ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

୯୮ ବର୍ଷର ଗୌରବମୟ ପରମ୍ପରା ବହନ କରୁଛି ଖୋରଧା କ୍ଲବ ସାର୍ବଜନୀନ ଦୁର୍ଗାପୂଜା ;

୯୮ ବର୍ଷର ଗୌରବମୟ ପରମ୍ପରା ବହନ କରୁଛି ଖୋରଧା କ୍ଲବ ସାର୍ବଜନୀନ ଦୁର୍ଗାପୂଜା ; – ସମୀକ୍ଷା ଖବର

୩୦ ଲକ୍ଷ ଟଙ୍କାର ବଜେଟ ଚଳିତବର୍ଷର ସାର୍ବଜନୀନ ପୂଜା; ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଶୋଭା ପାଇବ ୪ କିଲୋରୁ ଅଧିକ ରୁପା ତାରକସି ଅଳଙ୍କାର, ସପ୍ତମୀରୁ ଦଶମୀ ଯାଏଁ ହୁଏ ହଜାର ହଜାର ଭକ୍ତଙ୍କ ସମାଗମ

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା, ୧୭ ଅକ୍ଟୋବର : ଶାରଦୀୟ ଦୁର୍ଗାପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଆସ୍ଥା, ଭକ୍ତି, ପରମ୍ପରା ଓ ସାମାଜିକ ଏକତାର ଏକ ଅନନ୍ୟ ପ୍ରତୀକ। ମା’ ଦୁର୍ଗାଙ୍କ ଆଗମନକୁ ନେଇ ଚଳଚଂଚଳ ଉତ୍ସବ ମୁଖର ସମଗ୍ର ଖୋରଧା ସହର। ରଙ୍ଗ ବେରଙ୍ଗ ଆଲୋକ ମାଳର ସାଜସଜ୍ଜାରେ ଝଲସି ଉଠୁଛି ପୂଜା ମଣ୍ଡପ। ଧୂପ ଦୀପ, ମନ୍ତ୍ର ଧ୍ୱନି ଓ ଭକ୍ତିମୟ ପରିବେଶ ମଧ୍ୟରେ ମା’ଙ୍କ ଆବାହନ ପାଇଁ ଉତ୍ସବ ମୁଖର ସମଗ୍ର ସହର। ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଦୀର୍ଘ ୯୮ ବର୍ଷ ଧରି ବହନ କରିଆସୁଛି ଖୋରଧା କ୍ଲବର ସାର୍ବଜନୀନ ଦୁର୍ଗାପୂଜା। ୧୯୨୮ ମସିହାରେ କିଛି ଉତ୍ସାହୀ ଓ ଧର୍ମପ୍ରାଣ ଖୋରଧା ବାସୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପୂଜା ଆଜି ସହରର ସର୍ଵ ପୁରାତନ ଓ ଲୋକପ୍ରିୟ ଧାର୍ମିକ ଆୟୋଜନ ଭାବେ ପରିଚିତ। ପ୍ରାୟ ଏକ ଶତାବ୍ଦୀର ନିକଟବର୍ତ୍ତୀ ଏହି ଯାତ୍ରା ପଛରେ ରହିଛି ଅନେକ ଉତ୍ସାହୀ ବ୍ୟକ୍ତିଙ୍କ ନିଷ୍ଠା, ଉଦ୍ୟମ ଓ ସାମୂହିକ ସହଯୋଗ। ଉପଲବ୍ଧ ଐତିହାସିକ ତଥ୍ୟ ଅନୁଯାୟୀ, ବୈଦ ଚରଣ ଚକ୍ରବର୍ତ୍ତୀ, ତ୍ରିଲୋକ ନାଥ ବୋଷ, ବିରଜା ବଲ୍ଲଭ ମିଶ୍ର, ଜୟକୃଷ୍ଣ ପରିଜା, ଭୂପତି ନାଥ ମିତ୍ର, ଭଗବାନ ବାଗଚି, ହାଡ଼ିବନ୍ଧୁ ଦାସ, ଗୋବିନ୍ଦ ବଲ୍ଲଭ ମିତ୍ର ଓ ଦୀନବନ୍ଧୁ ମିଶ୍ରଙ୍କ ସମେତ ଅନେକ ଉତ୍ସାହୀ ଖୋରଧା ବାସୀ ଏହି ପୂଜାର ଶୁଭାରମ୍ଭ କରିଥିଲେ। ସେତେବେଳେ ଅଳ୍ପ କିଛି ଉତ୍ସାହୀ ବ୍ୟକ୍ତିଙ୍କ ପ୍ରୟାସରେ ଆରମ୍ଭ ହୋଇଥିବା ଏହି ପୂଜା ଆଜି ଏକ ବ୍ୟାପକ ଜନସମାଗମପୂର୍ଣ୍ଣ ଉତ୍ସବରେ ପରିଣତ ହୋଇଛି।

