ତି। ପ୍ରିୟ ପୁତ୍ର ବିରହରେ ରାଜା ଦଶରଥ ପ୍ରାଣତ୍ୟାଗ କରିଛନ୍ତି। ଶ୍ରବଣ କୁମାରଙ୍କ ଅନ୍ଧ ପିତାମାତାଙ୍କ ଅଭିଶାପ ଫଳବତୀ ହୋଇଛି।

ବନବାସ ଗମନ କାଳରେ ଗଙ୍ଗା ନଦୀ ନିକଟସ୍ଥ ଶୃଙ୍ଗବୀର ପୁରରେ ରାମ ଭକ୍ତ ଗୁହକ ରାମଙ୍କ ସାକ୍ଷାତ ପାଇଁ ତାଙ୍କୁ ବନବାସ କଷ୍ଟରୁ ଦୁରେଇ ରଖିବା ପାଇଁ ଅନେକ ପ୍ରୟାସ କରି ବିଫଳ ହୋଇଛନ୍ତି। ଶ୍ରୀରାମ ଅନୁଗତ ଭରତ ଯିଏ କି ଏ ସମସ୍ତ ଘଟଣା ସମ୍ବନ୍ଧରେ ଅଜଣା ଥିଲେ ମାମୁ ଘରୁ ଫେରିବା ପରେ ପିତା ଦଶରଥଙ୍କ ମୃତ୍ୟୁ ଓ ରାମ ଲକ୍ଷ୍ମଣ ସୀତାଙ୍କ ବନବାସ ଯିବା ଖବର ଶୁଣି ମର୍ମାହତ ହୋଇଛନ୍ତି। ଏ ସବୁ ଘଟଣା ପଛରେ ମାତା କୈକେୟୀ ଓ ତାଙ୍କ ପ୍ରିୟ ଦାସୀ ମନ୍ଥରା ର ହାତ ଥିବା ଜାଣି କୈକେୟୀ ଓ ମନ୍ଥରା କୁ ଭତ୍ସନା କରିଛନ୍ତି। ନିଜେ ରାଜ ପଦ ଗ୍ରହଣ ନ କରିବା ପାଇଁ ଶପଥ ନେଇ. ପିତାଙ୍କ ଅନ୍ତେଷ୍ଟି କ୍ରିୟା ସମାପନ କରି ପ୍ରାଣ ପ୍ରିୟ ଭାଇ ଶ୍ରୀରାମ ଲକ୍ଷ୍ମଣ ସୀତାଙ୍କୁ ଫେରାଇ ଆଣିବା ପାଇଁ ଭରତ କୁଳ ଗୁରୁ ବଶିଷ୍ଟ,ମନ୍ତ୍ରୀ ସୁମନ୍ତ ଓ ପ୍ରଜା ଗଣ ସହ ଚିତ୍ରକୂଟ ଯାତ୍ରା କରିଛନ୍ତି। ସେଠାରେ ଅବସ୍ଥାନ କରୁଥିବା ଶ୍ରୀରାମ ଲକ୍ଷ୍ମଣ ସୀତା ଙ୍କୁ ସାକ୍ଷାତ କରି ସମସ୍ତ ପ୍ରକାର ପ୍ରୟାସ ସତ୍ୱେ ବିଫଳ ହୋଇଛନ୍ତି। ପରିଶେଷରେ ଶ୍ରୀରାମଙ୍କ ପାଦୁକା (କଠାଉ) ଦୁଇଟିକୁ ରାଜ ସିଂହାସନରେ ସ୍ଥାପନ କରି ତାଙ୍କର ପ୍ରତିନିଧି ରୂପେ ଭରତ ରାଜ୍ୟ ଶାସନ କାର୍ଯ୍ୟ ତୁଲାଇବା ଦୃଶ୍ୟ ମଞ୍ଚସ୍ଥ ହୋଇଥିଲା। ଶେଖ ଜଲିଲଙ୍କ ନିର୍ଦେଶନାରେ ଚାଲିଥିବା ରାମଲୀଲା କାର୍ଯ୍ୟକ୍ରମରେ ଆକାଶ, ମନୋଜ ତୁଷାର ରିଙ୍କୁ ପରାଗ ଶମ୍ଭୁ ସମୀର ସରୋଜ ମଧୁ, ଶ୍ଵେତା, ବୀଣା, ଲକ୍ଷ୍ମୀ, ମଧୁସ୍ମିତା, ପୂଜା ପ୍ରମୁଖ କଳାକାର ଜୀବନ୍ତ ଅଭିନୟ କରିଥିଲେ।





