ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା
ଝାରସୁଗୁଡା, ୨୬/୯ : ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭ କରି ସମସ୍ତ ଗଳିକନ୍ଦିରେ ଏବେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ସହରବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି l ଦିନ ହେଉ କି ରାତି, ବିଭିନ୍ନ ଅଞ୍ଚଳରେ ଦଳଦଳ ହୋଇ ବୁଲୁଥିବା କୁକୁରଙ୍କ ଯୋଗୁଁ ଛାତ୍ର ଛାତ୍ରୀ, ପଥଚାରୀ, ଦୁଇଚକିଆ ଯାନ ଚାଳକ, ଶିଶୁ ଓ ବୃଦ୍ଧମାନେ ଭୟଭୀତ ହୋଇ ଯାତାୟାତ କରୁଛନ୍ତି l କୁକୁର କାମୁଡ଼ାରେ ପ୍ରତିମାସ ଏକାଧିକ ଲୋକ ଆହତ ହୋଇ ଚିକିତ୍ସା ନେଉଥିବା ଯୋଗୁଁ ସାଧାରଣରେ ଚିନ୍ତା ବଢ଼ାଇଛି l ସହରର ଅନେକ ଅଞ୍ଚଳରେ ରାତି ହେଲେ ପରିସ୍ଥିତି ଆହୁରି ଜଟିଳ ହେଉଛି l ରାସ୍ତା ଉପରେ ଦଳଦଳ ହୋଇ କୁକୁରଙ୍କ ଚଳାଚଳ ଯୋଗୁଁ ଦୁଇଚକିଆ ଯାନ ଚାଳକମାନେ ହଠାତ୍ ବ୍ରେକ୍ ଲଗାଇବା କିମ୍ବା ଦିଗ ପରିବର୍ତ୍ତନ କରିବାକୁ ବାଧ୍ୟ ହେଉଛନ୍ତି l ଫଳରେ ଦୁର୍ଘଟଣାର ଆଶଙ୍କା ବଢ଼ୁଥିବା ସ୍ଥାନୀୟ ଲୋକେ କହୁଛନ୍ତି l ବିଶେଷକରି ଏକାକୀ ଯାତାୟାତ କରୁଥିବା ବୃଦ୍ଧ, ଶିଶୁ ଓ ମହିଳାଙ୍କ ମଧ୍ୟରେ ଭୟର ବାତାବରଣ ଅଧିକ ରହୁଛି l ସମସ୍ୟାର ଗମ୍ଭୀରତା ଦିନକୁ ଦିନ ବଢ଼ୁଥିଲେ ସୁଦ୍ଧା ବୁଲା କୁକୁରଙ୍କ ସଂଖ୍ୟା ନିୟନ୍ତ୍ରଣ ନେଇ ଆଶାନୁରୂପ ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି l କୁକୁର ବନ୍ଧ୍ୟାକରଣ ଓ ଟିକାକରଣ ଭଳି ବ୍ୟବସ୍ଥାକୁ ନିୟମିତ, ବୈଜ୍ଞାନିକ ଓ ଯୋଜନାବଦ୍ଧ ଭାବେ କାର୍ଯ୍ୟକାରୀ କରାଗଲେ ସହରରେ ବୁଲା କୁକୁରଙ୍କ ବଂଶବୃଦ୍ଧି ନିୟନ୍ତ୍ରଣ ସହ ରୋଗ ପ୍ରତିରୋଧରେ ସହାୟତା ମିଳିପାରିବ l ହେଲେ ଏହି କାର୍ଯ୍ୟକ୍ରମର ବାସ୍ତବ ରୂପାୟଣକୁ ନେଇ ଏବେ ପ୍ରଶ୍ନ ଉଠିଛି l ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ବୁଲା କୁକୁରଙ୍କ ବନ୍ଧ୍ୟାକରଣ କାର୍ଯ୍ୟକ୍ରମକୁ ନେଇ ପୌର ପ୍ରଶାସନ ଓ ପ୍ରାଣୀ ଚିକିତ୍ସା ବିଭାଗ ମଧ୍ୟରେ ଆବଶ୍ୟକ ସମନ୍ୱୟର ଅଭାବ ରହିଛି l ସହରବାସୀଙ୍କ ମତରେ, ବୁଲା କୁକୁର ସମସ୍ୟା ଆଉ କେବଳ ଅସୁବିଧା କିମ୍ବା ଅପରିଚ୍ଛନ୍ନତାର ବିଷୟ ହୋଇ ରହିନାହିଁ; ଏହା ଏବେ ସାଧାରଣ ଲୋକଙ୍କ ସୁରକ୍ଷା ସହ ଜଡ଼ିତ ଏକ ଗୁରୁତର ନାଗରିକ ସମସ୍ୟାରେ ପରିଣତ ହୋଇଛି l ହେଲେ ଏହି ସମସ୍ୟା ମଧ୍ୟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଆରଟିଆଇରେ ମିଳିଥିବା ତଥ୍ୟ ଏବେ ନୂଆ ପ୍ରଶ୍ନ ଉଠାଇଛି l
“ଆରଟିଆଇରେ ୬୯୩, ରାସ୍ତାରେ ହଜାର ହଜାର”
ପୌରାଞ୍ଚଳରେ କେତେ ବୁଲା କୁକୁର ଅଛନ୍ତି, ଏନେଇ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟକୁ ଆରଟିଆଇରେ ତଥ୍ୟ ମଗାଯାଇଥିଲା l ବିଭାଗ ପକ୍ଷରୁ ଦିଆଯାଇଥିବା ଉତ୍ତର ଅନୁସାରେ, ୨୦୨୪ ରେ କରାଯାଇଥିବା ଗଣନାରେ ପୌରାଞ୍ଚଳରେ ମୋଟ ବୁଲା କୁକୁର ସଂଖ୍ୟା ୬୯୩ l ଏଥିରୁ ୩୭୬ଟି ଅଣ୍ଡିରା ଓ ୩୧୭ଟି ମାଈ କୁକୁର ଥିବା ଦର୍ଶାଯାଇଛି l ଏଠାରୁ ହିଁ ଉଠୁଛି ବଡ଼ ପ୍ରଶ୍ନ l ୨୪ଟି ୱାର୍ଡକୁ ନେଇ ଗଠିତ ଝାରସୁଗୁଡ଼ା ପୌରାଞ୍ଚଳରେ ଦୈନନ୍ଦିନ ଭାବେ ହଜାର ହଜାର ବୁଲା କୁକୁର ଦେଖାଯାଉଥିବା ନେଇ ସାଧାରଣରେ ଅଭିଯୋଗ ରହିଛି l ଏପରି ସ୍ଥିତିରେ ବିଭାଗୀୟ ରେକର୍ଡରେ ସଂଖ୍ୟା ମାତ୍ର ୬୯୩ କିପରି ? ଏହି ଗଣନା କେଉଁ ପଦ୍ଧତିରେ ହୋଇଥିଲା ? କେଉଁ କେଉଁ ୱାର୍ଡରେ କେତେ କୁକୁର ଗଣନା କରାଯାଇଥିଲା ? ଗଣନାର ତାରିଖ, ସ୍ଥାନ ଓ ରେକର୍ଡ କେଉଁଠି ? ଗଣନା ସମୟରେ ସମସ୍ତ ଅଞ୍ଚଳକୁ ଆବୃତ କରାଯାଇଥିଲା କି ? ଏସବୁ ପ୍ରଶ୍ନର ଉତ୍ତର ସାର୍ବଜନୀନ ହେବା ଆବଶ୍ୟକ l

“୨୪ ୱାର୍ଡରେ ୬୯୩ l ଗଣନା ନା କାଗଜି ହିସାବ ?”
