ସମୀକ୍ଷା ବ୍ୟୁରୋ ନ୍ୟୁଜ / କଳାହାଣ୍ଡି:
କଳାହାଣ୍ଡି/ଗୋଲାମୁଣ୍ଡା, ୧୯/୧୧: ସରକାରୀ କାର୍ଯ୍ୟାଳୟରେ ସ୍ୱଚ୍ଛତା ଓ ଦୁର୍ନୀତିମୁକ୍ତ ଶାସନର ଡିଣ୍ଡିମ ପିଟାଯାଉଥିବା ବେଳେ ଲାଞ୍ଚ କାରବାର ଅଭିଯୋଗରେ ଜଣେ ତହସିଲଦାର ଭିଜିଲାନ୍ସ ଜାଲରେ ପଡ଼ିବା ଘଟଣା ପ୍ରଶାସନିକ ମହଲରେ ହଟଚମଟ ସୃଷ୍ଟି କରିଛି। ମାତ୍ର ୧୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲଦାର ଚନ୍ଦନ କୁମାର ନାୟକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତିଙ୍କଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଗୁରୁବାର ଭିଜିଲାନ୍ସ ଟିମ୍ ଯୋଜନାବଦ୍ଧ ଭାବେ ଚଢ଼ାଉ କରି ତାଙ୍କୁ ଧରିଥିଲା। ଲାଞ୍ଚ କାରବାର ନେଇ ପୂର୍ବରୁ ଅଭିଯୋଗ ମିଳିଥିବାରୁ ଭିଜିଲାନ୍ସ ପକ୍ଷରୁ ଏହି ଜାଲ ବିଛାଯାଇଥିଲା।ଜଣେ ସାଧାରଣ ଲୋକ ନିଜର ସରକାରୀ କାମ କରାଇବା ପାଇଁ ଯଦି ଅଧିକାରୀଙ୍କୁ ଲାଞ୍ଚ ଦେବାକୁ ବାଧ୍ୟ ହୁଏ, ତେବେ ସାଧାରଣ ଜନତା ନ୍ୟାୟ ପାଇବେ କେଉଁଠୁ? ଏଭଳି ଘଟଣା ପ୍ରଶାସନିକ ବ୍ୟବସ୍ଥାର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ଲଗାଇଛି।ଘଟଣାକୁ ନେଇ ଗୋଲାମୁଣ୍ଡା ସମେତ ସମଗ୍ର କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟପକ୍ଷରେ ଭିଜିଲାନ୍ସ ପକ୍ଷରୁ ତହସିଲଦାରଙ୍କ ସମ୍ପର୍କିତ ଅଧିକ ତଦନ୍ତ ଓ ଯାଞ୍ଚ ଜାରି ରହିଥିବା ଜଣାପଡ଼ିଛି। ତଦନ୍ତ ପରେ ଏହି ଘଟଣାର ଆହୁରି କେଉଁ ଦିଗ ସାମ୍ନାକୁ ଆସିବ, ତାହାକୁ ନେଇ ଅଞ୍ଚଳବାସୀଙ୍କ ନଜର ରହିଛି।






