ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର କନ୍ଧମାଳ ପୁରୀ

ଖୋର୍ଦ୍ଧାରେ ଆନ୍ତଃରାଜ୍ୟ ‘କୋରେକ୍ସ’ ଚୋରା ଚାଲାଣ ର ପର୍ଦ୍ଦାଫାସ୍, ୧୦ ଗିରଫ

ଖୋର୍ଦ୍ଧାରେ ଆନ୍ତଃରାଜ୍ୟ ‘କୋରେକ୍ସ’ ଚୋରା ଚାଲାଣ ର ପର୍ଦ୍ଦାଫାସ୍, ୧୦ ଗିରଫ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ::

ଖୋର୍ଦ୍ଧା, ୧୮।୧୦: ନିଶାମୁକ୍ତ ଭାରତ ଅଭିଯାନ ଅଧୀନରେ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ଆନ୍ତଃରାଜ୍ୟ କଫ ସିରପ ଚୋରା କାରବାରର ପର୍ଦ୍ଦାଫାସ କରିଛି। ଏହି ଘଟଣାରେ ୧୦ ଜଣଙ୍କୁ ଗିରଫ କରାଯିବା ସହ ୫,୫୨୦ ବୋତଲ କୋଡିନଯୁକ୍ତ କଫ ସିରପ ଯାହାର ପରିମାଣ ପ୍ରାୟ ୫୫୨ ଲିଟର, ଜବତ କରାଯାଇଛି।
ଅକ୍ଟୋବର ୧୮ ତାରିଖ ସକାଳ ସମୟ ରେ ଖୋର୍ଦ୍ଧା-ନୟାଗଡ଼ ନୂଆ ବାଇପାସ ରାସ୍ତାର ନୂଆଗାଁ ନିକଟରେ ଏହି ଚଢ଼ଉ କରାଯାଇଥିଲା।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବିହାରର ମୂଳ ବାସିନ୍ଦା ଗୋପୀନାଥ ଯାଦବ(୩୦) ଏହି ରାକେଟର ମୁଖ୍ୟ କାର୍ପଟଦାର ଏବଂ ଓଡ଼ିଶାରେ କୋରେକ୍ସ ଯୋଗାଣର ଜଣେ ପ୍ରମୁଖ ବ୍ୟକ୍ତି ବୋଲି ସନ୍ଦେହ କରାଯାଉଛି। ସେ କୋଲକାତା, ହରିୟାଣା ଓ ଦିଲ୍ଲୀରୁ କଫ ସିରପ ସଂଗ୍ରହ କରି ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପରିବହନକାରୀ, ମହଜୁଦକାରୀ ଓ ସ୍ଥାନୀୟ ବିତରକଙ୍କ ଏକ ନେଟୱର୍କ ମାଧ୍ୟମରେ ଯୋଗାଣ କରୁଥିବା ତଦନ୍ତରୁ ଜଣାପଡ଼ିଛି।
ଅନ୍ୟ ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ କଦଳୀବାଡ଼ିର ଦିବ୍ୟରଞ୍ଜନ ଶ୍ରୀଚନ୍ଦ (୨୫), ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ପଲ୍ଲାର ସୌମ୍ୟରଞ୍ଜନ ସାହୁ (୨୫), ଜଗତସିଂହପୁର ଥାନା ଅନ୍ତର୍ଗତ କୁମ୍ଭ ଆଣ୍ଡେଇସାହିର ଜ୍ୟୋତିରଞ୍ଜନ ସାହୁ (୩୫), ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅନ୍ତର୍ଗତ ସାନସିଂହପୁରର ଶମ୍ଭୁନାଥ ବାରିକ (୩୭), କଟକ ମାଲଗୋଦାମ ଥାନା ଅନ୍ତର୍ଗତ ଜୋବ୍ରାର ବିଷ୍ଣୁପ୍ରସାଦ ସେନାପତି (୩୬), ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ନୂଆଗାଁ ର ରବୀନ୍ଦ୍ର ସୁନ୍ଦରାୟ (୩୮) କୁମାରବସ୍ତ ଗ୍ରାମ ର ସନ୍ତୋଷ ଗଜେନ୍ଦ୍ର (୨୩), କଟକ ମଧୁପାଟଣା ଥାନା ଅନ୍ତର୍ଗତ କାଜିଡିହର ଦୀପକ ବାରିକ (୨୬) ଏବଂ ବେଗୁନିଆ ଥାନା ଅନ୍ତର୍ଗତ କଡବର ଏସ.କେ. ସଲାବତ (୨୪)।

