ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ସୋହେଲା, ୧୪। ୧୦ ସୋହେଲା ସାର୍ବଜନୀନ ଦୁର୍ଗାପୂଜା କମିଟି ପକ୍ଷରୁ ଆୟୋଜିତ ସାରଦୀୟ ନବରାତ୍ର ଦୁର୍ଗାପୂଜା ଗତକାଲି ଶୁଭାରମ୍ଭ ହୋଇଛି। ଗତକାଲି ନବରାତ୍ର ଦୁର୍ଗାପୂଜାର ପ୍ରଥମ ଦିନରେ ଅଖଣ୍ଡ ଜ୍ୟୋତି ପ୍ରଜ୍ବଳନ, ପ୍ରାଣ ପ୍ରତିଷ୍ଠା ସହିତ ମାଁ ଶୈଳପୁତ୍ରୀଙ୍କ ପୂଜା ଓ ଚଣ୍ଡୀହୋମ ଅନୁଷ୍ଠିତ ହୋଇଥିଲା। ଆଜି ଦ୍ଵିତୀୟ ଦିନରେ ଦ୍ଵିତୀୟା ବିହିତ ପୂଜା ମାଁ ବ୍ରହ୍ମଚାରିଣୀଙ୍କ ପୂଜା ସହିତ ଚଣ୍ଡୀହୋମ ହୋଇଥିଲା। ସେଇପରି ୧୩ ତାରିଖ ତୃତୀୟା ବିହିତ ପୂଜା, ମାଁ ଚନ୍ଦ୍ରଘଣ୍ଟା ଦେବୀଙ୍କ ପୂଜା, ଚଣ୍ଡୀହୋମ, ୧୪ତାରିଖ ଚତୁର୍ଥୀ ବିହିତ ପୂଜା, ମାଁ କୁସ୍ମାଣ୍ଡା ଦେବୀଙ୍କ ପୂଜା, ଚଣ୍ଡୀହୋମ ୧୫ତାରିଖ ପଞ୍ଚମୀ ବିହିତ ପୂଜା, ମାଁ ସ୍କନ୍ଦମାତାଙ୍କ ପୂଜା,ଚଣ୍ଡୀହୋମ ୧୬ତାରିଖ ଷଷ୍ଠୀ ବିହିତ ପୂଜା,ମାଁ କାତ୍ୟାୟନୀ ଦେବୀଙ୍କ ପୂଜା ଓ ଚଣ୍ଡୀହୋମ ୧୭ତାରିଖ ଷଷ୍ଟ୍ୟାଦି ବିହିତ ପୂଜା, ମାଁ କାଳରାତ୍ରି ଦେବୀଙ୍କ ପୂଜା, ଚଣ୍ଡୀହୋମ ୧୮ତାରିଖ ମହା ସପ୍ତମୀ ପୂଜା, ଦେବୀଙ୍କ ମହା ସ୍ନାନ, ନବ ପତ୍ରିକା ପ୍ରବେଶ ପୂଜା, ମହା ଗୌରୀ ଦେବୀଙ୍କ ପୂଜା ଓ ଭାଇ ଜିଉଁନ୍ତିଆ ଓଷା ଅନୁଷ୍ଠିତ ହେବ। ସେଇପରି ୧୯ ତାରିଖ ଦିନ ମହା ଅଷ୍ଟମୀ ପୂଜା, ଚଣ୍ଡୀହୋମ, ସନ୍ଧିପୂଜା ସକାଳ ୧୦ଘଣ୍ଟା ୨୮ ମିନିଟରେ ଆରମ୍ଭ ହୋଇ ୧୧ଟା ୨୬ ମିନିଟରେ ସମାପନ ହେବ। ୨୦ତାରିଖ ନବମୀ ଦିନ ମହା ନବମୀ ପୂଜା, ନବ କୁମାରୀ ପୂଜା ସହିତ ଚଣ୍ଡୀହୋମ ଅନୁଷ୍ଠିତ ହେବ। ୨୧ତାରିଖ ବିଜୟା ଦଶମୀ ଦିନ ମହା ଦଶମୀ ପୂଜା ପରେ ଅପରାହ୍ନରେ ପୂର୍ଣ୍ଣାହୁତି ଅପରାଜିତା ପୂଜା,ଆରତୀ ପୁଷ୍ପାଞ୍ଜଳି, ଘଟ ବିସର୍ଜନ ସହିତ ନବରାତ୍ର ଦୁର୍ଗାପୂଜାର ସମାପନ ହେବ।

ସୋହେଲାର ସାରଦୀୟ ନବରାତ୍ର ଦୁର୍ଗାପୂଜା ମାଁ ଦୁର୍ଗାଙ୍କ ପୀଠ ଏବଂ ମଣ୍ଡପରେ ଵିଧି ଅନୁସାରେ ପୂଜାର୍ଚନା ସହିତ ପ୍ରତ୍ୟହ ଚଣ୍ଡୀପାଠ ଏବଂ ଚଣ୍ଡୀହୋମ ହୋଇଥାଏ। ଏହାଛଡା ଦୁର୍ଗାପୂଜାରେ ମଣ୍ଡପର ଆକର୍ଷଣୀୟ ସାଜସଜ୍ଜା, ଆଲୋକ ସଜ୍ଜା, ସାଂସ୍କୃତିକ, ମନୋରଞ୍ଜନ କାର୍ଯ୍ୟକ୍ରମ, ଲୋକ ମହୋତ୍ସବ ପାର୍ବଣ କାର୍ଯ୍ୟକ୍ରମ, ରାମଲୀଲା