ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୪/୧୦/୨୬ – କିଛିଦିନ ପୂର୍ବରୁ ବିଭିନ୍ନ ରେଳ ଅଧିକାରୀ ଗୋରୁମହିଷାଣି ଓ ବାଦାମପାହାଡ଼ ପରିଦର୍ଶନରେ ଆସି ଫେରିଯାଇଥିବା ବେଳେ ବାଦାମପାହାଡ଼-କେନ୍ଦୁଝରଗଡ଼ ନୂତନ ରେଳପଥ ପ୍ରକଳ୍ପକୁ ନେଇ କେନ୍ଦ୍ର ସରକାରଙ୍କ ଏକ ବଡ଼ ପଦକ୍ଷେପ ନେଇ ମୟୂରଭଞ୍ଜିଆଙ୍କ ମନରେ ଆନନ୍ଦ ଭାବ ପ୍ରକାଶ ପାଇଛି । ଦକ୍ଷିଣ-ପୂର୍ବ ରେଳପଥ ନିର୍ମାଣ ସଂଗଠନ ପକ୍ଷରୁ ୧୨ ଅକ୍ଟୋବର ୨୦୨୬ରେ ପ୍ରକାଶିତ ବିଜ୍ଞପ୍ତିରେ ଜମି ଅଧିଗ୍ରହଣ ନେଇ ଚୂଡ଼ାନ୍ତ ଘୋଷଣା ହୋଇଛି । ବିଜ୍ଞପ୍ତି ଅନୁଯାୟୀ ଏହି ରେଳପଥର ମୋଟ ଦୈର୍ଘ୍ୟ ରହିଛି ୮୨.୦୭ କିମି । ଏହା ମଧ୍ୟରେ ୪୭.୧୨ କିମି ମୟୂରଭଞ୍ଜ ଜିଲ୍ଲା ମଧ୍ୟରେ ଅତିକ୍ରମ କରୁଛି । ପ୍ରକଳ୍ପର ନିର୍ମାଣ, ରକ୍ଷଣାବେକ୍ଷଣ ଏବଂ ପରିଚାଳନା ଉଦ୍ଦେଶ୍ୟରେ ଆବଶ୍ୟକ ଜମି ଅଧିଗ୍ରହଣ ଲାଗି ରେଳପଥ ଅଧିନିୟମ, ୧୯୮୯ର ଧାରା ୨୦-ଇ ଅଧୀନରେ କେନ୍ଦ୍ର ସରକାର ଏହି ଆନୁଷ୍ଠାନିକ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରାରମ୍ଭିକ ବିଜ୍ଞପ୍ତି ୨୪ ଅକ୍ଟୋବର ୨୦୨୫ରେ ଜାରି ହୋଇ ଏହି ପ୍ରକଳ୍ପ ପାଇଁ ପ୍ରାରମ୍ଭିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜମି ଅଧିଗ୍ରହଣ ନେଇ ଧାର୍ଯ୍ୟ ସମୟ ମଧ୍ୟରେ କୌଣସି ଆପତ୍ତି କିମ୍ବା ଅଭିଯୋଗ ଆସିନଥିଲା । କର୍ତ୍ତୃପକ୍ଷ ରିପୋର୍ଟ କେନ୍ଦ୍ରକୁ ଦେବା ପରେ ଏବେ ଏହା ଚୂଡ଼ାନ୍ତ ଘୋଷଣା ହୋଇଛି । ସରକାରୀ ଭାବେ ଏହି ଘୋଷଣା ପ୍ରକାଶିତ ହେବା ପରେ ଅନୁସୂଚୀରେ ଥିବା ଜମି ଆଇନ ଅନୁଯାୟୀ କେନ୍ଦ୍ର ସରକାରଙ୍କ ନିକଟରେ ନ୍ୟସ୍ତ ହେବ । ଏହି ରେଳପଥ ନିର୍ମାଣ ହେଲେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ରେଳ ସଂଯୋଗ ସୁଦୃଢ଼ ହେବା ସହିତ ଖଣିଜ ପରିବହନ, ଯାତାୟାତ ଓ ଆର୍ଥିକ ବିକାଶପଥ ସୁଗମ ହେବ ବୋଲି ଜିଲ୍ଲାବାସୀଙ୍କ ଅନେକ କଳ୍ପନା ରହିଛି । ତେବେ ନିର୍ମାଣ କେବେ ଆରମ୍ଭ ଓ ଶେଷ ହେବ ସେ ନେଇ ବିଜ୍ଞପ୍ତିରେ ସମୟସୀମା ନାହିଁ । ଖବର ନେଇ ଜିଲ୍ଲାବାସୀଙ୍କ ମନରେ ଆନନ୍ଦର ଲହରୀ ଦେଖାଦେଇଛି ଏବଂ ଶୀଘ୍ର କାମ ଆରମ୍ଭ ଓ ଅନ୍ୟ ଦୁଇ ବାଙ୍ଗିରିପୋଷି-ଚାକୁଳିଆ ଓ ବାଙ୍ଗିରିପୋଷି-ଗୋରୁମହିଷାଣି ନୂତନ ରେଳପଥର ଅଗ୍ରଗତି ନେଇ ଅପେକ୍ଷାରେ ରହିଛନ୍ତି ଜିଲ୍ଲାବାସୀ ।