୯୮ ବର୍ଷର ଗୌରବମୟ ପରମ୍ପରା ବହନ କରୁଛି ଖୋରଧା କ୍ଲବ ସାର୍ବଜନୀନ ଦୁର୍ଗାପୂଜା ; – ସମୀକ୍ଷା


ସମୟର ପରିବର୍ତ୍ତନ ସହିତ ପୂଜାର ଆୟୋଜନ, ଆକର୍ଷଣ ଓ ପରିସର ବୃଦ୍ଧି ପାଇଛି। ତେବେ ମା’ଙ୍କ ପ୍ରତି ଭକ୍ତିଭାବ, ପାରମ୍ପରିକ ପୂଜାବିଧି ଏବଂ ସାମୂହିକ ଅଂଶଗ୍ରହଣ ଏହି ଉତ୍ସବର ମୂଳ ଆଧାର ହୋଇ ରହିଛି। ପ୍ରତିବର୍ଷ ପୂଜା ସମୟରେ ଖୋରଧା ସହର ଓ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଏଠାକୁ ଆସିଥାନ୍ତି। ଏହାଫଳରେ ପୂଜାମଣ୍ଡପ ଭକ୍ତି, ଉତ୍ସାହ ଓ ମିଳନର ଏକ ପ୍ରମୁଖ କେନ୍ଦ୍ରରେ ପରିଣତ ହୋଇଥାଏ।
ଚଳିତବର୍ଷ ଖୋରଧା କ୍ଲବର ସାର୍ବଜନୀନ ଦୁର୍ଗାପୂଜା ପାଇଁ ପ୍ରାୟ ୩୦ ଲକ୍ଷ ଟଙ୍କାର ବଜେଟ ରଖାଯାଇଛି। ପୂଜାର ଆୟୋଜନକୁ ଆକର୍ଷଣୀୟ କରିବା ସହ ଭକ୍ତମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ଚଳିତବର୍ଷ ମା’ଙ୍କ ମୃଣ୍ମୟୀ ପ୍ରତିମାରେ ଚାରି କିଲୋଗ୍ରାମରୁ ଅଧିକ ଓଜନର ରୁପା ତାରକସି ଅଳଙ୍କାର ମୁକୁଟ ମାଳ ଶୋଭା ପାଇବ। ରୁପାର ସୂକ୍ଷ୍ମ କାରୁକାର୍ଯ୍ୟରେ ନିର୍ମିତ ଏହି ଅଳଙ୍କାର ମା’ଙ୍କ ମୂର୍ତ୍ତିର ଶୋଭା ବୃଦ୍ଧି କରିବା ସହ ପୂଜାର ଅନ୍ୟତମ ଆକର୍ଷଣ ହେବ ବୋଲି ଆଶା କରାଯାଉଛି।
ଓଡ଼ିଶାର ରୁପା ତାରକସି କାରୁକାର୍ଯ୍ୟର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସୂକ୍ଷ୍ମ ନକ୍ସା ଓ ନିପୁଣ କାରିଗରିରେ ପ୍ରସ୍ତୁତ ଏହି ଅଳଙ୍କାର ମା’ଙ୍କ ପ୍ରତିମାକୁ ଏକ ଭିନ୍ନ ଆଧ୍ୟାତ୍ମିକ ଆଭା ପ୍ରଦାନ କରିବ। ମା’ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଏହି ଅଳଙ୍କାରର ଝଲକ ଦେଖିବା ସହ ଦେବୀଙ୍କ ଆରାଧନାରେ ନିଜକୁ ସାମିଲ କରିବେ। ପାରମ୍ପରିକ ପୂଜାବିଧି ସହ ଏଭଳି ଆକର୍ଷଣୀୟ ସାଜସଜ୍ଜା ଖୋରଧା କ୍ଲବର ପୂଜାକୁ ଅଧିକ ଆକର୍ଷଣୀୟ କରିବ।
