ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଖୋରଧାରେ ବେଆଇନ କଳାପଥର ଖନନ ଅଭିଯୋଗରେ ୪ ଗିରଫ:୪ଟି ହାଇୱା ଓ ପୋକଲେନ୍‌ ମେସିନ୍‌ ଜବତ, ଖୁଆ ପାହାଡ଼ରେ ପୁଲିସର ଚଢ଼ଉ

ଖୋରଧାରେ ବେଆଇନ କଳାପଥର ଖନନ ଅଭିଯୋଗରେ ୪ ଗିରଫ:୪ଟି ହାଇୱା ଓ ପୋକଲେନ୍‌ ମେସିନ୍‌ ଜବତ, ଖୁଆ ପାହାଡ଼ରେ ପୁଲିସର ଚଢ଼ଉ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା, ୧୪।୧୦:- ଖୋରଧା ସଦର ଥାନା ଅନ୍ତର୍ଗତ ଖୁଆ ପାହାଡ଼ରେ ବେଆଇନ ଭାବେ କଳାପଥର ଖନନ ଓ ପରିବହନ କରାଯାଉଥିବା ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ବୁଧବାର ସକାଳେ ଏହି ଚଢ଼ଉ ସମୟରେ କଳାପଥର ବୋଝେଇ ୪ଟି ହାଇୱା ଟ୍ରକ ସହ ଗୋଟିଏ ପୋକଲେନ ମେସିନ ଜବତ କରାଯାଇଛି। ଖୋରଧା ଅଞ୍ଚଳରେ ବେଆଇନ ଖଣି କାରବାରକୁ ନେଇ ପୁଣି ଚର୍ଚ୍ଚା ଜୋର୍‌ ଧରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଗଞ୍ଜାମ ଜିଲ୍ଲା ଚାମୁଣ୍ଡା ଗ୍ରାମର ସିମାଞ୍ଚଳ କର (୩୬), ବୌଦ୍ଧ ଜିଲ୍ଲା ତିରଡ଼ା ଗ୍ରାମର ଅଜିତ ସ୍ୱାଇଁ (୨୯), ଖୋରଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମଳିପଡା ଗ୍ରାମର ସତ୍ୟନାରାୟଣ ମହାପାତ୍ର (୩୮) ଏବଂ ଖୋରଧା ସଦର ଥାନା ଅନ୍ତର୍ଗତ ଦୁର୍ଗାପୁର ଗ୍ରାମର ପ୍ରକାଶ କୁମାର ଛୋଟରାୟ (୩୬)। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଖୁଆ ପାହାଡ଼ରେ ବେଆଇନ ଭାବେ କଳାପଥର ଖନନ ଚାଲିଥିବା ସମ୍ପର୍କରେ ସୂଚନା ପାଇ ଅକ୍ଟୋବର ୧୪ ତାରିଖ ସକାଳ ପ୍ରାୟ ୭ଟା ୨୦ ମିନିଟ୍‌ରେ ଖୋରଧା ସଦର ଥାନା ପୁଲିସର ଏକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା। ଦୁଇଜଣ ସାକ୍ଷୀଙ୍କ ଉପସ୍ଥିତିରେ ପୁଲିସ ଚଢ଼ଉ କରିବା ସମୟରେ ପୋକଲେନ ମେସିନ ସାହାଯ୍ୟରେ ପାହାଡ଼ରୁ କଳାପଥର ଖନନ କରାଯାଉଥିବା ଏବଂ ତାହାକୁ ହାଇୱା ଟ୍ରକ ରେ ବୋଝେଇ କରାଯାଉଥିଲା। ପୁଲିସକୁ ଦେଖି କେତେକ ବ୍ୟକ୍ତି ନିକଟସ୍ଥ ବୁଦାଳିଆ ଅଞ୍ଚଳକୁ ଦୌଡ଼ି ପଳାଇଥିଲେ ।

