ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଗୁଡାରି:ସରକାରୀ ବସ୍‌ ସେବା ପାଇଁ ରାଜଧାନୀ ମୁହାଁ ସାଇକେଲ ଯାତ୍ରା

ଗୁଡାରି:ସରକାରୀ ବସ୍‌ ସେବା ପାଇଁ ରାଜଧାନୀ ମୁହାଁ ସାଇକେଲ ଯାତ୍ରା – ସମୀକ୍ଷା ଖବର

ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:
ସ୍ୱାଧୀନତାର ଦଶନ୍ଧି ପରେ ଦଶନ୍ଧି ବିତିଗଲା। ରାଜ୍ୟର ଯୋଗାଯୋଗ ବ୍ୟବସ୍ଥାରେ ଆସିଛି ଅନେକ ପରିବର୍ତ୍ତନ। ନୂଆ ରାସ୍ତା, ନୂଆ ଯାନବାହନ ଓ ଦ୍ରୁତ ପରିବହନ ବ୍ୟବସ୍ଥାର କଥା କୁହାଯାଉଛି। କିନ୍ତୁ ଏହି ବିକାଶର ଚିତ୍ର ମଧ୍ୟରେ ରାୟଗଡ଼ା ଜିଲ୍ଲାର ଗୁଡାରିବାସୀଙ୍କ ପାଇଁ ରାଜଧାନୀ ଭୁବନେଶ୍ୱର ସହ ସିଧାସଳଖ ସରକାରୀ ବସ୍‌ ସେବା ଏବେ ବି ଏକ ଅପୂରଣୀୟ ଦାବି ହୋଇ ରହିଛି। ଏହି ଦାବିକୁ ନେଇ ଗୁଡାରିର ସାମାଜିକ କର୍ମୀ ତଥା ସାମ୍ବାଦିକ ପ୍ରମୋଦ କୁମାର ପତି ଆସନ୍ତା ଅକ୍ଟୋବର ୨, ଗାନ୍ଧୀ ଜୟନ୍ତୀ ଅବସରରେ ଗୁଡାରିରୁ ସାଇକେଲ ଯୋଗେ ଭୁବନେଶ୍ୱର ଯାତ୍ରା କରିବାକୁ ଉଦ୍ୟମ କରିଛନ୍ତି। ରାଜଧାନୀରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଗୁଡାରିବାସୀଙ୍କ ଦୀର୍ଘଦିନର ଯାତାୟାତ ସମସ୍ୟା ସମ୍ପର୍କରେ ଅବଗତ କରାଇବା ତାଙ୍କ ଲକ୍ଷ୍ୟ ବୋଲି ଜଣାପଡ଼ିଛି। ବିଶେଷ ଭାବେ ଉଲ୍ଲେଖନୀୟ ଯେ, ଗୁଡାରିବାସୀଙ୍କ ପକ୍ଷରୁ ଗୁଡାରିରୁ ଭୁବନେଶ୍ୱର ମଧ୍ୟରେ ନିୟମିତ ସରକାରୀ ବସ୍‌ ଚଳାଚଳ ପାଇଁ ବାରମ୍ବାର ଲିଖିତ ନିବେଦନ କରାଯାଇଥିବା ଅଭିଯୋଗ ରହିଛି। ସାଂସଦଙ୍କଠାରୁ ଆରମ୍ଭ କରି ପରିବହନ ମନ୍ତ୍ରୀ, ଜିଲ୍ଲାପାଳଙ୍କଠାରୁ ବିଧାୟକଙ୍କ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଏନେଇ ଲିଖିତ ଭାବେ ଦାବି ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୁଡାରି-ଭୁବନେଶ୍ୱର ସରକାରୀ ବସ୍‌ ସେବା ଆରମ୍ଭ ହୋଇନଥିବା ଅଭିଯୋଗ ହୋଇଛି। ଏହି ପରିସ୍ଥିତିରେ ଜଣେ ନାଗରିକଙ୍କୁ ନିଜ ଦାବି ନେଇ ରାଜଧାନୀ ପର୍ଯ୍ୟନ୍ତ ସାଇକେଲରେ ଯିବାକୁ ପଡ଼ିବା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଗୋଟିଏ ସରକାରୀ ବସ୍‌ ପାଇଁ ଲୋକେ ବର୍ଷ ବର୍ଷ ଧରି ଦାବି କରୁଥିବା ବେଳେ, ସେହି ଦାବିକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଜଣେ ସାମାଜିକ କର୍ମୀଙ୍କୁ ସାଇକେଲକୁ ମାଧ୍ୟମ କରିବାକୁ ପଡ଼ୁଛି—ଏହି ଦୃଶ୍ୟ ନିଶ୍ଚିତ ଭାବେ ବିଡ଼ମ୍ବନାପୂର୍ଣ୍ଣ।