ଚଳିତବର୍ଷର ପୂଜାର ଅନ୍ୟତମ ଆକର୍ଷଣ ହେବ କଲିକତାରୁ ଆସୁଥିବା ପାରମ୍ପରିକ ଢାକ ବାଦ୍ୟ। ପ୍ରତିଦିନ ମା’ଙ୍କ ପୂଜା ସମୟରେ ଏହି ଢାକ ବାଜାର ଧ୍ୱନି ପୂଜାମଣ୍ଡପର ପରିବେଶକୁ ଅଧିକ ଭକ୍ତିମୟ ଓ ଉତ୍ସବମୁଖର କରିବ। ବିଶେଷକରି ଦୁର୍ଗାପୂଜା ସହ ଜଡ଼ିତ ବଙ୍ଗୀୟ ପାରମ୍ପରିକ ଢାକ ବାଦ୍ୟର ତାଳ ଭକ୍ତମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିବ। ମା’ଙ୍କ ଆରାଧନା, ପାରମ୍ପରିକ ବାଦ୍ୟ ଓ ଭକ୍ତମାନଙ୍କ ସମାଗମରେ ପୂଜାମଣ୍ଡପ ଏକ ଆଧ୍ୟାତ୍ମିକ ପରିବେଶରେ ପରିଣତ ହେବ।
ଖୋରଧା କ୍ଲବର ଦୁର୍ଗାପୂଜାରେ ପ୍ରତିଦିନ ହଜାର, ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ମା’ଙ୍କ ଦର୍ଶନ କରିବା ସହ ପୂଜାର ବିଭିନ୍ନ ଆୟୋଜନରେ ସାମିଲ ହୋଇଥାନ୍ତି। ସପ୍ତମୀ ଅଷ୍ଟମୀ, ନବମୀ ଓ ଦଶମୀ ତିଥିରେ ଚାରିଦିନ ଧରି ପ୍ରାୟ ପାଞ୍ଚ ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥାଏ। ଏତେ ସଂଖ୍ୟକ ଭକ୍ତଙ୍କୁ ପ୍ରସାଦ ବଣ୍ଟନ କରିବା ପାଇଁ ଆୟୋଜନ ଓ ସମନ୍ୱୟର ଆବଶ୍ୟକତା ରହିଥିବାବେଳେ ଏହା ଉତ୍ସବର ସାମୂହିକ ସେବାଭାବକୁ ପ୍ରତିଫଳିତ କରିଥାଏ।
ଦୁର୍ଗାପୂଜାରେ ପ୍ରସାଦ ସେବନର ଗୁରୁତ୍ୱ କେବଳ ଖାଦ୍ୟ ବଣ୍ଟନ ମଧ୍ୟରେ ସୀମିତ ନୁହେଁ। ଏହା ଭକ୍ତି, ସମାନତା ଓ ଭାଇଚାରାର ଏକ ନିଦର୍ଶନ। ମା’ଙ୍କ ପ୍ରସାଦ ପାଇବା ପାଇଁ ବିଭିନ୍ନ ବର୍ଗର ଲୋକ ଏକତ୍ରିତ ହୋଇଥାନ୍ତି। ଏହି ସାମୂହିକ ଅଂଶଗ୍ରହଣ ପୂଜାର ସାମାଜିକ ଗୁରୁତ୍ୱକୁ ଆହୁରି ବଢ଼ାଇଥାଏ। ଖୋରଧା କ୍ଲବ ପକ୍ଷରୁ ପ୍ରତିବର୍ଷ ଭଜନ କୀର୍ତ୍ତନ ସହ ଏଭଳି ବ୍ୟବସ୍ଥା କରାଯିବା ଫଳରେ ଭକ୍ତମାନଙ୍କ ମଧ୍ୟରେ ଏକତା ଓ ସହଯୋଗର ଭାବନା ସୁଦୃଢ଼ ହେଉଛି।