ଏହି ସମୟରେ ପୁଲିସ ୪ଟି ହାଇୱା ଟ୍ରକ୍‌କୁ ଅଟକାଇ ଯାଞ୍ଚ କରିଥିଲା। ଜବତ ଟ୍ରକ୍‌ ଗୁଡ଼ିକର ପଞ୍ଜୀକରଣ ନମ୍ବର ହେଉଛି ଓଡ଼ି-୦୨-ବିକେ-୦୮୦୭, ଓଡ଼ି-୦୨-କ୍ୟୁ-୭୨୭୨, ଓଡ଼ି-୦୨-ଡବ୍ଲ୍ୟୁ-୨୯୦୮ ଏବଂ ଓଡ଼ି-୦୨-ଏଭି-୭୫୧୭। ଏଥିମଧ୍ୟରୁ ଗୋଟିଏ ଟ୍ରକ୍‌ରେ ପୂର୍ଣ୍ଣ ମାତ୍ରାରେ ଓ ଅନ୍ୟ ତିନୋଟିରେ ଆଂଶିକ ଭାବେ କଳାପଥର ବୋଝେଇ ହୋଇଥିଲା। ଖନନ କାର୍ଯ୍ୟରେ ବ୍ୟବହୃତ ପୋକଲେନ୍‌ ମେସିନଟିର ମଡେଲ୍‌ ନମ୍ବର ଏସ୍‌ୱାଇ୨୧ଓସି ଏବଂ ସିରିଏଲ୍‌ ନମ୍ବର ଏସୱାଇ୦୨୦ସିଏଫ୍‌୦୬୨୨ଡି୮ ବୋଲି ପୁଲିସ ସୂଚନା ଦେଇଛି । ଖଣିଜ ପଦାର୍ଥ ପରିବହନ ପାଇଁ ଆବଶ୍ୟକ ଟ୍ରାନଜିଟ ପରମିଟ, ରୟାଲ୍ଟି ରସିଦ, ଚାଲାଣ କିମ୍ବା ଅନ୍ୟାନ୍ୟ ବୈଧ କାଗଜପତ୍ର ଦେଖାଇବାରେ ଗୋଟିଏ ଟ୍ରକ୍‌ର ଚାଳକ ବିଫଳ ହୋଇଥିବା ପୁଲିସ କହିଛି। ସେହିପରି ଘଟଣାସ୍ଥଳରେ କଳାପଥର ଖନନ ପାଇଁ ବୈଧ ଲିଜ, ଲାଇସେନ୍ସ କିମ୍ବା ଅନୁମତିପତ୍ର ନଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଜବତ ଯାନବାହନ ଓ ଖନନ ମେସିନକୁ ସାକ୍ଷୀଙ୍କ ଉପସ୍ଥିତିରେ ଜବତ କରାଯାଇ ଜବତ ତାଲିକା ପ୍ରସ୍ତୁତ କରାଯାଇଥିଲା। ଏହି ଘଟଣାରେ ଅଭିଯୋଗକାରୀ ଓ ଅନ୍ୟ ସାକ୍ଷୀଙ୍କ ବୟାନ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବି.ଏନ.ଏସ.ଏସ)ର ଧାରା ୧୮୦ ଅନୁଯାୟୀ ରେକର୍ଡ କରାଯାଇଛି। ଏହା ସହିତ ଅଞ୍ଚଳରେ ବେଆଇନ ଖନନ ଓ ପଥର ପରିବହନ କାରବାରରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେନେଇ ସ୍ଥାନୀୟ ଭାବେ ତଦନ୍ତ କରାଯାଉଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଅଧିକ ଆର୍ଥିକ ଲାଭ ଉଦ୍ଦେଶ୍ୟରେ ସଂଗଠିତ ଭାବେ କଳାପଥର ଖନନ ଓ ପରିବହନ କରାଯାଉଥିବା ସନ୍ଦେହ କରାଯାଉଛି। ଖନନ ହୋଇଥିବା ପଥର ସ୍ଥାନୀୟ ଅଞ୍ଚଳରେ ବିକ୍ରି କରାଯାଉଥିବା ନେଇ ମଧ୍ୟ ତଦନ୍ତରେ ସୂଚନା ମିଳିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ପାହାଡ଼ ଖନନ, ଭାରୀଯାନ ଚଳାଚଳ ଓ ବେପରୁଆ ଗାଡ଼ି ଚାଳନାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଥିବା କଥା ମଧ୍ୟ ପୁଲିସ ରିପୋର୍ଟରେ ଉଲ୍ଲେଖ ରହିଛି।

ଖୋରଧାରେ ବେଆଇନ କଳାପଥର ଖନନ ଅଭିଯୋଗରେ ୪ ଗିରଫ:୪ଟି ହାଇୱା ଓ ପୋକଲେନ୍‌ ମେସିନ୍‌ ଜବତ, ଖୁଆ ପାହାଡ଼ରେ ପୁଲିସର ଚଢ଼ଉ – ସମୀକ୍ଷା

ଏ ସଂକ୍ରାନ୍ତରେ ଖୋରଧା ସଦର ଥାନାରେ କେସ ନମ୍ବର ୫୦୨, ତାରିଖ ୧୪.୧୦.୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୩୨୯(୩), ୧୧୨(୨), ୬୧(୨), ୩୦୫(ଇ) ଓ ୩(୫) ସହିତ ଓଡ଼ିଶା କ୍ଷୁଦ୍ର ଖଣିଜ ରିହାତି ନିୟମାବଳୀର ଧାରା ୫୧(୧)(ଆଇ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପରେ ସେମାନଙ୍କୁ ଅଦାଲତରେ ହାଜର କରାଯାଇଥିବାବେଳେ ୧୫ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇବା ନିମନ୍ତେ ପୁଲିସ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇଥିବା ଜଣାପଡ଼ିଛି। ଏହି ବେଆଇନ ଖନନ କାରବାରରେ ଜବତ ଗାଡ଼ି ଓ ପୋକଲେନ୍‌ ମେସିନ୍‌ର ମାଲିକ, ଅନ୍ୟ ଟ୍ରକ୍‌ଗୁଡ଼ିକର ଚାଳକ ଏବଂ ପ୍ରକାଶ ରାଉତରାୟଙ୍କ ସମ୍ଭାବ୍ୟ ଭୂମିକା ସମେତ ଅନ୍ୟ ସନ୍ଦିଗ୍ଧଙ୍କ ସମ୍ପୃକ୍ତି ନେଇ ପୁଲିସ ତଦନ୍ତ ଜାରି ରଖିଛି। ତେବେ ଏହି ବ୍ୟକ୍ତିମାନଙ୍କର ନିର୍ଦ୍ଦିଷ୍ଟ ଭୂମିକା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
ପରବର୍ତ୍ତୀ ଖବର ପାଟଣା କଲେଜ ଛାତ୍ର ନିର୍ବାଚନ ପ୍ରଚାର ଶେଷ, ଭୋଟ ପାଇଁ ଘରେ ଘରେ ବୁଲୁଛନ୍ତି ପ୍ରାର୍ଥୀ