ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ କେଛୋଦାଦର ପଞ୍ଚାୟତ ହାଇସ୍କୁଲଠାରେ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର ତଥା ସ୍ଥାୟୀ ସମୃଦ୍ଧିକରଣ ପ୍ରକଳ୍ପ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରୀ ସରୋଜ ସାହୁ ସହକାରୀ କୃଷି ଅଧିକାରୀ,ଶ୍ରୀ ରାମପ୍ରସାଦ ବେହେରା ସହକାରୀ କୃଷି ଅଧିକାରୀ,ଶ୍ରୀ ସୁନି ପ୍ରସାଦ ଲାହଙ୍ଗିରି, କୃଷି ଅଧିକାରୀ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ସ୍ମୃତିରଞ୍ଜନ ପାଲ ଯୋଗଦେଇଥିଲେ। ବିଦ୍ୟାଳୟର ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । FF & NC ପ୍ରକଳ୍ପର ସହକାରୀ ଜିଲ୍ଲା ପ୍ରକଳ୍ପ ସଂଯୋଜକ (ADPC) ଶ୍ରୀ ବିଜୟ କୁମାର ଧୀର, ରିସର୍ଚ୍ଚ ଫେଲୋ ଶ୍ରୀ ଶୁଭ୍ରଜ୍ୟୋତି ସ୍ୱାଇଁ ଏବଂ CRP ଶ୍ରୀ କର୍ଣ୍ଣ ପାଣ୍ଡେ, ଶ୍ରୀ ଟଙ୍କଧର ରଣା ଓ ଶ୍ରୀମତୀ ସରୋଜା ରଣା କାର୍ଯ୍ୟକ୍ରମର ପରିଚାଳନା ଓ ସଚେତନତା ସୃଷ୍ଟିରେ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ପ୍ରବନ୍ଧ ଲିଖନ, ବିତର୍କ ଓ ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିଲା। ପ୍ରତ୍ୟେକ ପ୍ରତିଯୋଗିତାର ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଥିଲା।ଛାତ୍ରଛାତ୍ରୀଙ୍କୁ ପାରମ୍ପରିକ ଫସଲ, ଦେଶୀ ବିହନ ଓ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ସହ ପରିଚିତ କରାଇବା ପାଇଁ ଫସଲ ଓ ଖାଦ୍ୟ ପ୍ରସ୍ତୁତି ସମ୍ପର୍କିତ ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏଥିସହ ପାରମ୍ପରିକ ବିହନ ପ୍ରଦର୍ଶନୀ ମାଧ୍ୟମରେ ସ୍ଥାନୀୟ ଫସଲର ବିବିଧତା, ପୁଷ୍ଟିଗୁଣ ଓ ସଂରକ୍ଷଣର ଗୁରୁତ୍ୱ ବିଷୟରେ ସଚେତନ କରାଯାଇଥିଲା। ଅତିଥିଗଣ ଏବଂ ସାଧନ ବ୍ୟକ୍ତି ମାନେ ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର, ଜୈବ ବିବିଧତାର ସୁରକ୍ଷା, ପାରମ୍ପରିକ ବିହନର ସଂରକ୍ଷଣ ଏବଂ ସ୍ଥାୟୀ କୃଷି ପଦ୍ଧତି ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିଲା ଛାତ୍ରଛାତ୍ରୀଙ୍କ ଦ୍ୱାରା ଭୁଲିଯାଇଥିବା ଖାଦ୍ୟ ଓ ଅବହେଳିତ ଫସଲର ପୁନରୁଦ୍ଧାର, ପାରମ୍ପରିକ ବିହନର ସଂରକ୍ଷଣ ଓ ଜୈବ ବିବିଧତାର ସୁରକ୍ଷା ପାଇଁ ଶପଥ ଗ୍ରହଣ। ଏହି ଶପଥ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପାରମ୍ପରିକ ଖାଦ୍ୟ ଓ ଫସଲର ମହତ୍ତ୍ୱକୁ ଆଗାମୀ ପିଢ଼ି ପର୍ଯ୍ୟନ୍ତ ପହଞ୍ଚାଇବାକୁ ସଂକଳ୍ପ ନେଇଥିଲେ।ପରିଶେଷରେ ବିଜୟ ଧୀର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।