ବର୍ତ୍ତମାନ ଖୋରଧା କ୍ଲବର ସଦସ୍ୟ ସଂଖ୍ୟାରେ ନବକଳେବର ହୋଇଛି। ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ ସଂଖ୍ୟକ ସଦସ୍ୟ ରହିଛନ୍ତି। କ୍ଲବର ସଦସ୍ୟମାନଙ୍କ ସହଯୋଗ ଓ ସାମୂହିକ ଉଦ୍ୟମ ଏହି ସର୍ଵ ପୁରାତନ ପୂଜାର ଆୟୋଜନକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ। ପୂଜା ପରିଚାଳନା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ପ୍ରସାଦ ସେବନ ଏବଂ ଅନ୍ୟାନ୍ୟ ଆୟୋଜନରେ ସମନ୍ୱୟ ରକ୍ଷା କରିବା ଏକ ବଡ଼ ଦାୟିତ୍ୱ। ବରିଷ୍ଠ ସଦସ୍ୟଙ୍କ ମାର୍ଗଦର୍ଶନ ଏବଂ ଯୁବ ସଦସ୍ୟମାନଙ୍କ ଉଦ୍ୟମରେ ଏହି ପରମ୍ପରା ଦୀର୍ଘ ବର୍ଷ ଧରି ଜାରି ରହିଛି।
୧୯୨୮ ମସିହାରେ କିଛି ଦୂରଦର୍ଶୀ ଓ ଉତ୍ସାହୀ ବ୍ୟକ୍ତିଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଖୋରଧା କ୍ଲବର ଏହି ସାର୍ବଜନୀନ ଦୁର୍ଗାପୂଜା ଆଜି ଏକ ଦୀର୍ଘକାଳୀନ ପରମ୍ପରାର ପ୍ରତୀକ। ପୁରୁଣା ପିଢ଼ିଙ୍କ ଆସ୍ଥା ଓ ଉଦ୍ୟମକୁ ନୂତନ ପିଢ଼ି ଆଗକୁ ବଢ଼ାଇ ନେଉଥିବାବେଳେ ଏହି ପୂଜା ସହରର ସାମାଜିକ ଓ ଧାର୍ମିକ ଜୀବନରେ ନିଜସ୍ୱ ସ୍ଥାନ ବଜାୟ ରଖିଛି। ମା’ ଦୁର୍ଗାଙ୍କ ଆରାଧନା ସହ ଭକ୍ତି, ସେବା ଓ ସମ୍ପ୍ରୀତିର ବାର୍ତ୍ତା ପ୍ରଚାର କରୁଥିବା ଏହି ପୂଜା ଆଗାମୀ ଦିନରେ ମଧ୍ୟ ଖୋରଧା ବାସୀଙ୍କ ମଧ୍ୟରେ ସମାନ ଉତ୍ସାହ ଓ ଶ୍ରଦ୍ଧା ଜାଗ୍ରତ କରିବ ବୋଲି ଆଶା କରାଯାଉଛି।

୯୮ ବର୍ଷର ଗୌରବମୟ ପରମ୍ପରା ବହନ କରୁଛି ଖୋରଧା କ୍ଲବ ସାର୍ବଜନୀନ ଦୁର୍ଗାପୂଜା ; – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପାର୍ବଣମଧ୍ୟାହ୍ନରେ ଆମିଷ ଘାଣ୍ଟ; ରାତ୍ରରେ ମାଛଗୁଣ୍ଡି ଭଜା ଭୋଗ