ସ୍ୱତନ୍ତ୍ର ପୁଲିସ ଟିମର ଚଢ଼ଉ

ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାର ଭାରପ୍ରାପ୍ତ ଅଧିକାରୀଙ୍କୁ କଟକରୁ ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ଅଭିମୁଖେ ବିପୁଳ ପରିମାଣର କୋଡିନ୍‌ଯୁକ୍ତ କଫ ସିରପ ଚାଲାଣ ହେଉଥିବା ନେଇ ନିର୍ଦ୍ଦିଷ୍ଟ ସୂଚନା ମିଳିଥିଲା। ଖୋର୍ଦ୍ଧା ଏସପି ପରମାର ସ୍ମିତ ପୁରୁଷୋତ୍ତମଦାସଙ୍କ ନିର୍ଦ୍ଦେଶକ୍ରମେ ଏସ.ଆଇ ସ୍ୱାଗତିକା ଦାସଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ଭୋର ପ୍ରାୟ ୪ଟା ୫୦ ମିନିଟ୍‌ରେ ଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରିବା ସହ ଅଭିଯୁକ୍ତମାନଙ୍କୁ ଧରିଥିଲେ।
ଜଣେ କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ ଓ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଆଇନ ଅନୁଯାୟୀ ଜବତ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ପୁଲିସ କହିଛି ଯେ, ଏହି ମାମଲାରେ ଯୋଗାଣକାରୀଙ୍କ ଜଣେ କଥିତ ପରିଚାଳକଙ୍କ ସମେତ ଆଉ ଦୁଇ ଅଭିଯୁକ୍ତ ଖସି ପଳାଇଛନ୍ତି। ସେମାନେ ଏକ ଗୋଦାମ ଓ ଆବାସିକ ପରିସରରେ କଫ ସିରପ ମହଜୁଦ ରଖିବାରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ସେମାନଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି।

ବିଭିନ୍ନ ଜିଲ୍ଲାକୁ ବ୍ୟାପିଛି ଯୋଗାଣ ନେଟ୍‌ୱର୍କ

ତଦନ୍ତରୁ ଓଡ଼ିଶା ବାହାରର ଯୋଗାଣକାରୀଙ୍କଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ମହଜୁଦକାରୀ, ପରିବହନକାରୀ ଓ ବିତରକଙ୍କ ପର୍ଯ୍ୟନ୍ତ ଏକ ସଂଗଠିତ ଯୋଗାଣ ରାକେଟ ଥିବା ସନ୍ଦେହ କରାଯାଉଛି। ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟ ଯୋଗାଣକାରୀଙ୍କ ସହ ପରିବହନ ଓ ବିତରଣରେ ସହଯୋଗ କରୁଥିବା ବ୍ୟକ୍ତି ଥିବା ପୁଲିସ କହିଛି। ଏହି ଚଢ଼ଉର ଉଦ୍ଦେଶ୍ୟ କେବଳ ଚାଲାଣକାରୀଙ୍କୁ ଧରିବା ନୁହେଁ, ବରଂ ଚୋରା କାରବାରର ସମସ୍ତ କଡ଼ିକୁ ଠାବ କରି ନେଟୱର୍କକୁ ଭାଙ୍ଗିବା ବୋଲି ପୁଲିସ ସୂଚନା ଦେଇଛି।

