ଜିତେନ୍ଦ୍ର ରାଜ/କରଞ୍ଜିଆ ସାମ୍ବାଦିକ /ସମୀକ୍ଷା ନ୍ୟୁଜ:
ଆଇନ ଶୃଙ୍ଖଳା ରକ୍ଷା ଓ ଅବକାରୀ ଆଇନର କାର୍ଯ୍ୟକାରିତା ପାଇଁ ନିୟୋଜିତ ସରକାରୀ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ଉଠିଛି ଗୁରୁତର ପ୍ରଶ୍ନ। ଜଣେ ୮୦ ବର୍ଷୀୟା ଆଦିବାସୀ ବୃଦ୍ଧାଙ୍କ ଘରେ ଅବକାରୀ ଚଢ଼ାଉ ବେଳେ ଜାତିଆଣ ଆକ୍ଷେପ, ମହିଳାଙ୍କ ପ୍ରତି ଅସଦ୍ବ୍ୟବହାର, ଟଣାଓଟରା ଏବଂ ପରିବାରର ଯୁବକଙ୍କୁ ମାଡ଼ ମାରିବା ଭଳି ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଘଟଣାଟି ଆପୋଷ ବୁଝାମଣାରେ ଶାନ୍ତ ପଡ଼ିଥିବା ବେଳେ ଏବେ ସୋସିଆଲ ମିଡିଆରେ ବୁଝାମଣା ପତ୍ରର ଫଟୋ ସହ ଜଣେ ଅବକାରୀ ସିପାହୀଙ୍କ ଅଶାଳୀନ ମନ୍ତବ୍ୟ ନୂଆ ବିବାଦ ସୃଷ୍ଟି କରିଛି। ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ସମୟରେ ସାନଦେଉଳି ଗ୍ରାମର ୮୦ ବର୍ଷୀୟା ସୁନବାସୀ ନାଏକଙ୍କ ଘରେ ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସୌମ୍ୟରଞ୍ଜନ ବେହେରାଙ୍କ ନେତୃତ୍ୱରେ ରାଇରଙ୍ଗପୁର ଅବକାରୀ ଥାନାର ଅଧିକାରୀ ଓ କର୍ମଚାରୀ ପହଞ୍ଚିଥିଲେ। ସେମାନେ ଘର ଭିତରକୁ ପ୍ରବେଶ କରି ତଲାସି ଆରମ୍ଭ କରିଥିବା ବେଳେ ଘରେ କୌଣସି ପୁରୁଷ ସଦସ୍ୟ ନଥିବା ଦର୍ଶାଇ ପରିବାର ପକ୍ଷରୁ ଆପତ୍ତି କରାଯାଇଥିଲା। ଏଥିସହ ତଲାସିର କାରଣ ଓ ଆବଶ୍ୟକ କାଗଜପତ୍ର ଦେଖାଇବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ସେମାନଙ୍କୁ କୌଣସି କାଗଜପତ୍ର ଦେଖାଯାଇନଥିବା ଏତଲାରେ ଉଲ୍ଲେଖ ରହିଥିଲା । ବୃଦ୍ଧାଙ୍କ ଅଭିଯୋଗ ଅନୁସାରେ, ଏହାକୁ ନେଇ ପ୍ରତିବାଦ କରିବାରୁ ଅଧିକାରୀମାନେ ତାଙ୍କ ସହ ବୋହୂ ଓ ନାତୁଣୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏପରିକି ଆଦିବାସୀ ସମ୍ପ୍ରଦାୟକୁ ଲକ୍ଷ୍ୟ କରି ଜାତିଆଣ ମନ୍ତବ୍ୟ ଦେବା ସହ ପରିବାରକୁ ରାସ୍ତାରେ ଭିକ ମାଗିବାକୁ ବାଧ୍ୟ କରିଦେବା ଏବଂ ସରପଞ୍ଚ ପୁଅକୁ ବଦନାମ କରିବା ଭଳି ଧମକ ଦିଆଯାଇଥିବା ସେ ଅଭିଯୋଗ କରିଥିଲେ ।

ଘଟଣା ସମୟରେ ଘରେ ପହଞ୍ଚିଥିବା ନାତି ଚଢ଼ାଉର କାରଣ ପଚାରିବାରୁ ତାଙ୍କୁ ମଧ୍ୟ କ୍ୟାରିୟର ନଷ୍ଟ କରିଦେବାର ଧମକ ଦିଆଯାଇଥିବା ଏତଲାରେ ଦର୍ଶାଯାଇଥିଲା । ଏହାପରେ ଅଧିକାରୀ ଜଣକ ତାଙ୍କ ବୋହୂଙ୍କ ଶୋଇବା ଘରକୁ ପ୍ରବେଶ କରିଥିବା ଏବଂ ପ୍ରତିବାଦ ବେଳେ ଟଣାଓଟରା ଯୋଗୁଁ ତାଙ୍କ ଶାଢ଼ି ଚିରିଯାଇଥିବା ଅଭିଯୋଗ ହୋଇଥିଲା । ସେହିପରି ନାତୁଣୀ ପ୍ରତିବାଦ କରିବାରୁ ଅବକାରୀ ସିପାହୀ ଅଂଶୁମାନ ପରିଡ଼ା ତାଙ୍କୁ ଠେଲାପେଲା କରିବା ସହ ଅଶ୍ଳୀଳ ଇଙ୍ଗିତ କରିଥିବା ଏବଂ ଘଟଣାର ମୋବାଇଲରେ ରେକର୍ଡିଂ କରୁଥିବା ବେଳେ ଫୋନ୍ ଛଡ଼ାଇ ନିଆଯାଇଥିବା ମଧ୍ୟ ଅଭିଯୋଗ ରହିଥଲା । ଏପରିକି ନାତିଙ୍କୁ ମାଡ଼ ମାରି ଘରୁ ଘୋଷାଡ଼ି ନେଇ ସର୍ବସାଧାରଣରେ ଅପମାନିତ କରାଯାଇଥିବା ବୃଦ୍ଧା ଜଣକ ଏତଲାରେ ଦର୍ଶାଇଥିଲେ । ଏହି ଘଟଣାକୁ ନେଇ ବୃଦ୍ଧାଙ୍କ ପକ୍ଷରୁ କରଞ୍ଜିଆ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା ତାଙ୍କ ପୁଅ କୋମଳ କୁମାର ନାଏକ ବଡ଼ଦେଉଳି ପଞ୍ଚାୟତର ନିର୍ବାଚିତ ସରପଞ୍ଚ ବୋଲି ଜଣାପଡ଼ିଛି। ପରିବାର ପକ୍ଷରୁ ଚଢ଼ାଉରେ କୌଣସି ମାଦକ ଦ୍ରବ୍ୟ ଜବତ ହୋଇନଥିବା ଦାବି କରାଯାଇଛ
କରଞ୍ଜିଆ ଥାନାରେ ଏହି ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇନଥିବା ସୂଚନା ମିଳିଥିଲା। ପରବର୍ତ୍ତୀ ସମୟରେ ଅଭିଯୋଗକାରୀ ପରିବାର ଓ ଅଭିଯୁକ୍ତ ଅବକାରୀ ଅଧିକାରୀ ସୌମ୍ୟରଞ୍ଜନ ବେହେରା ଏବଂ ସିପାହୀ ଅଂଶୁମାନ ପରିଡ଼ାଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିବା ଜଣାପଡ଼ିଛି। କିନ୍ତୁ ବିବାଦର ଅନ୍ତ ହେବା ପରିବର୍ତ୍ତେ ନୂଆ ବିବାଦର ସୂତ୍ରପାତ ହୋଇଛି। ଅଭିଯୋଗ ଅନୁଯାୟୀ, ଅବକାରୀ ସିପାହୀ ଅଂଶୁମାନ ପରିଡ଼ା ସାମାଜିକ ଗଣମାଧ୍ୟମରେ ଏହି ବୁଝାମଣା ପତ୍ରର ଫଟୋ ପୋଷ୍ଟ କରିବା ସହ ଅଶାଳୀନ ଓ ଅପମାନଜନକ ମନ୍ତବ୍ୟ ଲେଖିଛନ୍ତି। ଜଣେ ସରକାରୀ କର୍ମଚାରୀ ହୋଇ ସାର୍ବଜନୀନ ମଞ୍ଚରେ ଏଭଳି ମନ୍ତବ୍ୟ ଦେବାର ଔଚିତ୍ୟକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଉଲ୍ଲେଖଯୋଗ୍ୟ, କିଛିଦିନ ପୂର୍ବରୁ କରଞ୍ଜିଆ ସହରର ଏକ ମଦ ବାର୍ରେ ମାସିକିଆ ବଟି ନମିଳିବାରୁ ଚଢ଼ାଉ କରାଯାଇଥିବା ନେଇ ବାର୍ ମାଲିକଙ୍କ ପୁଅ ଅଭିଯୋଗ କରିଥିଲେ। ସେହି ଘଟଣାର ଚର୍ଚ୍ଚା ଥମିନଥିବା ବେଳେ ପୁଣି ଏହି ଅଭିଯୋଗ ସମ୍ପୃକ୍ତ ଅଧିକାରୀଙ୍କ କାର୍ଯ୍ୟଶୈଳୀ ଓ ଅଭିମୁଖ୍ୟ ଉପରେ ଆହୁରି ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଅବକାରୀ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ସୌମ୍ୟରଞ୍ଜନ ବେହେରାଙ୍କ ମତାମତ ନେବାକୁ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଜଣେ ବୃଦ୍ଧାଙ୍କ ଘରେ ଚଢ଼ାଉ ବେଳେ ଉଠିଥିବା ଏତେଗୁଡ଼ିଏ ଗୁରୁତର ଅଭିଯୋଗ, ପରବର୍ତ୍ତୀ ଆପୋଷ ବୁଝାମଣା ଏବଂ ସୋସିଆଲ ମିଡିଆରେ ଅଶାଳୀନ ପୋଷ୍ଟକୁ ନେଇ ଏବେ ଅବକାରୀ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ହସ୍ତକ୍ଷେପ ଦାବି ଜୋର ଧରିଛି। ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ କରାଯାଇ ସତ୍ୟାସତ୍ୟ ସାମ୍ନାକୁ ଆଣିବା ସହ ଦୋଷୀ ପ୍ରମାଣିତ ହେଲେ ଉପଯୁକ୍ତ ଶୃଙ୍ଖଳାଗତ ଓ ଆଇନଗତ ପଦକ୍ଷେପ ନିଆଯିବ କି ନାହିଁ, ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନ ହୋଇଛି।





