ଭଦ୍ରକ/ ଅସୁରାଳି / ସମୀକ୍ଷା ନିଉଜ:
ଅସୁରାଳି 25/9/26(ନି ପ୍ର ) ଅର୍ଣ୍ଣବ ପ୍ରଭାବରେ ଲାଗି ରହିଥିବା ତିନିଦିନର ଅବିଶ୍ରାନ୍ତ ବର୍ଷା ରେବ କପାଳି ସମେତ ସାଳନ୍ଦୀର ଶାଖା ନାଳିଆ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି।ଏହାର ସିଧାସଳଖ ପ୍ରଭାବ ଧାମନଗର ଏବଂ ଭଦ୍ରକ ବ୍ଲକର ୧୦ ପଞ୍ଚାୟତରେ ଦେଖିବାକୁ ମିଳିଛି।ରେବ ନଦୀର ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଭଦ୍ରକ ଆଖଣ୍ଡଳମଣି ରାଜ୍ୟ ରାଜପଥ ଅସୁରାଳି ଏବଂ ଡ଼ିଲୋ ବୁଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି।ଲଘୁଚାପ ଜନିତ ପ୍ରବଳ ବର୍ଷା ଲାଗି ରହିଥିବା ବେଳେ ଗତ ତିନି ଦିନ ଧରି ଧାମନଗର ବ୍ଳକରେ ସର୍ବାଧିକ ୨୮୫ ମିମି ବର୍ଷା ରେକର୍ଡ କରାଯାଇଛି।ଯାହା ରେବ ଓ କପାଳି ନଦୀରେ ବନ୍ୟା ଆଣିଛି।ଦୁଇ ନଦୀ ଗତକାଲି ରାତିରୁ ଉଚ୍ଛୁଳିବା ପରେ ଏହାର ଉଦବୃତ୍ତ ଜଳ ଧାମନଗର ବ୍ଳକର ଅସୁରାଳି ଜୋନରେ ବନ୍ୟା ସୃଷ୍ଟି କରିଛି।ଅସୁରାଳି ସମେତ ଗଢ଼ିଆଳି ଫତେପୁର ବମକୁରା କାସିମପୁର ଖପରପଦା କଟସାହି କୋଠାର ପ୍ରଭୃତି ପଞ୍ଚାୟତର ବିସ୍ତ୍ରୁତ ଚାଷ ଜମି ଉପରେ ବନ୍ୟାଜଳ ମାଡି ଯାଇଛି।ପାଖାପାଖି ୨.୫ ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି।ସ୍ଥାନୀୟ ହାତିଆପଡା ତୋରବନ୍ତିଆ କାକୁଡ଼ିଗଡ଼ିଆ ଦିନାଜପୁର ଲେଞ୍ଜରା କାସିମପୁର ପତିସାହି ବାଙ୍କସାହି ଆଦି ଗାଁ ମଧ୍ୟରେ ବନ୍ୟା ପାଣି ପଶିଥିବା ଜଣାଯାଇଛି।ହାତିଆପଡା-ଖପରପଦା ଅସୁରାଳି-ମହାଦେବ ନଗର-ମଲ୍ଲିକପାଟଣା କାକୁଡ଼ିଗଡ଼ିଆ-ଗଢ଼ିଆଳି କାସିମପୁର-ପଛାଲୋ ଆଦି ଗ୍ରାମ ଉନ୍ନୟନ ରାସ୍ତା ବନ୍ୟା ପାଣିରେ ବୁଡି ଯାଇଛି।ସେହିପରି ସାଳନ୍ଦୀ ଫୁଲିବାରୁ ଏହାର ଶାଖା ନାଳିଆରେ ମଧ୍ୟ ବନ୍ୟା ଆସିଛି।