ଗାଡ଼ି, ମୋବାଇଲ୍‌ ଓ ନଗଦ ଟଙ୍କା ଜବତ

କଫ ସିରପ ବ୍ୟତୀତ ପୁଲିସ ଦୁଇଟି କାର—ହୁଣ୍ଡାଇ ଆଇ-୨୦ ଓ ହୁଣ୍ଡାଇ ଆଇ-୧୦, ଗୋଟିଏ ପିଆଜିଓ ଟ୍ରଲି ଅଟୋରିକ୍ସା, ଗୋଟିଏ ହୋଣ୍ଡା ସାଇନ ମୋଟରସାଇକେଲ, ଗୋଟିଏ ଟିଭିଏସ ଜୁପିଟର ସ୍କୁଟି, ୧୧ଟି ମୋବାଇଲ ଫୋନ ଓ ନଗଦ ୩୦ ହଜାର ଟଙ୍କା ଜବତ କରାଯାଇଛି।
ଏହି ଘଟଣାରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ କେସ ନମ୍ବର ୩୩୭, ତାରିଖ ୧୮ ଅକ୍ଟୋବର ୨୦୨୬ରେ ଏନଡିପିଏସ ଆଇନର ଧାରା ୨୧(ସି) ଓ ୨୯ ଅନୁଯାୟୀ ମାମଲା ରୁଜୁ ହୋଇଛି। ବାଣିଜ୍ୟିକ ପରିମାଣର ନିଷିଦ୍ଧ ପଦାର୍ଥ ରଖିବା ଓ ବିତରଣ ସମ୍ପର୍କିତ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଥିବା ପୁଲିସ କହିଛି। ଏସ.ଆଇ ଅଶୋକ କୁମାର ମହାନ୍ତି ମାମଲାର ତଦନ୍ତ କରୁଥିବାବେଳେ ଏସ.ଆଇ ସ୍ୱାଗତିକା ଦାସ ଏତଲାକାରୀ ଅଛନ୍ତି।
ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା, ସନ୍ଦିଗ୍ଧ ଗୋଦାମ ଓ ଆବାସିକ ପରିସରରେ ତଲାସି କରିବା, ଆନ୍ତଃରାଜ୍ୟ ଯୋଗାଣକାରୀଙ୍କୁ ଚିହ୍ନଟ କରିବା, ଆର୍ଥିକ କାରବାରର ଯାଞ୍ଚ କରିବା ଏବଂ ଏହି ବେଆଇନ କାରବାରରୁ ଅର୍ଜିତ ସମ୍ପତ୍ତିର ସନ୍ଧାନ କରିବା ଦିଗରେ ତଦନ୍ତ ଜାରି ରହିଛି।

ଖୋର୍ଦ୍ଧାରେ ଆନ୍ତଃରାଜ୍ୟ ‘କୋରେକ୍ସ’ ଚୋରା ଚାଲାଣ ର ପର୍ଦ୍ଦାଫାସ୍, ୧୦ ଗିରଫ – ସମୀକ୍ଷା

ନିଶା କାରବାର ବିରୋଧରେ ଏସ୍‌ପିଙ୍କ କଡ଼ା ଚେତାବନୀ

ଖୋର୍ଦ୍ଧା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ.ପି କହିଛନ୍ତି ଯେ, ଜିଲ୍ଲା ପୁଲିସ ପକ୍ଷରୁ ନିଶାଦ୍ରବ୍ୟ ବିରୋଧରେ ଚାଲିଥିବା ବ୍ୟାପକ ଅଭିଯାନର ଏହା ଏକ ଅଂଶ। ବ୍ରାଉନ ସୁଗାର, କୋରେକ୍ସ ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟର ବେଆଇନ କାରବାରରେ ସମ୍ପୃକ୍ତ ନେଟୱର୍କକୁ ଟାର୍ଗେଟ କରାଯାଉଛି।
କୋଡିନଯୁକ୍ତ କଫ ସିରପକୁ ନିଶାଦ୍ରବ୍ୟ ଭାବେ ବିଶେଷକରି ଯୁବପିଢ଼ିଙ୍କ ଦ୍ୱାରା ଅପବ୍ୟବହାର କରାଯାଉଥିବା ଘଟଣାକୁ ନେଇ ପୁଲିସ ଉଦବେଗ ପ୍ରକାଶ କରିଛି। ନିଶାଦ୍ରବ୍ୟର ବେଆଇନ ମହଜୁଦ, ପରିବହନ, ବିକ୍ରି କିମ୍ବା ସେବନ ସମ୍ପର୍କରେ କୌଣସି ସୂଚନା ଥିଲେ ନିକଟସ୍ଥ ଥାନା, ଜରୁରୀକାଳୀନ ହେଲ୍ପଲାଇନ ୧୧୨ କିମ୍ବା ଜାତୀୟ ନାର୍କୋଟିକ୍ସ ହେଲ୍ପଲାଇନ ‘ମାନସ’ ୧୯୩୩ ମାଧ୍ୟମରେ ଜଣାଇବାକୁ ପୁଲିସ ଜନସାଧାରଣଙ୍କୁ ଅନୁରୋଧ କରିଛି। ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ଏସ.ପି କହିଛନ୍ତି।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମୁମ୍ବାଇରେ ଚାଞ୍ଚଲ୍ୟ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଗାଡ଼ି ଉପରକୁ ଗୁଳିମାଡ଼