ମୁକେଶ କୁମାର ବେହେରା / ଭବାନୀପାଟଣା /ସମୀକ୍ଷା ନିୟୁଜ:
କୁଚିଣ୍ଡା: ୧ | ୨୬ :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବନଖଣ୍ଡ ଅନ୍ତର୍ଗତ କୁସୁମୀ ପଞ୍ଚାୟତର ବଣ୍ଡାବହାଲ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ହାତୀ ଆତଙ୍କ ଦେଖିବାକୁ ମିଳିଛି। ପରିବାର ଲୋକେ ଶୋଇଥିବା ଅବସ୍ଥାରେ ଏକ ଦନ୍ତା ହାତୀ ଆକ୍ରମଣ କରି ଗ୍ରାମର ଜାସେଫ କିସାନଙ୍କ ବାସଗୃହକୁ ସମ୍ପୂର୍ଣ୍ଣ ଭାଙ୍ଗି ଧୂଳିସାତ କରିଦେଇଛି। ତେବେ ଭାଗ୍ୟବଶତଃ ପରିବାରର ସମସ୍ତ ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ କୁଚିଣ୍ଡା ଅଞ୍ଚଳରେ ହାତୀ ପଲଙ୍କ ଉପଦ୍ରବ ଲାଗିରହିଛି। ବୁଧବାର ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ହାତୀ ପଲ ଗାଁ ନିକଟରେ ବୁଲୁଥିବା ଦେଖାଯାଇଥିଲା।

ଏହି ସମୟରେ ଏକ ଦନ୍ତା ହାତୀ ଜାସେଫଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲା। ହାତୀ ଉପସ୍ଥିତି ସମ୍ପର୍କରେ ବନ ବିଭାଗ ପକ୍ଷରୁ ପୂର୍ବରୁ କୌଣସି ସତର୍କ ସୂଚନା କିମ୍ବା ସଚେତନତା କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ ସହାୟତା ଯୋଗାଇବା ପାଇଁ ସିଧାସଳଖ ମନା କରିଦେଇଥିବା ଜଣାପଡ଼ିଛି। ଜାସେଫ ସରକାରୀ ଜମିରେ ଘର ନିର୍ମାଣ କରିଥିବା ଦର୍ଶାଇ କ୍ଷତିପୂରଣ ମିଳିପାରିବ ନାହିଁ ବୋଲି ବିଭାଗ କହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୁଣ୍ଡ ଗୁଞ୍ଜିବା ପାଇଁ ଥିବା ଏକମାତ୍ର ଆଶ୍ରୟସ୍ଥଳୀ ଭାଙ୍ଗିଯିବା ପରେ ବର୍ତ୍ତମାନ ଏହି ଅସହାୟ ପରିବାର କିପରି ଜୀବନ ବିତାଇବେ, ତାହାକୁ ନେଇ ଗଭୀର ଚିନ୍ତାରେ ପଡ଼ିଛନ୍ତି। ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।