୨୪ଟି ୱାର୍ଡରେ ହାରାହାରି କଲେ ଗୋଟିଏ ୱାର୍ଡ ପିଛା ମାତ୍ର ପ୍ରାୟ ୨୯ଟି କୁକୁର l ଯେଉଁ ସହରର ଅନେକ ରାସ୍ତା ଓ ଗଳିରେ ଦଳଦଳ ହୋଇ କୁକୁର ବୁଲୁଥିବା ଦୃଶ୍ୟ ସାଧାରଣ ଘଟଣା ପାଲଟିଛି, ସେଠାରେ ଏହି ହିସାବ ବାସ୍ତବତା ସହ କେତେ ମେଳ ଖାଉଛି, ତାହା ନେଇ ସନ୍ଦେହ ସୃଷ୍ଟି ହେବା ସ୍ୱାଭାବିକ l ଯଦି ବିଭାଗର ଗଣନା ସଠିକ୍, ତେବେ ଏହାର ଆଧାର ସହରବାସୀଙ୍କ ସାମ୍ନାରେ ରଖାଯାଉ l ଆଉ ଯଦି ଗଣନା ଅସମ୍ପୂର୍ଣ୍ଣ ଥିଲା, ତେବେ ପୂରା ପୌରାଞ୍ଚଳରେ ନୂଆକରି ବୈଜ୍ଞାନିକ ପଦ୍ଧତିରେ ଗଣନା କରାଯାଉ l କାରଣ ଭୁଲ୍ ସଂଖ୍ୟା ଉପରେ ଯଦି ଯୋଜନା ତିଆରି ହୁଏ, ତେବେ ସମସ୍ୟାର ସମାଧାନ କିପରି ସମ୍ଭବ ?
“ଯୋଜନା ଅଛି, ରୂପାୟଣ କେଉଁଠି ?”
ବୁଲା କୁକୁରଙ୍କ ବଂଶବୃଦ୍ଧି ନିୟନ୍ତ୍ରଣ ଓ ରୋଗ ପ୍ରତିରୋଧ ପାଇଁ ବନ୍ଧ୍ୟାକରଣ ଓ ଟିକାକରଣ ଗୁରୁତ୍ୱପୂର୍ଣ୍ଣ। Animal Birth Control (ABC) ବ୍ୟବସ୍ଥା ଅନୁସାରେ କୁକୁର ଧରିବା, ପରିବହନ, ଆଶ୍ରୟ, ବନ୍ଧ୍ୟାକରଣ, ଟିକାକରଣ, ଚିକିତ୍ସା ଓ ପରେ ନିର୍ଦ୍ଦିଷ୍ଟ ସ୍ଥାନରେ ଛାଡ଼ିବା ଭଳି ପ୍ରକ୍ରିୟା ରହିଛି l ତେବେ ଝାରସୁଗୁଡ଼ାରେ କେତେ କୁକୁରଙ୍କ ବନ୍ଧ୍ୟାକରଣ ହୋଇଛି ? କେତେ କୁକୁରଙ୍କୁ ରାବିଜ୍ ଟିକା ଦିଆଯାଇଛି ? କେଉଁ ୱାର୍ଡରେ କେତେ କାର୍ଯ୍ୟ ହୋଇଛି ? ଏହାର ତାଲିକା କେଉଁଠି ? ଯଦି ରେକର୍ଡ ଅଛି, ତାହା ସାର୍ବଜନୀନ କରାଯାଉ l ଯଦି ରେକର୍ଡ ନାହିଁ, ତେବେ ଏତେ ବଡ଼ ସହରୀ ସମସ୍ୟାକୁ କେଉଁ ଆଧାରରେ ପରିଚାଳନା କରାଯାଉଛି ?
“ପ୍ରାଣୀ ଚିକିତ୍ସା ବିଭାଗର ଭୂମିକା କେଉଁଠି ?”
