ଅପୂର୍ବ ଥଣ୍ଡର/ସ୍ୱତନ୍ତ୍ର ପ୍ରତିନିଧି / ସମୀକ୍ଷା ନିୟୁଜ/ମାଲକାନଗିରି:
୦୬/୧୦/୨୬
ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମାସ୍ଥିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖେଳ ପଡିଆରେ ରୋଡ୍ ସେଫ୍ଟି ସଚେତନତା କାର୍ଯ୍ୟକ୍ରମ ଅବସରରେ ପୋଲିସ ଓ ବିଏସଏଫ ଯବାନଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ପଡିଆ ଥାନା ଅଧିକାରୀ ସନ୍ତୋଷ କୁମାର ମାଝୀ ଏବଂ ବିଏସଏଫ ସେକେଣ୍ଡ-ଇନ୍-କମାଣ୍ଡ ଅତୁଲ୍ୟ ଯାଦବଙ୍କ ନେତୃତ୍ୱରେ ଉଭୟ ଦଳ ଏହି ମ୍ୟାଚରେ ଅଂଶଗ୍ରହଣ କରିଥିଲେ। ମ୍ୟାଚ ପୂର୍ବରୁ ଖେଳ ପଡିଆ ପରିସରରେ ସ୍ଥାନୀୟ ଜନସାଧାରଣ ଓ ଯୁବପିଢ଼ିଙ୍କ ମଧ୍ୟରେ ସଡକ ସୁରକ୍ଷା ସମ୍ପର୍କରେ ସଚେତନତା କରାଯାଇଥିଲା। ବିଶେଷକରି ଦ୍ରୁତ ଗତିରେ ଗାଡି ଚାଳନା ନକରିବା, ଟ୍ରାଫିକ ନିୟମ ପାଳନ କରିବା, ଦୁଇଚକିଆ ଯାନ ଚାଳନା ସମୟରେ ହେଲମେଟ ପିନ୍ଧିବା ଏବଂ ନିଜ ସହ ଅନ୍ୟମାନଙ୍କ ଜୀବନ ସୁରକ୍ଷା ପ୍ରତି ସଚେତନ ରହିବାକୁ ଉପସ୍ଥିତ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। କ୍ରିକେଟ ମ୍ୟାଚ ମାଧ୍ୟମରେ ପୋଲିସ ଓ ବିଏସଏଫ ମଧ୍ୟରେ ସୁସମ୍ପର୍କ ଓ ସମନ୍ୱୟକୁ ଆହୁରି ସୁଦୃଢ କରିବା ସହ ଜନସାଧାରଣଙ୍କ ମଧ୍ୟରେ ସଡକ ସୁରକ୍ଷା ବାର୍ତ୍ତା ପହଞ୍ଚାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।






