ଦୁର୍ଗେଶ ନନ୍ଦନ ମହାପାତ୍ର /ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:
ପ୍ରେମରେ ବିଶ୍ୱାସ ଥାଏ।ବିବାହରେ ପ୍ରତିଶ୍ରୁତି ଥାଏ ଓ ସମ୍ପର୍କରେ ଥାଏ ଭରସା | କିନ୍ତୁ ଯେତେବେଳେ ସେହି ଭରସାର ସ୍ଥାନ ନିଏ ସନ୍ଦେହ, ପ୍ରତାରଣା, ପରକୀୟା ଓ ପ୍ରତିଶୋଧ ସେତେବେଳେ ସମ୍ପର୍କର କାହାଣୀ କେବଳ ବିଚ୍ଛେଦରେ ଅଟକୁନାହିଁ। କେତେକ ଘଟଣାରେ ଏହା ପହଞ୍ଚୁଛି ହତ୍ୟା ପର୍ଯ୍ୟନ୍ତ। ଦେଶର କିଛି ଚର୍ଚ୍ଚିତ ମାମଲା ଏବେ ଏହି ପ୍ରଶ୍ନ ଉଠାଇଛି ।
ମେରଠର ‘ବ୍ଲୁ ଡ୍ରମ୍’ ମାମଲା
ଦେଶକୁ ଦୋହଲାଇଦେଇଥିବା ମେରଠର ‘ବ୍ଲୁ ଡ୍ରମ୍’ ହତ୍ୟା ମାମଲା ଏହାର ସବୁଠାରୁ ଚର୍ଚ୍ଚିତ ଉଦାହରଣ ମଧ୍ୟରୁ ଗୋଟିଏ। ସୌରଭ ରାଜପୁତଙ୍କୁ ତାଙ୍କ ପତ୍ନୀ ମୁସ୍କାନ ରସ୍ତୋଗୀ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଲା ହତ୍ୟା କରିଥିବା ମାମଲାରେ ଦୁଇଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ମେରଠର ଅଦାଲତ ୧୪ ଅକ୍ଟୋବର ୨୦୨୬ରେ ମୃତ୍ୟୁଦଣ୍ଡ ଦେଇଛନ୍ତି। ଅଭିଯୋଗ ଅନୁସାରେ, ସୌରଭଙ୍କୁ ହତ୍ୟା ପରେ ତାଙ୍କ ମୃତଦେହକୁ ଖଣ୍ଡବିଖଣ୍ଡ କରି ଏକ ନୀଳ ଡ୍ରମ୍ରେ ସିମେଣ୍ଟ ଭରି ଲୁଚାଇ ରଖାଯାଇଥିଲା। ଅଦାଲତରେ ମାମଲାରେ ୨୨ ଜଣ ସାକ୍ଷୀଙ୍କ ବୟାନ ଓ ଫୋରେନସିକ୍ ପ୍ରମାଣ ସମେତ ବିଭିନ୍ନ ପ୍ରମାଣ ଉପସ୍ଥାପିତ ହୋଇଥିଲା। ତେବେ ଏହି ମାମଲା ଏକ ଭୟଙ୍କର ପ୍ରଶ୍ନ ଛାଡ଼ିଯାଇଛି ତାହା ହେଉଛି କଣ ସତରେ ବୈବାହିକ ସମ୍ପର୍କରେ ତୃତୀୟ ବ୍ୟକ୍ତିର ପ୍ରବେଶ ସମ୍ପର୍କକୁ ଅପରାଧରେ ପରିଣତ କରିଦିଏ?