ବୁଲା କୁକୁର ସମସ୍ୟାକୁ କେବଳ ପୌର ପ୍ରଶାସନର ମୁଣ୍ଡରେ ଛାଡ଼ିଦେଲେ ହେବ ନାହିଁ l ଏଥିରେ ପ୍ରାଣୀ ଚିକିତ୍ସା ବିଭାଗର ଭୂମିକା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ l କିନ୍ତୁ ଆରଟିଆଇରେ ଯେଉଁ ସଂଖ୍ୟା ଦିଆଯାଇଛି, ତାହା ଯଦି ସହରର ବାସ୍ତବ ଚିତ୍ରକୁ ପ୍ରତିଫଳିତ ନକରେ, ତେବେ ଏହା ଗଣନା ପ୍ରକ୍ରିୟା ଓ ବିଭାଗୀୟ ତଥ୍ୟର ବିଶ୍ୱସନୀୟତା ଉପରେ ସିଧାସଳଖ ପ୍ରଶ୍ନଚିହ୍ନ ଲଗାଏ l ପ୍ରାଣୀ ଚିକିତ୍ସା ବିଭାଗ ଏହି ତଥ୍ୟର ଆଧାର ସ୍ପଷ୍ଟ କରିବା ଦରକାର l କେଉଁ ଅଧିକାରୀ କିମ୍ବା ଟିମ୍ ଗଣନା କରିଥିଲେ ? କେତେ ଦିନ ଧରି ଗଣନା ହୋଇଥିଲା ? କେଉଁ ପଦ୍ଧତି ଅନୁସରଣ କରାଯାଇଥିଲା ? ୱାର୍ଡଭିତ୍ତିକ ତଥ୍ୟ କ’ଣ ? ଏହାର ଉତ୍ତର ଦେବା ବିଭାଗର ଦାୟିତ୍ୱ l
“ଅଭିଯୋଗ ଆସୁଛି, ପଦକ୍ଷେପ କେଉଁଠି ?”
କୁକୁର କାମୁଡ଼ା, ରାବିଜ୍ ଆଶଙ୍କା, ଦଳବଦ୍ଧ କୁକୁରଙ୍କ ଉତ୍ପାତ କିମ୍ବା ଆହତ ବୁଲା ପଶୁ ସମ୍ପର୍କିତ ଅଭିଯୋଗ ମିଳିଲେ ତୁରନ୍ତ ପଦକ୍ଷେପ ନେବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ l ଝାରସୁଗୁଡ଼ାରେ ଏପରି ଅଭିଯୋଗ ପାଇଁ କେଉଁ ବ୍ୟବସ୍ଥା ସକ୍ରିୟ ଅଛି, ଅଭିଯୋଗ ପରେ କେତେ ସମୟରେ ପଦକ୍ଷେପ ନିଆଯାଉଛି ଏବଂ କେତେ ଅଭିଯୋଗର ସମାଧାନ ହୋଇଛି ତାହାର ହିସାବ ମଧ୍ୟ ସାମ୍ନାକୁ ଆସିବା ଆବଶ୍ୟକ l
“ଆବର୍ଜନା ବଢ଼ାଉଛି କୁକୁରଙ୍କ ଭିଡ଼”
କେବଳ ବନ୍ଧ୍ୟାକରଣ କଲେ ସମସ୍ୟାର ସମାଧାନ ହେବ ନାହିଁ l ବଜାର, ହୋଟେଲ, ଦୋକାନ ଓ ଆବାସିକ ଅଞ୍ଚଳ ନିକଟରେ ଖାଦ୍ୟ ଆବର୍ଜନା ଖୋଲାରେ ପଡ଼ିରହିଲେ ବୁଲା କୁକୁରଙ୍କ ପାଇଁ ସହଜ ଖାଦ୍ୟ ଉତ୍ସ ସୃଷ୍ଟି ହୁଏ l ତେଣୁ ଆବର୍ଜନା ପରିଚାଳନା, ବନ୍ଧ୍ୟାକରଣ, ଟିକାକରଣ ଓ ଅଭିଯୋଗ ଉପରେ ତୁରନ୍ତ ପଦକ୍ଷେପ ସବୁକୁ ଏକାସାଙ୍ଗରେ ଚାଲାଇବା ଆବଶ୍ୟକ l
“ହିସାବ ଦିଅନ୍ତୁ, ବାସ୍ତବତା ସ୍ପଷ୍ଟ କରନ୍ତୁ”
