ଅବିନାଶ ଗଡତିଆ /ବରଗଡ /ସମୀକ୍ଷା ନିୟୁଜ :
20/101/2026: ବରଗଡ଼ ଜିଲ୍ଲା ତାଲପାଲି ସ୍ଥିତ ମହାବିଦ୍ୟାଳୟ ପରିସରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗିଥିବା ପ୍ରାଥମିକ ଅନୁମାନ କରାଯାଉଛି । ଏହି ଅଗ୍ନିକାଣ୍ଡରେ କଲେଜର ଗୁରୁତ୍ୱପୂର୍ଣ୍ଣ ଆସବାବପତ୍ର ସହ ଅନେକ ଜରୁରୀ ଦସ୍ତାବିଜ ପୋଡ଼ି ପାଉଁଶ ହୋଇଯାଇଛି ।ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କଲେଜ ଗୃହରୁ ପ୍ରଥମେ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଦେଖୁଦେଖୁ ନିଆଁ କଲେଜର କାର୍ଯ୍ୟାଳୟ ଏବଂ କମ୍ପ୍ୟୁଟର ଲ୍ୟାବ୍କୁ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ ତୁରନ୍ତ ଏ ସମ୍ପର୍କରେ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ ଏବଂ ନିଜ ସ୍ତରରେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ । ଖବର ପାଇ ବରଗଡ଼ରୁ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିଥିଲେ । ନିଆଁର ପ୍ରକୋପ ଅଧିକ ଥିବାରୁ କଲେଜର କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟର, ଜେରକ୍ସ ମେସିନ୍, ବହୁମୂଲ୍ୟ ଆସବାବପତ୍ର ଏବଂ ଛାତ୍ରଛାତ୍ରୀଙ୍କର ଅନେକ ଜରୁରୀକାଳୀନ କାଗଜପତ୍ର ପୋଡ଼ି ନଷ୍ଟ ହୋଇଯାଇଛି । ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଆକଳନ କରାଯାଉଛି । ସୌଭାଗ୍ୟବଶତଃ, ରାତି ସମୟରେ କଲେଜ ବନ୍ଦ ଥିବାରୁ କୌଣସି ଜୀବନହାନି ଘଟିନାହିଁ ଏବଂ ଏକ ବଡ଼ ବିପତ୍ତି ଟଳିଯାଇଛି । ସ୍ଥାନୀୟ ପୋଲିସ ଓ କଲେଜ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ସମୀକ୍ଷା କରିବା ସହ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି । ଲୋକଙ୍କ କହିବା ଅନୁସାରେ କୌଣସି କେଳେଙ୍କାରୀ କାରି କୁ ଲୁକାୟତ କରିବା ପାଇଁ ଏପରି କରାଯାଇଛି।






