ଜିତେନ୍ଦ୍ର କୁମାର ଶତପଥି/ ସ୍ୱତନ୍ତ୍ର ପ୍ରତିନିଧି/ ସମୀକ୍ଷା ନ୍ୟୁଜ:
ରାୟଗଡ଼ା/ପଦ୍ମପୁର, ୫/୧୦: ବିଦ୍ୟୁତ୍ ଉପଭୋକ୍ତାଙ୍କ ସ୍ୱାର୍ଥ ସୁରକ୍ଷା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ରାୟଗଡ଼ା ଜିଲ୍ଲା ଖାଉଟି ବିବାଦ ସମାଧାନ ଆୟୋଗ। ଟିପି ସାଉଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜଣେ ଉପଭୋକ୍ତାଙ୍କ ଉପରେ ଲଗାଯାଇଥିବା ୧ ଲକ୍ଷ ୬୧ ହଜାର ୭୯୯ ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍କୁ ଆୟୋଗ ଖାରଜ କରିଛନ୍ତି। ଏଥିସହ ସେବାରେ ଅବହେଳା ଓ ମାନସିକ ନିର୍ଯାତନା ପାଇଁ ୧୫ ହଜାର ଟଙ୍କା ଏବଂ ମକଦ୍ଦମା ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା, ମୋଟ ୨୦ ହଜାର ଟଙ୍କା ପ୍ରଦାନ କରିବାକୁ ଟିପିଏସ୍ଓଡିଏଲ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାୟଗଡ଼ା ଜିଲ୍ଲା ପଦ୍ମପୁରର ପ୍ରଶାନ୍ତ କୁମାର କରଙ୍କ ବିଦ୍ୟୁତ୍ ସଂଯୋଗ ତାଙ୍କ ସ୍ୱର୍ଗତ ଜେଜେବାପା ଉଦୟନାଥ କରଙ୍କ ନାମରେ ରହିଥିଲା। ୨୦୨୪ ନଭେମ୍ବରରେ ତାଙ୍କ ଘରେ ସ୍ମାର୍ଟ ମିଟର ସ୍ଥାପନ ପରେ ଅସ୍ୱାଭାବିକ ଭାବେ ଅଧିକ ପରିମାଣର ବିଦ୍ୟୁତ୍ ବିଲ୍ ଆସିଥିବା ଅଭିଯୋଗ ହୋଇଥିଲା। ଏନେଇ ପ୍ରଶାନ୍ତ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିଲା। ପରେ ବିବାଦୀୟ ବକେୟା ବିଲ୍ ଆଧାରରେ ତାଙ୍କ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ଜଣାପଡ଼ିଛି। ସମସ୍ୟାର ସମାଧାନ ପାଇଁ ପ୍ରଶାନ୍ତ ପ୍ରଥମେ ଅଭିଯୋଗ ପ୍ରତିକାର ଫୋରମ୍ (CGRF) ଏବଂ ପରେ ବିଦ୍ୟୁତ୍ ଲୋକପାଳଙ୍କ ନିକଟରେ ଆଶ୍ରୟ ନେଇଥିଲେ। ସେଠାରୁ ଆଶାନୁରୂପ ସମାଧାନ ନମିଳିବା ପରେ ସେ ଉପଭୋକ୍ତା ସୁରକ୍ଷା ଆଇନ, ୨୦୧୯ ଅନୁଯାୟୀ ରାୟଗଡ଼ା ଜିଲ୍ଲା ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆୟୋଗର ସଭାପତି ରାଜେନ୍ଦ୍ର କୁମାର ପଣ୍ଡା ଓ ସଦସ୍ୟ ସତୀଶ କୁମାର