ଝାରସୁଗୁଡ଼ା ସହରର ବୁଲା କୁକୁର ସମସ୍ୟାର ସମାଧାନ ପାଇଁ ପ୍ରଥମ ଆବଶ୍ୟକତା ହେଉଛି ସଠିକ୍ ତଥ୍ୟ l ୨୦୨୪ ଗଣନା ଅନୁସାରେ ପୌରାଞ୍ଚଳରେ ମାତ୍ର ୬୯୩ଟି ବୁଲା କୁକୁର ଥିଲା, ତେବେ ବର୍ତ୍ତମାନ ସଂଖ୍ୟା କେତେ ? ଏହି ସଂଖ୍ୟା ବଢ଼ିଛି କି କମିଛି ? ଏବଂ ୬୯୩ ସଂଖ୍ୟାର ଗଣନା ଠିକ୍ ଭାବେ ହୋଇଥିଲା କି ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ତଦନ୍ତ ଓ ନୂଆ ବୈଜ୍ଞାନିକ ଗଣନା ମାଧ୍ୟମରେ ସ୍ପଷ୍ଟ ହେବା ଦରକାର l ଭୁଲ୍ କିମ୍ବା ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ଯୋଜନା କଲେ ସମସ୍ୟାର ସମାଧାନ ବଦଳରେ କାଗଜରେ ହିଁ ସଫଳତା ଦେଖାଯିବ l ପୌର ପ୍ରଶାସନ ଓ ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ମିଳିତ ଭାବେ ପୌରାଞ୍ଚଳର ୨୪ଟି ୱାର୍ଡରେ ନୂଆକରି କୁକୁର ଗଣନା କରନ୍ତୁ l ବନ୍ଧ୍ୟାକରଣ ଓ ଟିକାକରଣର ୱାର୍ଡଭିତ୍ତିକ ତଥ୍ୟ ପ୍ରକାଶ କରନ୍ତୁ l ଅଭିଯୋଗ ଓ ପଦକ୍ଷେପର ରେକର୍ଡ ସାର୍ବଜନୀନ କରନ୍ତୁ l ଏବଂ ସବୁଠାରୁ ବଡ଼ କଥା, ଆରଟିଆଇରେ ଦିଆଯାଇଥିବା ୬୯୩ ସଂଖ୍ୟା କେଉଁ ଆଧାରରେ ନିର୍ଦ୍ଧାରିତ ହୋଇଥିଲା, ତାହା ସ୍ପଷ୍ଟ କରନ୍ତୁ l କାରଣ ସହରର ରାସ୍ତା ଯଦି ଗୋଟିଏ ଚିତ୍ର ଦେଖାଉଛି ଏବଂ ସରକାରୀ ରେକର୍ଡ ଆଉ ଗୋଟିଏ ଚିତ୍ର, ତେବେ ଏହି ଦୁଇ ଚିତ୍ର ମଧ୍ୟରେ ଥିବା ସତ୍ୟଟି ଲୋକଲୋଚନକୁ ଆଣିବା ଜରୁରୀ l
“ସହରବାସୀଙ୍କ ଦାବି”
ସମସ୍ୟାକୁ ଅଣଦେଖା କରିବା ପରିବର୍ତ୍ତେ ସମୟୋପଯୋଗୀ, ବୈଜ୍ଞାନିକ ଓ ମାନବିକ ପଦକ୍ଷେପ ନିଆଯାଇନଥିଲେ ଆଗାମୀ ଦିନରେ ଏହା ଆହୁରି ଜଟିଳ ରୂପ ନେଇପାରେ l ତେଣୁ ଲୋକଙ୍କ ସୁରକ୍ଷା ଓ ସହରର ସୁସ୍ଥ ପରିବେଶ ପାଇଁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ତୁରନ୍ତ ଓ ଦୃଢ଼ ପଦକ୍ଷେପ ନେବାକୁ ସହରବାସୀ ଦାବି କରିଛନ୍ତି l