ଗୁଡାରି:ସରକାରୀ ବସ୍‌ ସେବା ପାଇଁ ରାଜଧାନୀ ମୁହାଁ ସାଇକେଲ ଯାତ୍ରା – ସମୀକ୍ଷା


ଗୁଡାରି ଅଞ୍ଚଳର ଛାତ୍ରଛାତ୍ରୀ, ରୋଗୀ, ବୃଦ୍ଧ, ଚାକିରିଜୀବୀ ଓ ବିଭିନ୍ନ କାର୍ଯ୍ୟରେ ଭୁବନେଶ୍ୱର ଯାଉଥିବା ସାଧାରଣ ଲୋକଙ୍କ ପାଇଁ ସିଧାସଳଖ ସରକାରୀ ବସ୍‌ ସେବା ନଥିବାରୁ ଯାତାୟାତ ଖର୍ଚ୍ଚ ଓ ଅସୁବିଧା ବଢ଼ୁଥିବା ଅଭିଯୋଗ ହୋଇଆସୁଛି। ବିଶେଷକରି ଆର୍ଥିକ ଭାବେ ଦୁର୍ବଳ ପରିବାର ଓ ଚିକିତ୍ସା ପାଇଁ ରାଜଧାନୀ ଉପରେ ନିର୍ଭରଶୀଳ ଲୋକଙ୍କ ପାଇଁ ଏକ ସୁଲଭ ଓ ନିର୍ଭରଯୋଗ୍ୟ ସରକାରୀ ପରିବହନ ବ୍ୟବସ୍ଥାର ଆବଶ୍ୟକତା ରହିଛି।
ଅନ୍ୟପକ୍ଷରେ, ଗୁଡାରି ୧୯୭୨ ମସିହାରୁ ଏନ୍‌ଏସି ମାନ୍ୟତା ପାଇଥିବା ଏକ ପୁରାତନ ସହର ହୋଇଥିଲେ ମଧ୍ୟ ରାଜଧାନୀ ସହ ସିଧାସଳଖ ସରକାରୀ ବସ୍‌ ଯୋଗାଯୋଗ ନଥିବା ନେଇ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ରହିଛି। ଦୀର୍ଘଦିନ ଧରି ଦାବି ଓ ନିବେଦନ ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ନହେବା ନେଇ ଏବେ ପ୍ରଶ୍ନ ଉଠିଛି—ଗୁଡାରିର ଏହି ଦାବି ପ୍ରଶାସନିକ ନଜରରେ କେବେ ଆସିବ? ବିକାଶ କେବଳ ରାସ୍ତା ନିର୍ମାଣ କିମ୍ବା ନୂଆ ପ୍ରକଳ୍ପ ଘୋଷଣାରେ ସୀମିତ ନୁହେଁ। ସେହି ରାସ୍ତାରେ ସାଧାରଣ ଲୋକଙ୍କ ପାଇଁ ସୁଲଭ, ନିରାପଦ ଓ ନିର୍ଭରଯୋଗ୍ୟ ପରିବହନ ବ୍ୟବସ୍ଥା ଉପଲବ୍ଧ ହେବା ମଧ୍ୟ ଜନକଲ୍ୟାଣମୂଳକ ବିକାଶର ଏକ ଅଂଶ। ଏପରି ସ୍ଥିତିରେ ଗୁଡାରିରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସରକାରୀ ବସ୍‌ ଚଳାଚଳ ଦାବି ନେଇ ପ୍ରମୋଦ କୁମାର ପତିଙ୍କ ସାଇକେଲ ଯାତ୍ରା ଏକ ପ୍ରତୀକାତ୍ମକ ପଦକ୍ଷେପ ହୋଇଥିବା ସହିତ ପ୍ରଶାସନ ସମ୍ମୁଖରେ ମଧ୍ୟ ଏକ ଗୁରୁତର ପ୍ରଶ୍ନ ରଖିଛି। “ଗୁଡାରିରୁ ରାଜଧାନୀକୁ ଯିବା ପାଇଁ ସରକାରୀ ବସ୍‌ ମିଳୁନାହିଁ; ତେବେ ଗୁଡାରିବାସୀଙ୍କ ଦାବି ରାଜଧାନୀରେ ପହଞ୍ଚାଇବା ପାଇଁ ଜଣେ ନାଗରିକଙ୍କୁ କାହିଁକି ସାଇକେଲର ଆଶ୍ରୟ ନେବାକୁ ପଡ଼ୁଛି?”
ଏବେ ଗୁଡାରିବାସୀଙ୍କ ଅପେକ୍ଷା—ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହେବାକୁ ଥିବା ଏହି ସାଇକେଲ ଯାତ୍ରା ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ କି? ବର୍ଷ ବର୍ଷ ଧରି ଲିଖିତ ନିବେଦନରେ ଯେଉଁ ଦାବି ପୂରଣ ହୋଇନାହିଁ, ଜଣେ ନାଗରିକଙ୍କ ସାଇକେଲ ଯାତ୍ରା ପରେ ତାହା ଉପରେ ସରକାର ଓ ପ୍ରଶାସନ କୌଣସି ଠୋସ ପଦକ୍ଷେପ ନେବେ କି—ଏହା ଏବେ ସମସ୍ତଙ୍କ ଅପେକ୍ଷାର ବିଷୟ।

ଗୁଡାରି:ସରକାରୀ ବସ୍‌ ସେବା ପାଇଁ ରାଜଧାନୀ ମୁହାଁ ସାଇକେଲ ଯାତ୍ରା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି ଜିଲ୍ଲା ସ୍ତରୀୟ ‘ଆଙ୍ଗନ କା ଉତ୍ସବ’ ଅନୁଷ୍ଠିତ: ୧୩୨୪ଟି ଅଙ୍ଗନବାଡ଼ି କେନ୍ଦ୍ରରେ ମହା ସମାରୋହ