ମହୋତ୍ସବ, ରାବଣ ଦରବାର କାର୍ଯ୍ୟକ୍ରମ ସହିତ ବିଜୟା ଦଶମୀ ଦିନ ସନ୍ଧ୍ୟାରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ରାବଣ ପୋଡି କାର୍ଯ୍ୟକ୍ରମ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶା ଏବଂ ପଡୋଶୀ ଛତିଶଗଡ଼ ରାଜ୍ୟରେ ବେଶ ଖ୍ୟାତିଲାଭ କରିଛି। ଏହାକୁ ଦୃଷ୍ଟିରେ ରଖି ଆୟୋଜକ ପୂଜା କମିଟି ଦୁର୍ଗାପୂଜାକୁ ଆକାର୍ଷଣୀୟ କରିବା ସହିତ ଶ୍ରଦ୍ଧାଳୁ ଏବଂ ଜନ ସାଧାରଣଙ୍କ ମନୋରଞ୍ଜନ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରା ଯାଇଛି। ଦୁର୍ଗା ମନ୍ଦିର ପରିସରସ୍ଥ ଚେତନା ମଣ୍ଡପରେ ୧୧ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟହ ସନ୍ଧ୍ୟାରେ ରାମଲୀଲା କାର୍ଯ୍ୟକ୍ରମ, ହଟଲି ମଣ୍ଡପରେ ୧୩ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଲୋକ ମହୋତ୍ସବ ପାର୍ବଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ମୋଟ ୨୮ଟି ସାଂସ୍କୃତିକ ଅନୁଷ୍ଠାନ ପାରମ୍ପରିକ ଲୋକଗୀତ, ସଂଗୀତ ଓ ନୃତ୍ୟକଳା ପରିବେଷଣ କରିବେ। ସେଇପରି ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ସମବାୟ ବ୍ୟାଙ୍କ ନିକଟରେ ରାବଣ ଦରବାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦୁର୍ଗାପୂଜା ଅବସରରେ ମହିଳା ମାନଙ୍କ ପାଇଁ ହୁଳହୁଳି, ହୁମୋ ପ୍ରତିଯୋଗିତା ଏବଂ ସ୍ଥାନୀୟ ମିନି ଷ୍ଟାଡିଅମ ଠାରେ ୧୩ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହା ବ୍ୟତୀତ ଅର୍କେଷ୍ଟ୍ରା, ଅପେରା, ନାଟକ, ଦଣ୍ଡନାଚ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜିତ ହେବ। ଆସନ୍ତା ୨୧ ତାରିଖ ଦିନ ସନ୍ଧ୍ୟାରେ ସ୍ଥାନୀୟ ମିନି ଷ୍ଟାଡିଅମ ଠାରେ ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତଥା ବହୁ ଚର୍ଚିତ ରାବଣ ପୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୨ ତାରିଖ ସକାଳେ ଭସାଣି ଯାତ୍ରା ଅନୁଷ୍ଠିତ ହେବ ବୋଲି ପୂଜା କମିଟିର ସମ୍ପାଦକ ପ୍ରମୋଦ ଚନ୍ଦ୍ର ଦେବତା ସୂଚନା ଦେଇଛନ୍ତି।





