ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବଡ଼ସାହି, ୧୯/୧୧/୨୬ – ବଙ୍ଗୋପସାଗରରେ ଭୟଙ୍କର ରୂପ ନେଇଛି ବାତ୍ୟା ‘ଅକ୍ବାନ୍’ । ଭୀଷଣ ବାତ୍ୟାରେ ପରିଣତ ହେବା ପରେ ଏବେ ଉପକୂଳକୁ ମାଡ଼ି ଆସୁଛି ଏହି ଭୟଙ୍କର ସାମୁଦ୍ରିକ ଝଡ଼ । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଉତ୍ତର ଦିଗକୁ ଗତି କରିଛି ବାତ୍ୟା । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ନଭେମ୍ବର ୨୦ ତାରିଖ ମଧ୍ୟାହ୍ନ ସୁଦ୍ଧା ନରସାପୁରରୁ ପୁରୀ ମଧ୍ୟରେ, ଗୋପାଳପୁର ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଗୋପାଳପୁର ନିକଟରେ ଲ୍ୟାଣ୍ଡଫଲ୍ କରିବା ଆକଳନ କ୍ରମେ ବାତ୍ୟା ‘ଅକ୍ୱାନ୍’, ୨୦ ତାରିଖରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୯୦ରୁ ୧୦୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୧୦ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ । ଏହାକୁ ଦୃଷ୍ଟିରେ ରଖି ଜୋରଦାର ପ୍ରସ୍ତୁତ ଜାରି ରଖିଛନ୍ତି ରାଜ୍ୟ ସରକାର ।

ସେପଟେ ଭୀଷଣ ବାତ୍ୟା ଅକ୍ବାନ ପ୍ରଭାବରେ ହେବାକୁ ଥିବା ଅତି ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନେଇଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ । ଆସନ୍ତାକାଲି ଅର୍ଥାତ ୨୦ ନଭେମ୍ବରରେ ମୟୂରଭଞ୍ଜ ଜିଲ୍ଲା ରେଡ୍ ୱାର୍ଣ୍ଣିଂ ଜୋନ୍ରେ ରହିଥିବା ଯୋଗୁଁ ଅଧିକ ବର୍ଷା ହେବାର ସମ୍ଭାବନା ରହିବା ନେଇ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ (ପ୍ରଥମରୁ ଦ୍ୱାଦଶ) ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ପୁଣି ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ବନ୍ଦ ରହିବ ଶିମିଳିପାଳ ବୋଲି ସୂଚନା ରହିଛି । ସେହିଭଳି ୨୦ ତାରିଖରେ ବାଙ୍ଗିରିପୋଷି-ପୁରୀ ଟ୍ରେନ ମଧ୍ୟ ବାତିଲ ହୋଇଥିବା ଜଣାପଡିଛି । ସମସ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ ମୟୂରଭଞ୍ଜ ଜିଲ୍ଲା ରେଡ୍ ୱାର୍ଣ୍ଣିଂ ଜୋନ୍ରେ ରହିଥିବା ଯୋଗୁଁ ତଥା ଅଧିକ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ପ୍ରଶାସନ ଏବଂ ଜଙ୍ଗଲ ତଥା ରେଳ ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଗୁରୁବାର ସକାଳ ପାଖରୁ ଧିମା ପବନ ସହ ଆକାଶ ମେଘାଚ୍ଛନ୍ନ ରହି ବିଭିନ୍ନ ସ୍ଥାନରେ ହାଲକା ବର୍ଷା ଜାରି ରହିଥିବା ବେଳେ ବନ୍ୟା ପ୍ରଭାବିତ ଅଞ୍ଚଳରେ ସମସ୍ତ ପ୍ରସ୍ତୁତି ସହ ପ୍ରଶାସନ ସଜାଗ ରହିଥିବା ଜଣାପଡ଼ିଛି ।