ହନିମୁନ୍ରୁ ହତ୍ୟା—ସୋନମ ରଘୁବଂଶୀ ମାମଲା
ଆଉ ଏକ ଚର୍ଚ୍ଚିତ ମାମଲା ହେଉଛି ମଧ୍ୟପ୍ରଦେଶର ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡ। ବିବାହ ପରେ ହନିମୁନ୍ ପାଇଁ ମେଘାଳୟ ଯାଇଥିବା ରାଜା ଓ ସୋନମ ରଘୁବଂଶୀ ଦମ୍ପତି ମେ’ ୨୦୨୫ରେ ନିଖୋଜ ହୋଇଥିଲେ। ପରେ ରାଜାଙ୍କ ମୃତଦେହ ଏକ ଗଭୀର ଖାଇରୁ ମିଳିଥିଲା। ମେଘାଳୟ ପୋଲିସର ତଦନ୍ତରେ ସୋନମଙ୍କ ଉପରେ ସ୍ୱାମୀଙ୍କ ହତ୍ୟାର ଷଡ଼ଯନ୍ତ୍ରର ଅଭିଯୋଗ ଆସିଥିଲା ଏବଂ ରାଜାଙ୍କ ହତ୍ୟାରେ ଅନ୍ୟମାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ମାମଲା ଚାଲିଛି। ୨୦୨୬ରେ ସୁପ୍ରିମକୋର୍ଟରେ ସୋନମଙ୍କୁ ମିଳିଥିବା ଜାମିନକୁ ନେଇ ମେଘାଳୟ ସରକାରଙ୍କ ଆବେଦନ ମଧ୍ୟ ଶୁଣାଣିରେ ଆସିଥିଲା। ଏହି ମାମଲାର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ଯେଉଁ ଯାତ୍ରା ନବଦମ୍ପତିଙ୍କ ପାଇଁ ନୂଆ ଜୀବନର ଆରମ୍ଭ ହେବାର ଥିଲା, ସେହି ହନିମୁନ୍ ହିଁ ହୋଇଗଲା ମୃତ୍ୟୁର ମଞ୍ଚ।
ସିଆ ଗୋୟଲ–କେତନ ଅଗ୍ରୱାଲ ମାମଲା
ମହାରାଷ୍ଟ୍ରର ପୁଣେର ଲୋହଗଡ଼ ଫୋର୍ଟରେ କେତନ ଅଗ୍ରୱାଲଙ୍କ ମୃତ୍ୟୁ ପ୍ରଥମେ ଏକ ଦୁର୍ଘଟଣା ଭଳି ଲାଗିଥିଲା। କିନ୍ତୁ ପରବର୍ତ୍ତୀ ପୋଲିସ ତଦନ୍ତରେ ଏହା ପଛରେ ଷଡ଼ଯନ୍ତ୍ର ଥିବା ଅଭିଯୋଗ ସାମ୍ନାକୁ ଆସିଥିଲା। ପୋଲିସର ଅଭିଯୋଗ ଅନୁସାରେ, କେତନଙ୍କ ଫିଆନ୍ସେ ସିଆ ଗୋୟଲ ଓ ତାଙ୍କ କଥିତ ପ୍ରେମିକ ଚେତନ ଚୌଧୁରୀ ଏହି ହତ୍ୟା ଷଡ଼ଯନ୍ତ୍ରରେ ଜଡ଼ିତ ଥିଲେ। କେତନଙ୍କୁ ଲୋହଗଡ଼କୁ ନେବା ପାଇଁ ‘ମାହି’ ନାମରେ ଏକ ଫେକ୍ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ବ୍ୟବହାର କରାଯାଇଥିବା ଅଭିଯୋଗ ରହିଛି। ପରେ ପୋଲିସ ଏହି ମାମଲାରେ ୫,୦୫୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ସବୁଠୁ ମହତ୍ୱପୂର୍ଣ୍ଣ କଥା ହେଉଛି ଏଠି ଧୋକାର ଆଉ ଏକ ଆଧୁନିକ ଚେହେରା ସାମ୍ନାକୁ ଆସୁଛି ତାହା ହେଉଛି ସୋସିଆଲ୍ ମିଡିଆର ନକଲି ପରିଚୟକୁ ବ୍ୟବହାର କରି ବିଶ୍ୱାସ ଜିତିବା ଏବଂ ସେହି ବିଶ୍ୱାସକୁ ଅପରାଧ ପାଇଁ ବ୍ୟବହାର କରିବା।
ଓଡ଼ିଶାରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି
