ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା ବରଗଡ଼ କେନ୍ଦ୍ରାପଡ଼ା ମାଲକାନଗିରି କୋରାପୁଟ

Khordha district Cyclone ‘Akvan’: ଖୋରଧା ଜିଲ୍ଲାରେ ବାତ୍ୟା ‘ଅକ୍‌ଭାନ’ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି

Khordha district Cyclone ‘Akvan’: ଖୋରଧା ଜିଲ୍ଲାରେ ବାତ୍ୟା ‘ଅକ୍‌ଭାନ’ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି /ସମୀକ୍ଷା ନ୍ୟୁଜ:

୧୪,୪୧୧ ଜଣଙ୍କୁ ୩୮୭ଟି ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ;

୩୧୧ଟି ମାଗଣା ରନ୍ଧନଶାଳା କାର୍ଯ୍ୟକ୍ଷମ, ୧୮ଟି ଅଗ୍ନିଶମ ଓ ୧୦ଟି ଓଏଫ୍‌ଡିସି ଟିମ ମୁତୟନ; ନଭେମ୍ବର ୨୧ ପର୍ଯ୍ୟନ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ

ଖୋରଧା, ୧୯।୧୧ : -ସମ୍ଭାବ୍ୟ ବାତ୍ୟା ‘ଅକଭାନ’ର ମୁକାବିଲା ପାଇଁ ଖୋରଧା ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହ ଜରୁରୀକାଳୀନ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁରୁବାର ଅପରାହ୍ଣ ୫ଟା ସୁଦ୍ଧା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୪ ହଜାର ୪୧୧ ଜଣଙ୍କୁ ସୁରକ୍ଷିତ ଭାବେ ବାତ୍ୟା ଆଶ୍ରୟସ୍ଥଳୀ ଓ ଅନ୍ୟାନ୍ୟ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।
ଜିଲ୍ଲା ଜରୁରୀକାଳୀନ ଅପରେସନ କେନ୍ଦ୍ର (ଡିଇଓସି) ପକ୍ଷରୁ ଜାରି ସଦ୍ୟତମ ସ୍ଥିତି ରିପୋର୍ଟ ଅନୁଯାୟୀ, ଜିଲ୍ଲାରେ ମୋଟ ୩୮୭ଟି ସୁରକ୍ଷିତ ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବାବେଳେ ସମସ୍ତ ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି। ସ୍ଥାନାନ୍ତରିତ ଲୋକଙ୍କ ସମେତ ବିପନ୍ନ ଅଞ୍ଚଳର ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେବା ପାଇଁ ୩୧୧ଟି ମାଗଣା ରନ୍ଧନଶାଳା ଚାଲୁ ରହିଛି। ବିପର୍ଯ୍ୟୟ ମୁକାବିଲା ଓ ଉଦ୍ଧାର କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫ୍‌ଡିସି)ର ୧୦ଟି ଟିମ ନିୟୋଜିତ ହୋଇଛନ୍ତି। ସେଥିମଧ୍ୟରୁ ଖୋରଧା ଉପଖଣ୍ଡରେ ୩ଟି ଏବଂ ଭୁବନେଶ୍ୱର ଉପଖଣ୍ଡରେ ୭ଟି ଟିମ ମୁତୟନ କରାଯାଇଛି। ସେହିପରି ଅଗ୍ନିଶମ ବିଭାଗର ୧୮ଟି ଟିମ୍‌ ମଧ୍ୟରୁ ଖୋରଧା ଉପଖଣ୍ଡରେ ୮ଟି ଓ ଭୁବନେଶ୍ୱର ଉପଖଣ୍ଡରେ ୧୦ଟି ଟିମ ନିୟୋଜିତ ହୋଇଛନ୍ତି। ଗର୍ଭବତୀ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ପ୍ରଶାସନ ପ୍ରାଥମିକତା ଦେଇଛି। ଆସନ୍ତା ୧୫ ଦିନ ମଧ୍ୟରେ ପ୍ରସବ ତାରିଖ ଥିବା ୯୫ ଜଣ ଗର୍ଭବତୀ ମହିଳାଙ୍କୁ ଆଗୁଆ ଚିହ୍ନଟ କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି।