ପାଣିଗ୍ରାହୀ ମାମଲାର ଶୁଣାଣି କରି ଟିପିଏସ୍ଓଡିଏଲ୍ର ଆପତ୍ତିକୁ ଖାରଜ କରିଥିଲେ। ବିଦ୍ୟୁତ୍ ସଂଯୋଗ ପୂର୍ବପୁରୁଷଙ୍କ ନାମରେ ଥିଲେ ମଧ୍ୟ ସମ୍ପୃକ୍ତ ଘରେ ରହି ବାସ୍ତବରେ ବିଦ୍ୟୁତ୍ ବ୍ୟବହାର କରୁଥିବା ବ୍ୟକ୍ତି ଉପଭୋକ୍ତା ସୁରକ୍ଷା ଆଇନ ଅନୁଯାୟୀ ନ୍ୟାୟ ପାଇବାର ଅଧିକାରୀ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି।
ଏଥିସହ CGRF ଏବଂ ବିଦ୍ୟୁତ୍ ଲୋକପାଳଙ୍କ ନିଷ୍ପତ୍ତି ପରେ ମଧ୍ୟ ଉପଭୋକ୍ତା ନ୍ୟାୟ ପାଇଁ ଖାଉଟି ଆୟୋଗଙ୍କ ଦ୍ୱାରସ୍ଥ ହୋଇପାରିବେ ବୋଲି ଆୟୋଗ ମତ ଦେଇଛନ୍ତି।
ବିଦ୍ୟୁତ୍ ଆଇନ, ୨୦୦୩ର ଧାରା ୫୬(୨) ଏବଂ ସମ୍ପୃକ୍ତ OERC ନିୟମାବଳୀକୁ ବିଚାରକୁ ନେଇ ଆୟୋଗ କହିଛନ୍ତି ଯେ, ଆବଶ୍ୟକ ନୋଟିସ୍ ନଦେଇ ଦୁଇ ବର୍ଷରୁ ଅଧିକ ପୁରୁଣା ବକେୟା ବିଲ୍ ଆଦାୟ କରିବା ଆଇନସମ୍ମତ ନୁହେଁ। ୩୦ ଦିନ ମଧ୍ୟରେ ସଂଶୋଧିତ ବିଲ୍ ଆୟୋଗ ଟିପିଏସ୍ଓଡିଏଲ୍କୁ ୩୦ ଦିନ ମଧ୍ୟରେ ପୂର୍ବ ଦୁଇ ବର୍ଷର ବାସ୍ତବ ବିଦ୍ୟୁତ୍ ବ୍ୟବହାରକୁ ଆଧାର କରି ସଂଶୋଧିତ ବିଲ୍ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂତନ ବିଲ୍ ପୈଠ ପାଇଁ ଉପଭୋକ୍ତାଙ୍କୁ ୪୫ ଦିନ ସମୟ ଦେବା ସହ କିସ୍ତିରେ ଅର୍ଥ ପୈଠର ସୁବିଧା ଯୋଗାଇଦେବାକୁ ମଧ୍ୟ ଆଦେଶ ରହିଛି। ମାନସିକ ନିର୍ଯାତନା ପାଇଁ ୧୫ ହଜାର ଟଙ୍କା ଓ ମକଦ୍ଦମା ଖର୍ଚ୍ଚ ବାବଦରେ ୫ ହଜାର ଟଙ୍କା, ମୋଟ ୨୦ ହଜାର ଟଙ୍କା ୪୫ ଦିନ ମଧ୍ୟରେ ଉପଭୋକ୍ତାଙ୍କୁ ପ୍ରଦାନ କରିବାକୁ କମ୍ପାନୀକୁ କୁହାଯାଇଛି। ନିର୍ଦ୍ଧାରିତ ସମୟରେ ଏହି ଅର୍ଥ ପୈଠ ନକଲେ ବାର୍ଷିକ ୯ ପ୍ରତିଶତ ସୁଧ ଦେବାକୁ ପଡ଼ିବ ବୋଲି ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବାକୁ ମଧ୍ୟ ଟିପିଏସ୍ଓଡିଏଲ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରାୟ ଅସ୍ୱାଭାବିକ କିମ୍ବା ବିବାଦୀୟ ବିଦ୍ୟୁତ୍ ବିଲ୍କୁ ନେଇ ହଇରାଣ ହେଉଥିବା ଉପଭୋକ୍ତାଙ୍କ ପାଇଁ ଏକ ଆଶ୍ୱାସନର ବାର୍ତ୍ତା ଦେଇଛି।






