ସୁଶାନ୍ତ ପଣ୍ଡା / ଜିଲ୍ଲା ପ୍ରତିନିଧି / ବରଗଡ଼ / ସମୀକ୍ଷା ନ୍ୟୁଜ:
ବରଗଡ଼ ୦୫/୧୦ ଅତାବିରା ଏନ୍ ଏ ସି ର ୱାର୍ଡ଼ ନମ୍ବର ୯ ର କାଉନସିଲର ନାରାୟଣ ସାହୁଙ୍କୁ , ବିଧାୟକ ଙ୍କ ଉପସ୍ଥିତି ରେ ତାଙ୍କ ଡ୍ରାଇଭର ମାଡ ମାରିଥିବା ଅଭିଯୋଗ ନେଇ ପ୍ରଥମେ ଅତାବିରା ଥାନା ଦ୍ବାରସ୍ଥ ହେବା ପରେ ଏଫ୍ ଆଇ ଆର୍ ରେଜିଷ୍ଟ୍ରି ହୋଇନଥିବା ଅଭିଯୋଗ ନେଇ ଅତାବିରା ପୂର୍ବତନ ବିଧାୟିକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଙ୍କ ନେତୃତ୍ୱରେ ବରଗଡ଼ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର ନାଥ ଶତପଥୀ ଙ୍କୁ ଭେଟିଲା ବିଜେଡି ର ଏକ ପ୍ରତିନିଧି ଦଳ। ତେବେ ପ୍ରଥମେ କାଉନସିଲର ନାରାୟଣ ସାହୁ କୁ ଡାକି ଗାଳିଗୁଲଜ କରିବା ସାଙ୍ଗକୁ ବିଧାୟକ ଙ୍କ ଉପସ୍ଥିତି ରେ ତାଙ୍କ ଡ୍ରାଇଭର ମାଡ଼ ମାରିବା ଓ ବନ୍ଧୁକ ମୁନରେ ଧମକ ଦେଇଥିବା ନେଇ କାଉନସିଲର ନାରାୟଣ ସାହୁ ଓ ପୂର୍ବତନ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଗଣ ମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି। ତେବେ ଏନେଇ ପୋଲିସ ଏଫ୍ ଆଇ ଆର୍ କୁ ଯଥା ଶୀଘ୍ର ରେଜେଷ୍ଟ୍ରୀ କରି ଏହାର ଉଚିତ୍ ତଦନ୍ତ କରିବା ସାଙ୍ଗକୁ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବରଗଡ଼ ଆରକ୍ଷୀ ଅଧିକ୍ଷକ ଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଦାବୀ କରାଯାଇଛି ।

ଏହି ଅବସରରେ ବରଗଡ଼ ର ପୂର୍ବତନ ବିଧାୟକ ଦେବେଶ ଆଚାର୍ଯ୍ୟ, ପୁର୍ବତନ ମନ୍ତ୍ରୀ ରୀତା ସାହୁ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ଼ ପୌର ପରିଷଦ ଅଧ୍ୟକ୍ଷା କଳ୍ପନା ମାଝୀ, ବିଜୁ ଜନତା ଦଳ ଜିଲ୍ଲା ସଭାପତି ଶୁଶାନ୍ତ କୁମାର ମହାପାତ୍ର,ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ବରଗଡ଼ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଅଭିଯୋଗ କରିଛନ୍ତି। ତେବେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରାନଗଲେ ବିଜୁ ଜନତା ଦଳ ରାଜ ରାସ୍ତା କୁ ଓହ୍ଲାଇ ଆନ୍ଦୋଲନ କରିବ ବୋଲି ବିଜୁ ଜନତା ଦଳ ପକ୍ଷରୁ ଖୋଲା ଚେତାବନୀ ଦିଆଯାଇଛି। ଅନ୍ୟପଟେ ଏହି ଘଟଣାକୁ ନେଇ ବିଧାୟକ ନିହାର ମହାନନ୍ଦ ଘଟଣା ର କିଛି ସତ୍ୟତା ନ ଥିବା ସାଙ୍ଗକୁ ଭିତ୍ତିହୀନ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି।





