
ସମୀକ୍ଷା ବ୍ୟୁରୋ ନ୍ୟୁଜ / ଭୁବନେଶ୍ୱର:
ଭୁବନେଶ୍ୱର,୧୮/୧୦; ରାଜ୍ୟର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ବ୍ରଜମୋହନ ରାମ । ରାଜଭବନରେ ବିରାଟ ଆୟୋଜନ ହୋଇଛି । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଲୋକଭବନରେ ଅନୁଷ୍ଠିତ ଶପଥ ଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ହରିବାବୁଙ୍କ ସ୍ଥାନରେ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ବ୍ରଜମୋହନ ରାମ ।
ରାଜଭବନର ଅଭିଷେକ ହଲ୍ରେ ଶପଥଗ୍ରହଣ ସମାରୋହ ଆୟୋଜିତ ହୋଇଛି । ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୬୦୦ ଅତିଥି ଯୋଗ ଦେଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ଝାଡ଼ଖଣ୍ଡରୁ ୩୦୦ ଅତିଥି ଆସିଛନ୍ତି । ସେମାନେ ରାଜ୍ୟ ଅତିଥି ଭବନ, ସର୍କିଟ୍ ହାଉସ୍, ଓଟିଡିସି ପାନ୍ଥନିବାସ ଓ କିଛି ଘରୋଇ ହୋଟେଲରେ ରହିଥିଲେ । ଦିନ ୧୧ଟା ବେଳେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଥିଲା । ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।ଗତକାଲି (ଶନିବାର) ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାଙ୍କୁ ସ୍ୱାଗତ କରିଥିଲେ । ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଗତକାଲି ଅପରାହ୍ଣରେ ନବନିଯୁକ୍ତ ରାଜ୍ୟପାଳ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ସେ ପୁରୀ ଲୋକଭବନରେ ପହଞ୍ଚିବା ପରେ ସାଂସଦ ଡା. ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସ୍ପି ପ୍ରତୀକ ସିଂ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ସେ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରି ଓଡ଼ିଶାବାସୀଙ୍କ ମଙ୍ଗଳ କାମନା କରି ପ୍ରାର୍ଥନା କରିଥିଲେ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ ପ୍ରଦାନ କରାଯାଇଥିଲା ।ମହାପ୍ରଭୁଙ୍କ ଦର୍ଶନ ପରେ ବ୍ରଜମୋହନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ଗର୍ବ ଓ ଗୌରବର କଥା । ଶପଥ ଗ୍ରହଣ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାର ଇଚ୍ଛା ଥିଲା । ମହାପ୍ରଭୁଙ୍କ ଅପାର କରୁଣା ଓ ଆଶୀର୍ବାଦରେ ଅତି ସୁନ୍ଦର ଦର୍ଶନ ହେଲା ।