ଏହା କେବଳ ଦେଶର କିମ୍ବା ଅନ୍ୟ ରାଜ୍ୟର କାହାଣୀ ନୁହେଁ। ଓଡ଼ିଶାରେ ମଧ୍ୟ ପତି–ପତ୍ନୀ, ପ୍ରେମିକ–ପ୍ରେମିକା ଓ ପରକୀୟା ସମ୍ପର୍କକୁ କେନ୍ଦ୍ର କରି ଗୁରୁତର ଅପରାଧର ଅଭିଯୋଗ ସାମ୍ନାକୁ ଆସିଛି। ଯାଜପୁରରେ ପତ୍ନୀ ଓ ପ୍ରେମିକ ଉପରେ ସ୍ୱାମୀ ହତ୍ୟାର ଅଭିଯୋଗ ୨୦୨୬ ଏପ୍ରିଲ୍ରେ ଯାଜପୁରରେ ସୌମ୍ୟ ରଞ୍ଜନ ସାମଲ ହତ୍ୟା ମାମଲାରେ ପୋଲିସ ତାଙ୍କ ପତ୍ନୀ ଓ ତାଙ୍କ କଥିତ ପ୍ରେମିକଙ୍କ ସମେତ ପାଞ୍ଚଜଣଙ୍କୁ ଗିରଫ କରିଥିବା ଖବର ଆସିଥିଲା। ପୋଲିସର ଅଭିଯୋଗ ଥିଲା ଯେ ବିବାହିତ ସମ୍ପର୍କରେ ବିବାଦ ଓ ଅନ୍ୟ ସମ୍ପର୍କକୁ କେନ୍ଦ୍ର କରି ହତ୍ୟା ଷଡ଼ଯନ୍ତ୍ର ହୋଇଥିଲା। CCTV ଫୁଟେଜ୍ରୁ ମଧ୍ୟ ତଦନ୍ତରେ ସହାୟତା ମିଳିଥିବା ପୋଲିସ କହିଥିଲା।
ଗଞ୍ଜାମରେ ପତ୍ନୀଙ୍କ ହତ୍ୟା—ଦୁଇ ପ୍ରେମିକାଙ୍କ ସମ୍ପୃକ୍ତିର ଅଭିଯୋଗ
୨୦୨୫ରେ ଗଞ୍ଜାମ ଜିଲ୍ଲାରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି ତାଙ୍କ ଦୁଇଜଣ କଥିତ ପ୍ରେମିକାଙ୍କ ସହାୟତାରେ ନିଜ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଖବର ଆସିଥିଲା। ପୋଲିସ ଅନୁସାରେ, ଘଟଣାଟିକୁ ଆତ୍ମହତ୍ୟା ଭଳି ଦେଖାଇବାର ଚେଷ୍ଟା ମଧ୍ୟ ହୋଇଥିବା ଅଭିଯୋଗ ଥିଲା। ଧୋକା କେବଳ ସମ୍ପର୍କ ଭାଙ୍ଗେନି ବରଂ ବେଳେବେଳେ ଏତେ ଜଘନ୍ୟ ହୋଇଯାଏ ଯେ କେତେବେଳେ ଜୀବନ ମଧ୍ୟ ନେଇଯାଏ | ମେରଠରେ ପତ୍ନୀ ଓ ପ୍ରେମିକଙ୍କ ଉପରେ ସ୍ୱାମୀ ହତ୍ୟାର ଅଭିଯୋଗ,ମେଘାଳୟରେ ହନିମୁନ୍ରେ ସ୍ୱାମୀଙ୍କ ମୃତ୍ୟୁ ଏବଂ ପତ୍ନୀଙ୍କ ଉପରେ ଷଡ଼ଯନ୍ତ୍ରର ଅଭିଯୋଗ,ପୁଣେରେ ଫିଆନ୍ସେ ଓ କଥିତ ପ୍ରେମିକଙ୍କ ଉପରେ ହତ୍ୟା ଷଡ଼ଯନ୍ତ୍ରର ଅଭିଯୋଗ,ଓଡ଼ିଶାର ଯାଜପୁର ଓ ଗଞ୍ଜାମରେ ମଧ୍ୟ ପତି–ପତ୍ନୀ ଓ ଅନ୍ୟ ସମ୍ପର୍କକୁ ନେଇ ହତ୍ୟା ମାମଲା ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ ଯେ ଘଟଣାଗୁଡ଼ିକ ଭିନ୍ନ। ପରିସ୍ଥିତି ଭିନ୍ନ। କିନ୍ତୁ ଗୋଟିଏ ସମାନ ପ୍ରଶ୍ନ ସବୁଠି ତାହା ହେଉଛି କଣ ସତରେ ପ୍ରେମ ହାରିଗଲେ ଜୀବନ ନେବାର ଅଧିକାର ମିଳିଯାଏ ? ଉତ୍ତର ନିଶ୍ଚିତ ଭାବେ ନା ! ସମ୍ପର୍କ ଭାଙ୍ଗିପାରେ। ବିବାହ ବିଚ୍ଛେଦ ହୋଇପାରେ। ଧୋକାର ଅଭିଯୋଗ ହୋଇପାରେ। ଆଇନର ଆଶ୍ରୟ ନିଆଯାଇପାରେ। କିନ୍ତୁ ଧୋକାର ଉତ୍ତର ହତ୍ୟା କେବେ ବି ନୁହେଁ। ପ୍ରତାରଣାର ଉତ୍ତର ପ୍ରତିଶୋଧ ନୁହେଁ। ଗୋଟିଏ ସମ୍ପର୍କର ଶେଷ ଯଦି ଗୋଟିଏ ଜୀବନର ଶେଷରେ ପରିଣତ ହୁଏ, ତେବେ ସେଠାରେ ଦୁଇଜଣ ବ୍ୟକ୍ତି ହାରନ୍ତିନି ବରଂ ହାରିଯାଏ ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ ଏବଂ ମାନବିକତା |