Khordha district Cyclone ‘Akvan’: ଖୋରଧା ଜିଲ୍ଲାରେ ବାତ୍ୟା ‘ଅକ୍‌ଭାନ’ ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି – ସମୀକ୍ଷା

ରିଲିଫ ବଣ୍ଟନ ଓ ଜରୁରୀକାଳୀନ ଆବଶ୍ୟକତା ପାଇଁ ପ୍ରଶାସନ ପକ୍ଷରୁ ୩୧.୪୮ କ୍ୱିଣ୍ଟାଲ ଚୁଡ଼ା, ୮.୬୨୭୮ କ୍ୱିଣ୍ଟାଲ ଗୁଡ଼ ଏବଂ ୧୫ ହଜାର ୭୨୬ ପ୍ୟାକେଟ୍‌ ବିସ୍କୁଟ୍‌ ବଣ୍ଟନ କରାଯାଇଛି। ଏଥିସହ ଜରୁରୀକାଳୀନ ବ୍ୟବହାର ପାଇଁ ୨ ହଜାର ୩୮୩ ରୋଲ୍‌ ପଲିଥିନ୍‌ ମହଜୁଦ ରଖାଯାଇଛି। ଜିଲ୍ଲାର ସମସ୍ତ ବ୍ଲକରେ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ଉପଜିଲ୍ଲାପାଳ, ଡେପୁଟି କଲେକ୍ଟର ଓ ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ପ୍ରସ୍ତୁତି ଓ ରିଲିଫ କାର୍ଯ୍ୟର ତଦାରଖ ଦାୟିତ୍ୱ ଅର୍ପଣ କରାଯାଇଛି। ଗୁରୁବାର ଅପରାହ୍ଣ ୫ଟା ସୁଦ୍ଧା ଜିଲ୍ଲାରେ ଓଡ୍ରାଫ କିମ୍ବା ଏନଡିଆରଏଫ ଟିମ୍‌ ମୁତୟନ ହୋଇନଥିବାବେଳେ ଦୁଇଟି ଓଡ୍ରାଫ ଟିମ ମୁତୟନ ପାଇଁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନଭେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ମାଛଧରା ଡଙ୍ଗା, ପର୍ଯ୍ୟଟକଙ୍କ ଡଙ୍ଗା ଓ ବାଣିଜ୍ୟିକ ନୌକା ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ସେହିପରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ର ନଭେମ୍ବର ୨୧ ପର୍ଯ୍ୟନ୍ତ ବନ୍ଦ ରହିବ। ବାତ୍ୟାର ଗତିବିଧି ଓ ଜିଲ୍ଲାର ସ୍ଥିତି ଉପରେ ନଜର ରଖିବା ସହ ଜରୁରୀକାଳୀନ ସେବାର ସମନ୍ୱୟ ପାଇଁ ଜିଲ୍ଲା ନିୟନ୍ତ୍ରଣ କକ୍ଷ ୨୪ ଘଣ୍ଟା କାର୍ଯ୍ୟ କରୁଛି। ଗୁରୁବାର ସକାଳ ୮ଟା ୩୦ରୁ ଅପରାହ୍ଣ ୨ଟା ମଧ୍ୟରେ ଜିଲ୍ଲାରେ ହାରାହାରି ୯.୨୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ପବନର ବେଗ ସ୍ୱାଭାବିକ ରହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଜିଲ୍ଲାର ପାଣିପାଗ ସ୍ଥିତି ଉପରେ ପ୍ରଶାସନ ନିରନ୍ତର ନଜର ରଖିଛି। ବିଶେଷକରି ତଳିଆ ଓ ବିପଦସଙ୍କୁଳ ଅଞ୍ଚଳରେ ରହୁଥିବା ଲୋକଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେଇ ସମସ୍ତ ଅଧିକାରୀଙ୍କୁ ସଜାଗ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ତ୍ୱରିତ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Khordha 90 kg of ganja seized: ଖୋରଧାରେ ୯୦ କେଜି ଗଞ୍ଜେଇ ଜବତ, ୫ ଗିରଫ